ତାରରେ ଝୁଲି ଭରାନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଭରାନଦୀ। ସ୍ରୋତ ବି ଖୁବ୍ ଜୋର। ଏହା ଭିତରେ ପାଦ ଦେଲେ ଭାସି ଯିବାର ଭୟ ରହିଛି। ସ୍ରୋତ ଭିତରେ ରହିଥିବା ପଥରେ ପିଟି ହୋଇ ପ୍ରାଣହାନୀର ଭୟ ରହିଛି। ତଥାପି ଏହି ବିପଦପୂର୍ଣ୍ଣ ନଦୀ ଭିତରେ ପସି ପାରି ହେଉଛନ୍ତି ଛାତ୍ରଛାତ୍ରୀ। ନଦୀ ପାରି ହେବା ବେଳେ ଛାତ୍ରଛାତ୍ରୀଙ୍କ ଭରସା ଏକ ବିଦ୍ୟୁତ୍ ତାର। ଏହି ତାର ନଦୀ ଉପରେ ଏପାଖରରୁ ସେପାଖକୁ ଦୁଇ ଗଛରେ ବନ୍ଧା ଯାଇଛି। ନଦୀ ଭିତରକୁ ଝୁଲିଥିବା […]

student

  • Published: Sunday, 10 July 2022
  • , Updated: 11 July 2022, 03:32 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଭରାନଦୀ। ସ୍ରୋତ ବି ଖୁବ୍ ଜୋର। ଏହା ଭିତରେ ପାଦ ଦେଲେ ଭାସି ଯିବାର ଭୟ ରହିଛି। ସ୍ରୋତ ଭିତରେ ରହିଥିବା ପଥରେ ପିଟି ହୋଇ ପ୍ରାଣହାନୀର ଭୟ ରହିଛି। ତଥାପି ଏହି ବିପଦପୂର୍ଣ୍ଣ ନଦୀ ଭିତରେ ପସି ପାରି ହେଉଛନ୍ତି ଛାତ୍ରଛାତ୍ରୀ। ନଦୀ ପାରି ହେବା ବେଳେ ଛାତ୍ରଛାତ୍ରୀଙ୍କ ଭରସା ଏକ ବିଦ୍ୟୁତ୍ ତାର। ଏହି ତାର ନଦୀ ଉପରେ ଏପାଖରରୁ ସେପାଖକୁ ଦୁଇ ଗଛରେ ବନ୍ଧା ଯାଇଛି। ନଦୀ ଭିତରକୁ ଝୁଲିଥିବା ଏହି ତାର ଧରି ଜଣଙ୍କ ପରେ ଜଣେ ଛାତ୍ର ନଦୀ ପାର ହେଉଛନ୍ତି। ଖାଲି ଛାତ୍ରଛାତ୍ରୀ ନୁହେଁ ସମ୍ପୂର୍ଣ୍ଣ ଅଞ୍ଚଳବାସୀ ଏହି ତାର ଭରସାରେ ନଦୀ ପାର ହେଉଛନ୍ତି। ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ଆଦିବାସୀ ଅଧ୍ୟୁଷିତ ବୁରାତାଲ ପଞ୍ଚାୟତ ଦେଇ ପ୍ରବାହିତ ମହେନ୍ଦ୍ରତନୟା ନଦୀର ଜାମୁଗଣ୍ଡ ଦେଇ ଏଭଳି ବିପଦପୂର୍ଣ୍ଣ ଯାତାୟତ କରୁଛନ୍ତି ସ୍କୁଲ, କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ।

ଏହି ଜାମୁଗଣ୍ଡ ଉପରେ ସେତୁ ନିର୍ମାଣ ନିମନ୍ତେ ହେଉଥିବା ସ୍ଥାନୀୟ ଲୋକଙ୍କ ଦାବିକୁ ସ୍ଥାନୀୟ ପ୍ରଶାସନ କିମ୍ବା ସରକାର ଗୁରୁତ୍ୱ ଦେଉନାହାନ୍ତି। ତେଣୁ ବିଶେଷ ଭାବ ବର୍ଷା ଦିନେ ସ୍ଥାନୀୟ ଅଞ୍ଚଳବାସୀ ଓ ଛାତ୍ରଛାତ୍ରୀ ଏଭଳି ନାକେଦମ ହେଉଛନ୍ତି। ବାହ୍ୟଜଗତରୁ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ବିଚ୍ଛିର୍ଣ୍ଣ ହୋଇଯାଇଥିବାରୁ ଲୋକେ ନାକେଦମ ହେଉଛନ୍ତି।

ଏଭଳି ଦୁର୍ଦ୍ଦଶା ଲାଗି ରହିଥିବା ଯୋଗୁ କମଳାଖତ ନୂଆଁସାହି, ଜେନାସାହି, ସାନ ଅଂଶୁପା, ବଡ ଅଂଶୁପା, ମୁଣ୍ଡେଇସିଙ୍ଗି, ମଇଁଷିଖତ, ବଡଚାଚର, କାଞ୍ଚିଗାଁ, କୁଶମଳା, ବଡ଼ ଅଞ୍ଜାଙ୍ଗୁଲି, ବିଲୁଗାଁ, ବାତ୍ରାସାହି, ସାନଗାଁ ପ୍ରମୁଖ ପ୍ରାୟ ୧୫ ଖଣ୍ଡରୁ ଅଧିକ ଗ୍ରାମବାସୀ ଦୁଃଖକଷ୍ଟରେ କାଳାତିପାତ କରୁଛନ୍ତି। ଏହି ନଦୀ ଡେଇଁଲେ ପାତ୍ରପୁର ବ୍ଲକ ତଥା ଏହି ଗ୍ରାମବାସୀଙ୍କୁ ନିଜ ପଞ୍ଚାୟତକୁ ଆସିବାକୁ ପାଖ ହେଉଛନ୍ତି।

ଗତ ଶୁକ୍ରବାର ଠାରୁ ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ମହେନ୍ଦ୍ରତନୟା ନଦୀରେ ପାଣି ଆସି ଯାଇଥିଲା। ଶନିବାର କମଳାଖତ ନୂଆଁସାହିର ପିଲାମାନେ ସକାଳେ ନଦୀ ମଧ୍ୟରେ ଥିବା ଜାମୁଗଣ୍ଡ ପାର ହୋଇ ପାଠ ପଢିବା ପାଇଁ ପୁରିଆସାହି ଯାଇଥିଲେ । ଫେରିବା ବେଳକୁ ନଦୀରେ ପାଣି ଆସିଯାଇଥିଲା। ସମସ୍ତ ଛାତ୍ରଛାତ୍ରୀ ନଦୀ ଆରପଟେ ରହି ଯାଇଥିଲେ।

ପିଲାମାନେ ଫେରିବାରେ ବିଳମ୍ବ ହେବାରୁ ଗ୍ରାମବାସୀ ଆସି ବିଦ୍ୟୁତ ତାର ବାନ୍ଧି ପିଲାମାନଙ୍କୁ ନଦୀ ପାର କରିଥିଲେ। ଏହାର ଭିଡ଼ିଓ ଭାଇରାଲ ହୋଇଛି। ଏଭଳି ପ୍ରତ୍ୟେକ ଦିନ ସ୍କୁଲ ପିଲାମାନେ ବିପଦପୂର୍ଣ୍ଣ ନଦୀ ପାର ହୋଇ ପାଠ ପଢିବାକୁ ଯାଉଛନ୍ତି। ବର୍ଷା ଦିନ ଆସିଲେ କେବଳ ଛାତ୍ରଛାତ୍ରୀ ନୁହନ୍ତି, ଏହି ନଦୀର ଆରପାରିରେ ଥିବା ଆଦିବାସୀ ଗ୍ରାମବାସୀମାନେ ରାସନ ଆଣିବା ଠାରୁ ଆରମ୍ଭ କରି ମେଡିକାଲ୍ ପର୍ଯ୍ୟନ୍ତ ପ୍ରତ୍ୟେକ କାମରେ ହିନସ୍ତା ହୋଇଥାନ୍ତି।

ହେଲେ ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଦୀର୍ଘ ସମୟ ଧରି ରହିଥିବା ସରକାର ଲୋକଙ୍କ ମୌଳିକ ସମସ୍ୟା ଦୂର କରିବାରେ ସଫଳ ହୋଇପାରୁନି। ଯାହା ପ୍ରଶାସନିକ କାର୍ଯ୍ୟକୁ ସମାଲୋଚନାକୁ ଆଣିଛି।

Related story