ସଡ଼କ ଦୁର୍ଘଟଣା ହାର ଚିନ୍ତାଜନକ: ସୁପ୍ରିମକୋର୍ଟଙ୍କ ତାଗିଦର ୭ ବର୍ଷ ପରେ ବି ଓଡ଼ିଶାରେ ସ୍ଥିତି ସଙ୍ଗୀନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ଓ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ ସଡ଼କ ଦୁର୍ଘଟଣା ହାର ବୃଦ୍ଧି ଉଦବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ୨୦୨୦ ସୁଦ୍ଧା ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାରକୁ ସର୍ବନିମ୍ନ ୫୦ ପ୍ରତିଶତକୁ ହ୍ରାସ ପାଇଁ ୨୦୧୪ ମସିହାରେ ସୁପ୍ରିମକୋର୍ଟଙ୍କ କମିଟି ଦେଇଥିବା ନିର୍ଦ୍ଦେଶ ମଧ୍ୟ ପାଣିର ଗାର ପାଲଟିଛି। ହେଲମେଟ୍ ଓ ଗାଡ଼ି କାଗଜପତ୍ର ଯାଂଚ ଆଳରେ କୋଟିକୋଟି ଟଙ୍କା ଜୋରିମାନା ଆଦାୟକୁ ଗୁରୁତ୍ୱ ଦେଉଥିବା ରାଜ୍ୟ ପ୍ରଶାସନ […]

Accident

Ordigital Desk
  • Published: Wednesday, 26 January 2022
  • , Updated: 26 January 2022, 09:39 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ୍ ଓ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ ସଡ଼କ ଦୁର୍ଘଟଣା ହାର ବୃଦ୍ଧି ଉଦବେଗଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ୨୦୨୦ ସୁଦ୍ଧା ରାଜ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହାରକୁ ସର୍ବନିମ୍ନ ୫୦ ପ୍ରତିଶତକୁ ହ୍ରାସ ପାଇଁ ୨୦୧୪ ମସିହାରେ ସୁପ୍ରିମକୋର୍ଟଙ୍କ କମିଟି ଦେଇଥିବା ନିର୍ଦ୍ଦେଶ ମଧ୍ୟ ପାଣିର ଗାର ପାଲଟିଛି। ହେଲମେଟ୍ ଓ ଗାଡ଼ି କାଗଜପତ୍ର ଯାଂଚ ଆଳରେ କୋଟିକୋଟି ଟଙ୍କା ଜୋରିମାନା ଆଦାୟକୁ ଗୁରୁତ୍ୱ ଦେଉଥିବା ରାଜ୍ୟ ପ୍ରଶାସନ ଏପର୍ଯ୍ୟନ୍ତ ଦୁର୍ଘଟଣାଜନିତ ମୃତାହତ ହାର ହ୍ରାସ କରିବାରେ ସକ୍ଷମ ହୋଇପାରିନି । ଗତ ସପ୍ତାହରେ ମୟୂରଭଞ୍ଜ, ବାଲେଶ୍ୱର ଓ ସୋନପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ପରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଗତକାଲି ସମସ୍ତ ଜିଲ୍ଲାପାଳ, ପୁଲିସ ଏସପି ଓ ଆଂଚଳିକ ପରିବହନ ଅଧିକାରୀଙ୍କୁ ଲେଖିଥିବା ଚିଠିରୁ ଏହି ତଥ୍ୟ ଉଜାଗର ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ସଡ଼କ ଦୁର୍ଘଟଣାରେ ୨୦୧୪ ମସିହାରେ ୩୯୩୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୦ ମସିହାରେ ଏହା ୪୭୩୮କୁ ବୃଦ୍ଧି ପାଇଛି । ଯାହାକି ଏହି ଅବଧି ମଧ୍ୟରେ ପ୍ରାୟ ୨୧ ପ୍ରତିଶତ ଅଧିକ । ଯଦିଓ ୨୦୧୪ ମସିହାକୁ ମୂଳ ଅବଧି ଭାବେ ଧରି ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାରକୁ ୫୦ ପ୍ରତିଶତ ହ୍ରାସ ନିମନ୍ତେ ସୁପ୍ରିମକୋର୍ଟ କମିଟି ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ କ୍ରାଇମବ୍ରାଂଚରୁ ମିଳିଥିବା ତଥ୍ୟ ଅନୁସାରେ ସଡ଼କ ଦୁର୍ଘଟଣାରେ ୨୦୨୦ ଜାନୁୟାରୀରୁ ଅକ୍ଟୋବର ତୁଳନାରେ ୨୦୨୧ ଜାନୁୟାରୀରୁ ଅକ୍ଟୋବର ମାସ ମଧ୍ୟରେ ୧୨.୦୨ ପ୍ରତିଶତ ଅଧିକ ମୃତ୍ୟୁ ହୋଇଛି । ପୁରୀ, ନୟାଗଡ଼, କୋରାପୁଟ, ଦେବଗଡ଼, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାକୁ ଛାଡ଼ି ଦେଲେ ବାକି ସମସ୍ତ ଜିଲ୍ଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ହାର ଗତବର୍ଷ ଅଧିକ ରହିଥିଲା । ୨୦୨୦ ଜାନୁୟାରୀରୁ ଅକ୍ଟୋବର ମଧ୍ୟରେ ମୋଟ ୭୬୧୯ଟି ସଡ଼କ ଦୁର୍ଘଟଣାରେ ୩୬୩୭ଜଣଙ୍କ ମୃତ୍ୟୁ ଓ ୬୯୭୭ଜଣ ଆହତ ହୋଇଥିବାବେଳେ ୨୦୨୧ ମସିହାରେ ଏହି ସମାନ ଅବଧି ମଧ୍ୟରେ ୮୯୨୨ଟି ସଡ଼କ ଦୁର୍ଘଟଣାରେ ୪୦୭୪ଜଣଙ୍କ ମୃତ୍ୟୁ ଓ ୮୦୮୭ଜଣ ଆହତ ହୋଇଛନ୍ତି । ଯାହାକି ୧୨.୦୨% ପ୍ରତିଶତ ଅଧିକ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୫୮ଟି ସଡ଼କ ଦୁର୍ଘଟଣାରେ ୨୧୭ଜଣଙ୍କ ମୃତ୍ୟୁ ଓ ୫୫୦ଜଣ ଆହତ ହୋଇଥିବାବେଳେ ୧୩.୬୧ ପ୍ରତିଶତ ବୃଦ୍ଧି ପାଇଛି । ତେବେ ନୂଆପଡ଼ା, ଗଜପତି, ରାୟଗଡ଼ା ଜିଲ୍ଲାରେ ୪୦ ପ୍ରତିଶତ ଓ ଜଗତସିଂହପୁର,ବୌଦ୍ଧ ଜିଲ୍ଲାରେ ୩୨ରୁ ୩୩ ପ୍ରତିଶତ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ବଢ଼ିଛି ।

ଏହାକୁ ଉଦବେଗଜନକ ସ୍ଥିତିକୁ ନଜରରେ ରଖି ଟ୍ରାଫିକ ନିୟମ ଭଙ୍ଗ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବହନ ବିଭାଗ ପରାମର୍ଶ ଦେବା ସହ ରାସ୍ତାକଡ଼ରେ ପାର୍କିଂ ଓ ଦ୍ରୁତ ଗତିରେ ଗାଡ଼ି ଚାଳନାକାରୀଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି । ସବୁ ଜିଲ୍ଲାରେ ପୁଲିସ ଓ ଆରଟିଓ ମିଳିତ ଭାବେ ଟ୍ରାଫିକ ନିୟମ ଭଙ୍ଗକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ଯାଂଚ କରିବାକୁ ବିଭାଗ କହିଛି । ଏହାସହିତ ପ୍ରତ୍ୟେକ ମାସରେ ଜିଲ୍ଲାପାଳମାନେ ସଡ଼କ ଦୁର୍ଘଟଣାର ରିପୋର୍ଟ ଦାଖଲ କରିବା ସହ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ମଧ୍ୟ ନିୟମିତ କରାଇବାକୁ କୁହାଯାଇଛି । ଦୁର୍ଘଟଣାର କାରଣକୁ ଜାଣି ତାକୁ ହ୍ରାସ କରିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ବିଭାଗ ପରାମର୍ଶ ଦେଇଛି ।

ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିର ବାରମ୍ବାର ତାଗିଦ୍ ସତ୍ତ୍ୱେ ଓଡ଼ିଶାରେ ସଡ଼କ ଦୁର୍ଘଟଣା ହାର ହ୍ରାସ ପାଇପାରିନି ।

Related story