ସିକ୍ୟୁରିଟି ଗାର୍ଡଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ୍ ଥାନା ଅନ୍ତର୍ଗତ ଅଶୋକ ନଗରରେ ଏକ ନିର୍ମାଣାଧୀନ କୋଠାରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି। ମୃତ ସିକ୍ୟୁରିଟି ଗାର୍ଡଙ୍କ ନାଁ ସନ୍ତୋଷ କୁମାର ରାଉତ। ତାଙ୍କୁ ୩୨ ବର୍ଷ ହୋଇଥିଲା। ତାଙ୍କ ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଛଚିନାରେ। ସେ ମାସେ ହେଲା ଅଶୋକ ନଗରର […]

Building

Jitendra Garnayak
  • Published: Sunday, 01 May 2022
  • , Updated: 01 May 2022, 12:27 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ୍ ଥାନା ଅନ୍ତର୍ଗତ ଅଶୋକ ନଗରରେ ଏକ ନିର୍ମାଣାଧୀନ କୋଠାରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି।

ମୃତ ସିକ୍ୟୁରିଟି ଗାର୍ଡଙ୍କ ନାଁ ସନ୍ତୋଷ କୁମାର ରାଉତ। ତାଙ୍କୁ ୩୨ ବର୍ଷ ହୋଇଥିଲା। ତାଙ୍କ ଘର ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଛଚିନାରେ। ସେ ମାସେ ହେଲା ଅଶୋକ ନଗରର ଏହି ନିର୍ମାଣାଧୀନ କୋଠାରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ।

ତାଙ୍କ କାନ, ମୁହଁରେ ଆଘାତ ଲାଗିଥିବା ବେଳେ ବହୁତ ରକ୍ତସ୍ରାବ ହୋଇଥିଲା। ତେବେ କେଉଁ ପରିସ୍ଥିତିରେ ତାଙ୍କ ସହିତ ଏମିତି ଏକ ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇନି।

ଗତକାଲି ତାଙ୍କ ସହିତ ଡ୍ୟୁଟିରେ ଥିବା ତାଙ୍କର ଜଣେ ସାଥୀ ଜୟଦେବ ସ୍ୱାଇଁ କହିଛନ୍ତି, ଆମେ (ସେ ଓ ତାଙ୍କର ଦୁଇ ସିକ୍ୟୁରିଟି ସାଥୀ) ଖାଇବାକୁ ଗଲା ବେଳେ ତାଙ୍କୁ ଡାକିଥିଲୁ। କିନ୍ତୁ ସେ ମନା କରିଥିଲେ। ସେ କହିଥିଲେ, ‘ଗେଟ୍ ପାଖରେ କେହି ନାହାନ୍ତି। ତେଣୁ ତୁମେ ମାନେ ଆସିଲେ ମୁଁ ଖାଇବାକୁ ଯିବି।’ ସେତେବେଳେ ଗେଟ୍ ପାଖରେ ତାଙ୍କ ସହିତ ଆଉ ଜଣ ଲୋକ ମଧ୍ୟ ଥିଲେ। ଏହା ପରେ ଆମେ ଖାଇବାକୁ ଚାଲିଗଲୁ। ମୋର ଖାଇବା ଆଗ ସରିଗଲା। ଏହା ପରେ ମୁଁ ତାଙ୍କୁ ଡାକିବାକୁ ଆସିଥିଲି। କିନ୍ତୁ ଯେଉଁ ଜାଗାରେ ସେ ବସନ୍ତି, ସେଠାରେ ନଥିଲେ। ସେଠାରୁ କିଛି ଦୂରରେ ସେ ପଡ଼ିଥିଲେ। ଏହା ପରେ ମୁଁ ଅନ୍ୟମାନଙ୍କୁ ଡାକିଥିଲି। ଆମେ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲୁ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି। ସେହିଭଳି ଉକ୍ତ କୋଠାରେ ଲାଗିଥିବା ସିସିଟିଭିକୁ ପୁଲିସ୍ ଜବକ କରିଛି। ଗତକାଲି ରାତି ପ୍ରାୟ ୧୧ଟା ବେଳେ ସେଠାରେ କ’ଣ ଘଟିଥିଲା, ତାହା ଉକ୍ତ ସିସିଟିଭିରେ କଏଦ୍ ହୋଇଥିବ ବୋଲି ଆଶା କରାଯାଉଛି।
https://youtu.be/UBwyuoNG19c

Related story