ସରକାରଙ୍କ କୋଭିଡ୍ ତଥ୍ୟ ଅମେଳ, ୬୦୬୪ଜଣ ରୋଗୀଙ୍କ ପତ୍ତା ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସରକାରଙ୍କ ତଥ୍ୟ ମେଳ ନଖାଇବା ଯୋଗୁ ୬୦୬୪ଜଣ ରୋଗୀଙ୍କ ପତ୍ତା ମିଳୁନି। ସରକାରଙ୍କ ତଥ୍ୟ ତୁଳନାରେ କୋଭିଡ୍ ସଂକ୍ରମଣରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ଢ଼େର ଅଧିକ ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଥିଲେ ମଧ୍ୟ ଏହା ରିଏଲ ଟାଇମ୍ ତଥ୍ୟ ନୁହେଁ କହି ସରକାର ଏଡ଼ାଇ ଯାଉଛନ୍ତି। କିନ୍ତୁ କୋଭିଡ୍ ସଂକ୍ରମଣ, ସୁସ୍ଥ ଓ ମୃତ୍ୟୁ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ କୋଭିଡ୍ ଡ୍ୟାସବୋର୍ଡର […]

covid

covid

Ordigital Desk
  • Published: Friday, 07 May 2021
  • Updated: 07 May 2021, 10:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ସରକାରଙ୍କ ତଥ୍ୟ ମେଳ ନଖାଇବା ଯୋଗୁ ୬୦୬୪ଜଣ ରୋଗୀଙ୍କ ପତ୍ତା ମିଳୁନି। ସରକାରଙ୍କ ତଥ୍ୟ ତୁଳନାରେ କୋଭିଡ୍ ସଂକ୍ରମଣରେ ପ୍ରାଣ ହରାଉଥିବା ଲୋକଙ୍କ ସଂଖ୍ୟା ଢ଼େର ଅଧିକ ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଥିଲେ ମଧ୍ୟ ଏହା ରିଏଲ ଟାଇମ୍ ତଥ୍ୟ ନୁହେଁ କହି ସରକାର ଏଡ଼ାଇ ଯାଉଛନ୍ତି। କିନ୍ତୁ କୋଭିଡ୍ ସଂକ୍ରମଣ, ସୁସ୍ଥ ଓ ମୃତ୍ୟୁ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ କୋଭିଡ୍ ଡ୍ୟାସବୋର୍ଡର ତଥ୍ୟ ଏବଂ ସୂଚନା-ଲୋକସମ୍ପର୍କ ବିଭାଗର ତଥ୍ୟରେ ଆକାଶ-ପାତାଳ ପ୍ରଭେଦକୁ ନେଇ ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମେ’ ୭ତାରିଖରେ ଜାରି କୋଭିଡ୍ ବୁଲେଟିନ୍ ଅନୁସାରେ ଗତକାଲି ମଧ୍ୟରାତ୍ରି ସୁଦ୍ଧା ରାଜ୍ୟରେ ମୋଟ ୫ଲକ୍ଷ ୧୨ହଜାର ୪୦୦ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଏବେ ୭୮,୫୪୯ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ୨୧୪୦ଜଣଙ୍କ ମୃତ୍ୟୁ ହୋଇଛି ଓ ୪,୩୧,୬୫୮ଜଣ ସୁସ୍ଥ ହୋଇ ଫେରିଛନ୍ତି।

ତେବେ ଏହି ବିଭାଗ ପକ୍ଷରୁ ମେ’ ୪ତାରିଖରେ ଜାରି କୋଭିଡ୍ ବୁଲେଟିନ ଅନୁସାରେ ରାଜ୍ୟରେ ୩ତାରିଖ ମଧ୍ୟରାତ୍ରି ସୁଦ୍ଧା ମୋଟ ୪,୭୯,୭୫୨ ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳ ସେମାନଙ୍କ ମଧ୍ୟରୁ ୭୩,୫୪୮ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ୨୦୮୮ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୪,୦୪,୦୬୩ଜଣ ସୁସ୍ଥ ହୋଇ ଫେରିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ କୋଭିଡ୍ ଡ୍ୟାସବୋର୍ଡ ଅନୁସାରେ, ମେ’ ୬ତାରିଖ ମଧ୍ୟରାତ୍ରି ସୁଦ୍ଧା ରାଜ୍ୟରେ ୭୮୫୪୯ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। କିନ୍ତୁ ମେ’ ୫,୬ ଓ ୭ତାରିଖରେ କୋଭିଡ୍ ସଂକ୍ରମିତ, ସୁସ୍ଥ ଓ ମୃତକଙ୍କ ସଂଖ୍ୟାକୁ ହିସାବକୁ ନେଲେ ସରକାରଙ୍କ ଏହି ଡାଟା ମେଳ ଖାଉନାହିଁ।

