ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ପିଛା ଛାଡ଼ୁନି ଦାଦନ ଦୁଃଖ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସତ୍ତ୍ୱେ ଦାଦନ ଚାଲାଣ ଥମିବା ନାଁ ଧରୁନି। ନୂଆଖାଇ ପରେ ପରେ ବଲାଙ୍ଗିର ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଦାଦନ ଚାଲାଣ ପ୍ରକ୍ରିୟା । ସ୍ଥାନୀୟ ସର୍ଦ୍ଦାରମାନଙ୍କ ଜରିଆରେ ଦାଦନ ଚାଲାଣ କରୁଛନ୍ତି ଇଟାଭାଟି ମାଲିକ । ଏବେ କଣ୍ଟାବାଜିଂ ସହରର ଲଜ ମାନଙ୍କରେ ବସା ବାନ୍ଧିଛନ୍ତି ଦାଦନ ସର୍ଦ୍ଦାର ଓ ଇଟାଭାଟି ମାଲିକ । ଏ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଣ୍ଟାବାଞ୍ଜି ପୁଲିସ୍ ଏକ ଲଜ ଉପରେ ଚଢ଼ାଉ କରି ରାଜ୍ୟ ବାହାରର ୭ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛି। ଏଥିସହ ସେମାନଙ୍କ ନିକଟରୁ ଜବତ ହୋଇଛି ୮୦ ଲକ୍ଷ । ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, ତାହା କାହାକୁ ଦିଆଯିବାକୁ ଯୋଜନା ହୋଇଥିଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍।
ସୂଚନାଯୋଗ୍ୟ, କଣ୍ଟାଵାଜିଂ ସହରର ପର୍ଶୁରାମ ଛକ ନିକଟରେ ଥିବା ଅନ୍ନପୂର୍ଣ୍ଣା ଲଜରେ କିଛି ବାହାର ରାଜ୍ୟର ବ୍ୟକ୍ତି ସନ୍ଦେହଜନକ ଅବସ୍ଥାରେ ଥିବା ନେଇ ଖବର ପାଇଥିଲା କଣ୍ଟାବାଜିଂ ପୁଲିସ । ଗତକାଲି ବିଲମ୍ୱିତ ରାତିରେ ପୁଲିସ ଟିମ୍ ଅତର୍କିତ ଭାବେ ଉକ୍ତ ଲଜ ଉପରେ ଚଢ଼ାଉ କରିଥିଲା ।
ଚଢ଼ାଉ ସମୟରେ ଠିକ୍ ଭାବେ ଉତ୍ତର ଦେଇ ନ ପାରିବାରୁ ୭ ଜଣ ଅଣଓଡ଼ିଆ ବ୍ୟକ୍ତିଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଛି ପୁଲିସ । ସେମାନଙ୍କ ଠାରୁ ୮୦ ଲକ୍ଷ ଟଙ୍କା ଜବତ କରାଯାଇଛି।
ଅଟକ ୭ ଜଣ ଦାଦନ ସର୍ଦ୍ଦାର କିମ୍ୱା ଇଟାଭାଟି ମାଲିକ ହୋଇଥିବା ସନ୍ଦେହ କରାଯାଉଛି । ଦାଦନ ଚାଲାଣ ପାଇଁ ଏତେ ପରିମାଣର ଟଙ୍କା ନେଇ ଆସିଥିବା ଅନୁମାନ କରାଯାଉଛି । ଏନେଇ ପୁଲିସ୍ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।