ସ୍ୱପ୍ନରେ ରହିଗଲା ସ୍ମାର୍ଟଫୋନ୍‌, ଆନ୍ଧ୍ରରେ ପାଉଁଶ ହୋଇଗଲା ୬ ପିଲାଙ୍କ ଜୀବନ

ଗୁଣପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ସ୍ମାର୍ଟଫୋନ୍‌ କିଣିବେ ଓ ଅନ୍‌ଲାଇନ୍‌ରେ ପାଠ ପଢ଼ିବେ। ସେଥିପାଇଁ କଅଁଳ ବୟସରେ ଘରୁ ଗୋଡ଼ କାଢ଼ି ଥିଲେ, ଆଉ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଚାଲି ଯାଇଥିଲେ। ହେଲେ ଅଧା ରହିଗଲା ୬ ଛାତ୍ରଙ୍କ ସ୍ମାର୍ଟଫୋନ୍‌ କିଣା ସ୍ୱପ୍ନ। ଦାଦନର ଦୁଃଖ ଭିତରେ ଚାଲିଗଲେ ୬ କୋମଳମତି ଛାତ୍ରଙ୍କ ଜୀବନ। ଆନ୍ଧ୍ରପ୍ରଦେଶ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମକରିବାକୁ ଯାଇ ଜୀବନ୍ତ ଦଗ୍ଧ ହୋଇଥିବା ୬ ଓଡ଼ିଆ ନାବାଳକ। ରାୟଗଡ଼ା ଜିଲ୍ଲା ଗୁଣପୁର ଅଞ୍ଚଳର ଫୁଲଫୁଟି […]

Online

Manoranjan Sial
  • Published: Monday, 02 August 2021
  • , Updated: 02 August 2021, 04:53 PM IST

ଗୁଣପୁର (ଇନ୍ଦ୍ରଜିତ କୁମାର ପଣ୍ଡା): ସ୍ମାର୍ଟଫୋନ୍‌ କିଣିବେ ଓ ଅନ୍‌ଲାଇନ୍‌ରେ ପାଠ ପଢ଼ିବେ। ସେଥିପାଇଁ କଅଁଳ ବୟସରେ ଘରୁ ଗୋଡ଼ କାଢ଼ି ଥିଲେ, ଆଉ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଚାଲି ଯାଇଥିଲେ। ହେଲେ ଅଧା ରହିଗଲା ୬ ଛାତ୍ରଙ୍କ ସ୍ମାର୍ଟଫୋନ୍‌ କିଣା ସ୍ୱପ୍ନ। ଦାଦନର ଦୁଃଖ ଭିତରେ ଚାଲିଗଲେ ୬ କୋମଳମତି ଛାତ୍ରଙ୍କ ଜୀବନ। ଆନ୍ଧ୍ରପ୍ରଦେଶ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମକରିବାକୁ ଯାଇ ଜୀବନ୍ତ ଦଗ୍ଧ ହୋଇଥିବା ୬ ଓଡ଼ିଆ ନାବାଳକ।

ରାୟଗଡ଼ା ଜିଲ୍ଲା ଗୁଣପୁର ଅଞ୍ଚଳର ଫୁଲଫୁଟି ଗାଁର କରୁଣା ଶବର କିଟ୍‌ରେ ଅଷ୍ଟମ ଶ୍ରେଣୀ ପଢ଼ୁଥିଲେ। ସେହିପରି ପାଣ୍ଡବ ଶବର ପୁଟାସିଂ ହାଇସ୍କୁଲରେ ନବମ, ମହୋନ ଶବର କେନ୍ଦୁଗୁଡାରେ ସପ୍ତମ ଶ୍ରେଣୀ ଓ ଝୁମ୍ପାପୁର ଗାଁର ରାମମୂର୍ତ୍ତୀ ଗୋମାଙ୍ଗ ପୁଟାସିଂ ସ୍କୁଲରେ ପାଠ ପଢ଼ୁଥିଲେ। ମହାମାରୀର କରୋନା ଯୋଗୁ ସ୍କୁଲ ବନ୍ଦ ହୋଇଗଲା। ପାଠ ପଢ଼ିପାଇଲେ ନାହିଁ ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରମାନେ। ପାଖରେ ସ୍ମାର୍ଟଫୋନ୍‌ ନଥିବାରୁ ସରକାରଙ୍କ ଅନ୍‌ଲାଇନ୍‌ରେ କ୍ଲାସରେ ପଢ଼ିପାରୁ ନଥିଲେ। ଯେଉଁଥିପାଇଁ ଛାତ୍ରମାନେ ପରିବାର ଲୋକଙ୍କୁ ଅନୁରୋଧ କରିଥିଲେ। ମାତ୍ର ପେଟର ଭୋକରେ ଯନ୍ତ୍ରଣା ଭୋଗୁଥିବା ପରିବାର, ପିଲା ସ୍ମାର୍ଟଫୋନ୍‌ ଦେଇପାରିଲେ ନାହିଁ।

ପରିବାର ଲୋକଙ୍କଠାରୁ ନିରାଶ ହେବା ପରେ ପିଲାମାନେ ଘରୁ ଗୋଡ଼ କଢ଼ିବାର ନିଷ୍ପତ୍ତି ନେଲେ। ଘରେ କାହାକୁ କିଛି ନକହି ପାଣ୍ଡବ ଶବର, କରୁଣା ଶବର, ମହୋନ ଶବର, ରାମମୂର୍ତ୍ତି ଗୋମାଙ୍ଗଙ୍କ ସମେତ ଅନ୍ୟ ଦୁଇ ଜଣ ଦାଦନ ଖଟିବାକୁ ଆନ୍ଧ୍ର ପଳାଇ ଯାଇଥିଲେ। ସ୍ମାର୍ଟଫୋନ୍‌ କିଣି ପାଠ ପଢ଼ିବା ଲକ୍ଷ୍ୟରେ ୨ ମାସ ତଳେ ୬ ଛାତ୍ର ଆନ୍ଧ୍ରର ରାମେଲି ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଗତ ୩୦ ତାରିଖ କାଳ ରାତି। ସେହି ରାତିରେ ସମସ୍ତେ ଅସ୍ଥାୟୀ ଟିଣ ଛପର ଘରେ ଶୋଇଥିଲେ। ହଠାତ୍‌ ଘରେ ନିଆଁ ଲାଗିଗଲା। ସମସ୍ତେ ଜଳି ପାଉଁଶ ହୋଇଗଲେ। ଖବର ପାଇ ପରିବାର ଲୋକେ ଆନ୍ଧ୍ର ଯାଇଥିଲେ। ନିଜ ହାତରେ ନିଜ ପିଲାର ପାଉଁଶକୁ ଧରି ଗାଁକୁ ଆସିଛନ୍ତି।

ଆନ୍ଧ୍ରପ୍ରଦେଶରେ ଘଟିଥିବା ଲୋମହର୍ଷଣକାରୀ ଘଟଣାରେ ଦୁଃଖ ପ୍ରକାଶ କରିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଥିଲେ। ରବିବାର ମୃତ ପିଲାଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଟଙ୍କା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି।  ଏହାଛଡ଼ା ରେଡ୍‌କ୍ରସ୍‌ ପାଣ୍ଠିରୁ ୨୦ ହଜାର, ଓଡ଼ିଶା ମୋ ପରିବାର ପକ୍ଷରୁ ୧୦ ହଜାର, ଆନ୍ଧ ସରକାରଙ୍କ ପକ୍ଷରୁ ୩ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

Related story