ଭୁବନେଶ୍ୱର: ଜୁନ୍ ୫ରେ କେରଳ ଛୁଇଁଥିଲା ମୌସୁମୀ ବାୟୁ। ଏହାପରେ ଦୁଇ ଦିନ ଧରି ଓଡିଶାର ବିଭିନ୍ନ ସ୍ଥାନରେ ହୋଇଥିଲା ପ୍ରାକ୍ ମୌସୁମୀ ବର୍ଷା। ତେବେ ଦୁଇଦିନ ହେଲାଣି ପୁଣି ତାତି ଫେରିଛି। ଗତକାଲି ରାଜ୍ୟର ୪ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ମଙ୍ଗଳବାର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା। ସମ୍ୱଲପୁରରେ ତାପମାତ୍ରା ସର୍ବାଧିକ ୪୨.୯ ଡିଗ୍ରୀ ରହିଥିଲା। ତା’ତଳକୁ ଝାରସୁଗୁଡାରେ ୪୧.୮ଡିଗ୍ରୀ, ଅନୁଗୋଳରେ ୪୧.୭, ହୀରାକୁଦରେ ୪୧.୭, ତାଳଚେରରେ ୪୦.୬, ଚାନ୍ଦବାଲିରେ ୪୦.୮, ତାଳଚେରରେ ୪୦.୬, ବାରିପଦାରେ ୪୦.୬,ଭୁବନେଶ୍ୱରରେ ୪୧.୭ ଓ ସୁନ୍ଦରଗଡରେ ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା।
ସେହିପରି ବାଲେଶ୍ୱରରେ ୩୯.୬ଡିଗ୍ରୀ, କଟକରେ ୩୮.୨ , ଟିଟିଲାଗଡରେ ୩୮, କେନ୍ଦୁଝରରେ ୩୭.୪, ସୋନପୁରରେ ୩୭.୪, ଭବାନୀପାଟଣାରେ ୩୫.୬, ପୁରୀରେ୩୪.୭, ଗୋପାଳପୁରରେ ୩୩.୪, ପାରାଦ୍ୱୀପରେ ୩୩, କୋରାପୁଟରେ ୨୯ ଓ ମାଲକାନଗିରିରେ ୨୮.୦ ଡିଗ୍ରୀ ତପମାତ୍ରା ଅନୁଭୁତ ହୋଇଥିଲା।
ଅନ୍ୟପକ୍ଷରେ ଅଶୁଂଘାତ ଜନିତ ମୃତ୍ୟୁ ସଂଖ୍ୟା ବଢୁଛି। ଆଜି ଅଶୁଂଘାତ ଜନିତ ମୃତ୍ୟୁ ସଂଖ୍ୟା୪୧ରେ ପହଞ୍ଚିଛି। ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେନ୍ଦ୍ରପଡାରେ ୬, ବରଗଡରେ ୫ ଓ ବଲାଙ୍ଗୀରରେ ୪ ଜଣଙ୍କର ମୃତ୍ୟୁ ଘଟିଛି।ତେବେ ବେସରକାରୀ ଭାବେ ରାଜ୍ୟରେ ଅଶୁଂଘାତ ଜନିତ ମୃତକଙ୍କ ସଂଖ୍ୟା ୧୬୫ ବୋଲି କୁହାଯାଉଛି।
ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୧୩ ରୁ ୧୫ ତାରିଖ ମଧ୍ୟରେ ମୌସୁମୀ ବାୟୁ ଓଡିଶା ଛୁଇଁବାର ସମ୍ଭାବନା ରହିଛି। ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ‘ଅଶୋବା’ ଯୋଗୁଁ ମୌସୁମୀ ବାୟୁ କେରଳରୁ ଉତ୍ତର ଦିଗକୁ ଅଗ୍ରସର ହୋଇପାରୁ ନାହିଁ। ଏହି ଘୂର୍ଣ୍ଣିଝଡ ଦୁର୍ବଳ ହେବା ପରେ ମୌସୁମୀ ବାୟୁ ଆଗକୁ ବଢିପାରିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।