ଜଳସମ୍ପଦ ମନ୍ତ୍ରୀଙ୍କ ଷଡ଼ଯନ୍ତ୍ର: ସଂରକ୍ଷିତ ଆସନରେ ସାଧାରଣ ବର୍ଗର ପ୍ରାର୍ଥୀ, ସନ୍ଦେହରେ ନିର୍ବାଚନ କମିଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରିଥିବା ଶାସକ ବିଜେଡି ଏବେ ଜିଲ୍ଲା ପରିଷଦ ସଭ୍ୟ ଆସନ ପାଇଁ ସଂରକ୍ଷିତ ଆସନକୁ ବି ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଟେକି ଦେଇଛି। ଜଗତସିଂହପୁର ଜିଲ୍ଲା ବାଲିକୁଦାର ଦୁଇ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଆସନ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ହୋଇଥିଲେ ମଧ୍ୟ ବିଜେଡି ଏହି ଆସନରେ ଜଣେ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ନିଜର ଟିକେଟ୍ ଦେଇଛି । ବିଜେଡି […]

Jatadhari Das

Ordigital Desk
  • Published: Saturday, 22 January 2022
  • , Updated: 22 January 2022, 07:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବଂଚିତ କରିଥିବା ଶାସକ ବିଜେଡି ଏବେ ଜିଲ୍ଲା ପରିଷଦ ସଭ୍ୟ ଆସନ ପାଇଁ ସଂରକ୍ଷିତ ଆସନକୁ ବି ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଟେକି ଦେଇଛି। ଜଗତସିଂହପୁର ଜିଲ୍ଲା ବାଲିକୁଦାର ଦୁଇ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଆସନ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ହୋଇଥିଲେ ମଧ୍ୟ ବିଜେଡି ଏହି ଆସନରେ ଜଣେ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ନିଜର ଟିକେଟ୍ ଦେଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଏହି ସଂରକ୍ଷିତ ଜିଲ୍ଲା ପରିଷଦ ସଭ୍ୟ ଆସନ ପାଇଁ ଜଣେ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ କିଭଳି ଦଳୀୟ ଟିକେଟ୍ ପ୍ରଦାନ କରାଗଲା ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ରାଜ୍ୟ ନିର୍ବାଚନ କମିଶନରଙ୍କ ଭୂମିକା ମଧ୍ୟ ସନ୍ଦେହଘେରକୁ ଆସିଛି। ଏପରିକି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଘୁନନ୍ଦନ ଦାସଙ୍କ ଜାଣତରେ ଏଭଳି ଚଂଚକତା କରାଯାଇ ଅନୁସୂଚିତ ଜାତି ବର୍ଗଙ୍କୁ ହତାଦର ପାଇଁ ଷଡ଼ଯନ୍ତ୍ର ହୋଇଥିବା ଚର୍ଚ୍ଚା ହେଉଛି।

ମିଳିଥିବା ସୂଚନା ଅନୁସାରେ, ବାଲିକୁଦା ଦୁଇ ନମ୍ବର ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ପଦବୀ ଅନୁସୂଚିତ ଜାତି(ଏସସି) ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ ସଂରକ୍ଷିତ ରହିଛି । ଏହି ଆସନରୁ ସ୍ଥାନୀୟ ବିଧାୟକ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ନିଜର ଜଣେ ସମର୍ଥକ ଜଟାଧାରୀ ଦାସଙ୍କୁ ବିଜେଡି ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଜଟାଧାରୀଙ୍କୁ ଏହି ସଂରକ୍ଷିତ ଆସନ ପାଇଁ ଦଳୀୟ ଟିକେଟ ଦିଆଯାଇଥିଲେ ମଧ୍ୟ ସେ ଅନୁସୂଚିତ ଜାତି ବର୍ଗର ନୁହଁନ୍ତି ବୋଲି ଜଣାପଡ଼ିଛି ।

