ପୋଖରୀରେ ବୁଡ଼ି ଗଲା ୬ ବର୍ଷର ଶିଶୁ

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ପୋଖରୀରେ ବୁଡ଼ି ଏକ ୬ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଳକ ଚାରମାଳ ଥାନା ସରପାଲ ଗାଁରେ।

ମୃତ ଶିଶୁ କନ୍ୟାଙ୍କ ନାଁ ସିନୁ ପ୍ରଧାନ। ତାଙ୍କ ଘର ଅନୁଗୋଳ ଜିଲ୍ଲା ଝିଣ୍ଟିପାଲି ଗାଁରେ। ତାଙ୍କ ବାପାଙ୍କ ନାଁ ବସନ୍ତ ପ୍ରଧାନ।

ପ୍ରଥମ ଶ୍ରେଣୀରେ ପଢୁଥିଲେ ସିନୁ। ଦୁଇ ଦିନ ତଳେ ସରପାଲରେ ରହୁଥିବା ତାଙ୍କ ମାଉସୀ ଘରକୁ ସେ ଯାଇଥିଲେ। ଆଜି ମାଉସୀ ରୀନା ପ୍ରଧାନଙ୍କ ସହ ସେ ଗାଁ ପୋଖରୀକୁ ଯାଇଥିଲେ। ଅସାବଧାନତା ହେତୁ ସିନୁ ପୋଖରୀରେ ବୁଡ଼ି ଯାଇଥିଲେ।

ସୂଚନା ଅନୁଯାୟୀ, ସିନୁ ପାଣିରେ ପଶିଥିବା କଥା ତାଙ୍କ ମାଉସୀ ଜାଣିପାରି ନଥିଲେ। ସେ ଭାବିଥିଲେ ସିନୁ ଘରକୁ ଚାଲି ଯାଇଛନ୍ତି। ତେଣୁ ସେ ଘରେ ଯାଇ ଖୋଜାଖୋଜି କଲେ। ହେଲେ ସିନୁ ମିଳିଲେ ନାହିଁ। ଏହା ପରେ ଗାