ପାଣିରେ ଡୁବିଛି ୫ଟି ସ୍କୁଲ, ଯେଉଁ ଆଡ଼କୁ ଚାହିଁଲେ ଖାଲି ପାଣି

ବାଲେଶ୍ୱର(ରଞ୍ଜିତ ପାକଳ): ଚାରିଆଡ଼େ ଖାଲି ପାଣି ଆଉ ପାଣି। ପାଣି ଭିତରେ କେଉଁଟା ସ୍କୁଲର ଶ୍ରେଣୀ ଗୃହ, କେଉଁଟା ଖେଳପଡ଼ିଆ ଜାଣିବା ମୁସକିଲ। ପୂରା ସ୍କୁଲ ପରିସର ପାଣି ଭିତରେ ଡୁବି ଯାଇଛି। ସ୍କୁଲ ଗେଟ୍ ବାହାରୁ ତାଲା ପଡ଼ିଛି। ୫ଟି ସ୍କୁଲର ଏମିତି ଦଶା ଦେଖିଲେ ସରକାରୀ ଯୋଜନା କିପରି ବାଟବଣା ହେଉଛି ଓ ସରକାରୀ ଟଙ୍କା କିପରି ହରିଲୁଟ ହେଉଛି ତାହାର ବାସ୍ତବ ଚିତ୍ର ଜାଣିହେବ। ବାଲେଶ୍ୱର ଜିଲ୍ଲା  ରେମୁଣା ବ୍ଲକ ବଡପାଳ ପଂଚାୟତ […]

school-22

  • Published: Saturday, 13 August 2022
  • , Updated: 13 August 2022, 06:45 PM IST

ବାଲେଶ୍ୱର(ରଞ୍ଜିତ ପାକଳ): ଚାରିଆଡ଼େ ଖାଲି ପାଣି ଆଉ ପାଣି। ପାଣି ଭିତରେ କେଉଁଟା ସ୍କୁଲର ଶ୍ରେଣୀ ଗୃହ, କେଉଁଟା ଖେଳପଡ଼ିଆ ଜାଣିବା ମୁସକିଲ। ପୂରା ସ୍କୁଲ ପରିସର ପାଣି ଭିତରେ ଡୁବି ଯାଇଛି। ସ୍କୁଲ ଗେଟ୍ ବାହାରୁ ତାଲା ପଡ଼ିଛି। ୫ଟି ସ୍କୁଲର ଏମିତି ଦଶା ଦେଖିଲେ ସରକାରୀ ଯୋଜନା କିପରି ବାଟବଣା ହେଉଛି ଓ ସରକାରୀ ଟଙ୍କା କିପରି ହରିଲୁଟ ହେଉଛି ତାହାର ବାସ୍ତବ ଚିତ୍ର ଜାଣିହେବ। ବାଲେଶ୍ୱର ଜିଲ୍ଲା  ରେମୁଣା ବ୍ଲକ ବଡପାଳ ପଂଚାୟତ କାକବୋରାଇ ଗାଁର ବି.ୟୁ.ଏସ୍. ବିଦ୍ୟାପୀଠ ଆଜିକୁ ଦୁଇଦିନ ହେବ ପାଣିରେ ବୁଡ଼ି ରହିଛି।

ସ୍କୁଲ  ଚାରିପାଖରେ ଅଣ୍ଟାଏ ଉଚ୍ଚାର ପାଣି ଠିଆ ହୋଇଥିବା ବେଳେ ସ୍କୁଲ ଭିତର ପରିସ୍ଥିତି ମଧ୍ୟ ପ୍ରାୟ ସମାନ। ପ୍ରାୟ ୨ ମାସ ତଳେ ଏହି ସ୍କୁଲକୁ ୫ଟି ଅନ୍ତର୍ଗତ ରୂପାନ୍ତରିକରଣ କରାଯାଇଥିଲା। ପ୍ରଧାନଶିକ୍ଷକ, ସ୍କୁଲ ପରିଚାଳନା କମିଟି, ପୂର୍ତ୍ତ ବିଭାଗ ଯନ୍ତ୍ରୀ ପ୍ରମୁଖ ବସି ସ୍କୁଲର ଉନ୍ନତିକରଣ ରୂପରେଖ ସ୍ଥିର କରିଥିଲେ। ସରକାର ଯୋଗାଇ ଦେଇଥିବା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସ୍କୁଲର ଉନ୍ନତିକରଣ କରିଥିଲେ ଯନ୍ତ୍ରୀ ଓ ଠିକାଦାର। ହେଲେ ସ୍କୁଲର ଜଳନିଷ୍କାସନ ବ୍ୟବସ୍ଥା ପ୍ରତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଥିଲେ। ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନେ କହିଛନ୍ତି।

ଗତକାଲି ସ୍କୁଲ ଭିତରେ ପାଣିଥିବା ଦେଖି ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ଘରକୁ ଫେରି ଯିବାକୁ କହିଥିଲେ। ତେଣୁ ପାଠପଢ଼ା ହୋଇପାରି ନ ଥିଲା। ଆଜି ମଧ୍ୟ ସମାନ ଘଟଣା ଘଟିଛି। ଏମିତିରେ କିପରି ଆଗକୁ ପାଠପଢ଼ା ହେବ ଓ ଅଗଷ୍ଟ ୧୫ ପାଳନ ହେବ ବୁଝି ହେଉନି ବୋଲି ଛାତ୍ର ସଂଜୀବ କୁମାର ଦାସ କହିଛନ୍ତି। ତେଣୁ ପାଗର ପରିବର୍ତ୍ତନ ହେବା ପରେ ଏବଂ ସ୍କୁଲ ଭିତରୁ ପାଣି ଛାଡ଼ିବା ପରେ ପୁଣି ସ୍କୁଲ ଫିଟିବ ବୋଲି ଆଶା କରାଯାଉଛି।

ଏହି ଅଞ୍ଚଳର ପୁରୁଖା ବ୍ୟକ୍ତି ସିଦ୍ଧେଶ୍ୱର ସାହୁଙ୍କ କହିବା ମୁତାବକ, ଏହି ଗ୍ରାମଟି ନଦୀ ଉପକୂଳବର୍ତ୍ତି ତଳିଆ ଅଞ୍ଚଳ। ବର୍ଷା ଦିନେ ନଦୀରେ ବନ୍ୟା ଆସିଲେ ଅଞ୍ଚଳରୁ ଜଳ ନିଷ୍କାସନରେ ଅସୁବିଧା ହୁଏ। ସରକାର ଏହି ସମସ୍ୟାର ସମାଧାନ କରୁ ନ ଥିବାରୁ ପ୍ରତିବର୍ଷ ସମସ୍ତ ଲୋକ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ବିଇଓ କାଳନ୍ଦି ସୋରେନ କହିଛନ୍ତି, ଉକ୍ତ ସ୍କୁଲର ଏହି ସମସ୍ୟା ପୂର୍ବରୁ ଲାଗି ରହିଛି। ଏନେଇ ସେ ପ୍ରଧାନଶିକ୍ଷକଙ୍କୁ ପଚାରି ବୁଝିଥିଲେ। ଜଳ ନିଷ୍କାସନ କରିବା ନିମନ୍ତେ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରଧାନଶିକ୍ଷକ କହିଛନ୍ତି।

ଜଳନିଷ୍କାସନ ବ୍ୟବସ୍ଥା ସ୍କୁଲ ଉନ୍ନତିକରଣ ପୂର୍ବରୁ କାହିଁକି ହେଲାନି ବୋଲି ବିଇଓଙ୍କୁ ପଚାରିବାରୁ ସେ ଏସ୍ଏମ୍‌ସି, ଜେଇ ଓ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ଉପରେ ଦୋଷ ଲଦି ଦେଇଛନ୍ତି। ଏଥିସହ ସ୍କୁଲରୁ ଜଳ ନିଷ୍କାସନ ନିମନ୍ତେ ସ୍ଥାୟୀ ବ୍ୟବସ୍ଥା କରିବାକୁ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି।

ଚଳିତ ବର୍ଷ ଏହି ସ୍କୁଲର ଉନ୍ନତିକରଣ ହୋଇଥିଲା। ଗତ ଜୁନ୍ ୮ ତାରିଖରେ ଏହାକୁ ଉଦ୍‌ଘାଟନ କରାଯାଇଥିଲା। ଉନ୍ନତିକରଣରେ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ୧୯୭୩ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ସ୍କୁଲରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ପ୍ରାୟ ୨୮୦ ଛାତ୍ରଛାତ୍ରୀ ପାଠପଢ଼ନ୍ତି। ପ୍ରାୟ ୮ଟି ପଞ୍ଚାୟତର ଛାତ୍ରଛାତ୍ରୀ ଏହି ସ୍କୁଲ ଉପରେ ନିର୍ଭରଶୀଳ। ହେଲେ ସ୍କୁଲ ଭିତରେ ପାଣି ଜମିବା ଯୋଗୁ ଏଠାରେ ପାଠପଢ଼ା ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

 

Related story