ଖୋଳତାଡ଼ରୁ ଜଣାପଡ଼ିଛି ଯେ,ଜଟାଧାରୀ ଦାସଙ୍କ ପିତା ଦିବାକର ଦାସ ଓ ତାଙ୍କ ପୂର୍ବପୁରୁଷମାନେ ହେଉଛନ୍ତି ‘କୈବର୍ତ୍ତ-ବୈଷ୍ଣବ’ ଜାତିର । ଏହି ଜାତି ‘ଅନୁସୂଚିତ ଜାତି’ବର୍ଗର ନୁହେଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ‘ଅନୁସୂଚିତ ଜାତି ଓ ଜନଜାତି ତାଲିକା’ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । କୈବର୍ତ୍ତ ସମୁଦାୟର ଦେୱର, ଧିବର,କେଉଟ,କୈବର୍ତ୍ତ ଜାତିକୁ ହିଁ ଅନୁସୂଚିତ ଜାତି ବର୍ଗ ଭାବେ ମାନ୍ୟତା ମିଳିଛି । କିନ୍ତୁ ଜଟାଧାରୀ ଚଂଚକତା କରି ନିଜର ଘରବାରି ପଟ୍ଟାରେ ଉଲ୍ଲେଖ ଥିବା ଜାତିରେ ‘କୈବର୍ତ୍ତ-ବୈଷ୍ଣବ’ରୁ ‘ବୈଷ୍ଣବ’କୁ ବାଦ୍ ଦେଇ କେବଳ ‘କୈବର୍ତ୍ତ’କୁ ଉଲ୍ଲେଖ କରାଇ ଜାତିଗତ ପ୍ରମାଣପତ୍ର ହାସଲ ନିମନ୍ତେ ୨୦୨୧ ଡିସେମ୍ବର ମାସରେ ସ୍ଥାନୀୟ ବାଲିକୁଦା ତହସିଲରେ ଆବେଦନ କରିଥିଲେ। ମାତ୍ର ଆମ୍ବଶାଳ ରାଜସ୍ୱ ନିରୀକ୍ଷକ ତାଙ୍କୁ ଏନେଇ ଜାତି ପ୍ରମାଣ ପତ୍ର ପାଇବାକୁ ହକଦାର ନୁହଁନ୍ତି ବୋଲି ଦର୍ଶାଇ ତାଙ୍କର ଆବେଦନକୁ ଖାରଜ କରି ଦେଇଥିଲେ।

ତେବେ ଏସବୁ ଜାଣି ମଧ୍ୟ ଜଟାଧାରୀଙ୍କୁ ‘ଅନୁସୂଚିତ ଜାତି’ ବର୍ଗ ପାଇଁ ସଂରକ୍ଷିତ ଆସନରୁ ପ୍ରାର୍ଥୀ କରିବାକୁ ଜଳସମ୍ପଦ ମନ୍ତ୍ରୀ ଶ୍ରୀ ଦାସ ନିଷ୍ପତ୍ତି ନେଇଥିଲେ । ତାଙ୍କ ସୁପାରିଶରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ମଧ୍ୟ ଜଟାଧାରୀଙ୍କୁ ଦଳୀୟ ଟିକେଟ୍ ଦେଇଥିବା ଜଣାପଡ଼ିଛି । ଶେଷଦିନରେ ଜଟାଧାରୀ ନାମାଙ୍କନ ପତ୍ର ସହ ଯେଉଁ ସତ୍ୟପାଠ ଓ ଜାତି ପ୍ରମାଣପତ୍ର ଦାଖଲ କରିଛନ୍ତି ସେଥିରେ ୧୯୯୬ ଜୁଲାଇ ୩ ତାରିଖରେ ବାଲିକୁଦା ତହସିଲ ଦ୍ୱାରା ଜାରି ହୋଇଥିବା ଜାତି ପ୍ରମାଣପତ୍ର ଦେଇଛନ୍ତି। ସେଥିରେ ଜଟାଧାରୀଙ୍କ ଜାତିି ‘କେଉଟ-ଦେୱର’ ଉଲ୍ଲେଖ ରହିଛି ।

ଶାସକ ଦଳର ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନ ଅଧିକାରୀ(ଉପଜିଲ୍ଲାପାଳ) ଚାପଗ୍ରସ୍ତ ହୋଇ ନିଜର ଅସହାୟତା ପ୍ରକଟ କରିଥିବା ଜଣାପଡ଼ିଛି । ବିଜେଡି ପ୍ରାର୍ଥୀ ଜଟାଧାରୀ ଦାସ ମିଥ୍ୟା ସତ୍ୟପାଠ ଦାଖଲ କରି ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ର ଧାରା-୩୩(୪)କୁ ସିଧାସଳଖ ଉଲ୍ଲଘଂନ କରିଥିଲେ ମଧ୍ୟ ନିର୍ବାଚନ ଅଧିକାରୀ ନିରବ ରହିବା ଜଳସମ୍ପଦ ମନ୍ତ୍ରୀ ଓ ଶାସକ ଦଳର ହୀନ ରାଜନୀତିକୁ ପଦାରେ ପକାଇଛି ।

ମାତ୍ର ପ୍ରଶ୍ନ ଉଠୁଛି, ଜଟାଧାରୀଙ୍କ ପିତା ଦିବାକର ଓ ତାଙ୍କ ପୂର୍ବପୁରୁଷମାନେ ‘କୈବର୍ତ୍ତ-ବୈଷ୍ଣବ’ ଜାତିର ବୋଲି ଘରବାରି ପଟ୍ଟାରେ ଉଲ୍ଲେଖ ଥିବାବେଳେ ଜଟାଧାରୀଙ୍କ ଜାତି କିଭଳି ‘କେଉଟ-ଦେୱର’ ପାଲଟି ଗଲା? ଜଟାଧାରୀ ଯଦି ଅନୁସୂଚିତ ଜାତିି ବର୍ଗର ତା’ହେଲେ ସେ ସଦ୍ୟ ଜାତିଗତ ପ୍ରମାଣପତ୍ର କାହିଁକି ଦାଖଲ ନକରି ୧୯୯୬ ମସିହାରେ ହାତରେ ଲିଖିତ ଏକ ସାର୍ଟିଫିକେଟ୍ ଦେଇଛନ୍ତି । ଏହି ଜାଲ ପ୍ରମାଣପତ୍ର ସେ ପାଇଲେ କେଉଁଠୁ? ଆଉ ଜଳସମ୍ପଦ ମନ୍ତ୍ରୀ ଏସବୁ ଜାଣି ମଧ୍ୟ ନିଜ ଦଳର ମୁଖିଆ ନବୀନ ପଟ୍ଟନାୟକଙ୍କୁ କାଠଗଡ଼ାରେ ଛିଡ଼ା କରାଇ ଅପମାନିତ ପାଇଁ କିଭଳି ସାହାସ କଲେ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି?

ଆଜି ନାମାଙ୍କନପତ୍ର ଯାଂଚବେଳେ ଉକ୍ତ ଆସନରୁ ସ୍ୱାଧୀନ ପ୍ରାର୍ଥୀ ବାଦଲ ମଲ୍ଲିକ ଓ କଂଗ୍ରେସ ପ୍ରାର୍ଥୀ ଶରତ କୁମାର ସାହୁ ଏହି ଅନିୟମିତତା ଓ ଜାଲିଆତି ସମ୍ପର୍କରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଥିଲେ । କିନ୍ତୁ ଶାସକ ଦଳର ପ୍ରାର୍ଥୀ ହୋଇଥିବାରୁ ନିର୍ବାଚନ ଅଧିକାରୀ(ଉପଜିଲ୍ଲାପାଳ) ଚାପଗ୍ରସ୍ତ ହୋଇ ନିଜର ଅସହାୟତା ପ୍ରକଟ କରିଥିବା ଜଣାପଡ଼ିଛି । ବିଜେଡି ପ୍ରାର୍ଥୀ ଜଟାଧାରୀ ଦାସ ମିଥ୍ୟା ସତ୍ୟପାଠ ଦାଖଲ କରି ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ର ଧାରା-୩୩(୪)କୁ ସିଧାସଳଖ ଉଲ୍ଲଘଂନ କରିଥିଲେ ମଧ୍ୟ ନିର୍ବାଚନ ଅଧିକାରୀ ନିରବ ରହିବା ଜଳସମ୍ପଦ ମନ୍ତ୍ରୀ ଓ ଶାସକ ଦଳର ହୀନ ରାଜନୀତିକୁ ପଦାରେ ପକାଇଛି ।

ଆଇନରେ ଥିବା ପ୍ରାବଧାନ ଅନୁସାରେ, ଯଦି ନାମାଙ୍କନ ପତ୍ର ଦାଖଲବେଳେ କୌଣସି ପ୍ରାର୍ଥୀ ଉଦ୍ଦେଶ୍ୟମୂଳକ ଭାବେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବେ, ତେବେ ତାଙ୍କୁ ୬ମାସ ଜେଲ ଓ ଜୋରିିମାନାରେ ଦଣ୍ଡିତ ହେବାକୁ ପଡ଼ିବ । ଜଟାଧାରୀଙ୍କୁ ମିଥ୍ୟା ସତ୍ୟପାଠ ଓ ଜାତି ପ୍ରମାଣପତ୍ରରେ ଚଂଚକତା ପାଇଁ ଦଣ୍ଡିତ କରିବା ସହ ତାଙ୍କର ପ୍ରାର୍ଥୀପତ୍ରକୁ ଖାରଜ କରି ଅନୁସୂଚିତ ଜାତି ବର୍ଗଙ୍କୁ ସେମାନଙ୍କ ଅଧିକାର ଦିଆଯାଉ ବୋଲି ସାଧାରଣରେ ଦାବି ହୋଇଛି ।

Related story