ଡ୍ୟାସବୋର୍ଡ ଡାଟା ଅନୁସାରେ, ମେ’ ୫,୬ ଓ ୭ତାରିଖରେ ଯଥାକ୍ରମେ ରାଜ୍ୟରେ ୯୮୮୯,୧୦୫୨୧ ଓ ୧୨୨୩୮ଜଣ(ମୋଟ ୩୨୬୪୮ଜଣ) ଲୋକ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ଏହି ୩ଦିନରେ ଯଥାକ୍ରମେ ୬୧୭୬, ୬୮୫୪ ଓ ୮୪୦୧ଜଣ(ମୋଟ ୨୧୪୩୧ଜଣ) ସୁସ୍ଥ ହୋଇଛନ୍ତି। ସେହିପରି ଏହି ୩ଦିନରେ ଯଥାକ୍ରମେ ୧୬,୧୭ ଓ ୧୯ଜଣ(ମୋଟ ୫୨ଜଣ) କୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇଛି।

ରାଜ୍ୟରେ ଏହି ୩ଦିନ (୫ରୁ ୭ ତାରିଖ)ରେ ସଂକ୍ରମିତଙ୍କ ସଂଖ୍ୟା ୩୨୬୪୮ ଓ ସୁସ୍ଥ ଲୋକଙ୍କ ସଂଖ୍ୟା ୨୧୪୩୧ ରହିଥିବାରୁ ବାକି ୧୧୨୧୭ଜଣ ନୂଆ ରୋଗୀ ସକ୍ରିୟ ସଂକ୍ରମିତ ବର୍ଗରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଯଦି ମୃତ ୫୨ଜଣଙ୍କୁ ବାଦ୍ ଦିଆଯାଏ ତା’ହେଲେ ଏହି ସଂଖ୍ୟା ୧୧୧୬୫ଜଣ ରହିବ।

କିନ୍ତୁ ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଆଜି(୭ତାରିଖ) ସକ୍ରିୟ ସଂକ୍ରମିତଙ୍କ ବ୍ୟକ୍ତିଙ୍କ ସଂଖ୍ୟା ୭୮,୫୪୯ଜଣ ରହିଛି । ଯାହାକି ୪ତାରିଖରେ ୭୩,୫୪୮ଜଣ ଥିଲା। ଅର୍ଥାତ୍ ଗତ ୩ଦିନ ମଧ୍ୟରେ ସକ୍ରିୟ ସଂକ୍ରମିତ ବର୍ଗରେ ରାଜ୍ୟରେ ଅଧିକ ୧୧୧୬୫ଜଣ ଲୋକ ସାମିଲ ହୋଇଥିବାବେଳେ ଏହି ସଂଖ୍ୟା ଆଜି ୮୪,୬୧୩ରେ ପହଂଚିବା କଥା। ମାତ୍ର ରାଜ୍ୟ ସରକାରଙ୍କ ତଥ୍ୟରେ ଏହି ସଂକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୮,୫୪୯ ରହିଛି। ଅର୍ଥାତ୍ ୬୦୬୪ଜଣ ଲୋକ(୮୪୬୧୩-୭୮୫୪୯) ଏବେ କେଉଁ ସ୍ଥିତିରେ ଅଛନ୍ତି ତାହା ଜଣାପଡ଼ୁନି । କୋଭିଡ୍ ଡ୍ୟାସବୋର୍ଡ ଓ ସୂଚନା-ଲୋକସମ୍ପର୍କ ବିଭାଗର ତଥ୍ୟରେ ଏଭଳି ଅମେଳ ଥିବାବେଳେ ରାଜ୍ୟ ସରକାର ଏନେଇ ସ୍ପଷ୍ଟ ତଥ୍ୟ ରଖିବାର ଆବଶ୍ୟକତା ଦେଖାଦେଇଛି।

କୋଭିଡ୍ ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ,ଶଟଡାଉନ୍ ଓ ସାମୁହିକ ଟିକାକରଣ ସମେତ ବିଭିନ୍ନ ପ୍ରକାରର ସ୍ୱାଗତଯୋଗ୍ୟ ପଦକ୍ଷେପ ନେଉଥିବାବେଳେ କୋଭିଡ୍ ସଂକ୍ରମଣ, ସୁସ୍ଥ ଓ ମୃତ୍ୟୁର ତଥ୍ୟରେ ପାରଦର୍ଶିତା ଅବଲମ୍ବନ କରିବା ଉଚିତ୍ ବୋଲି ସାଧାରଣରେ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos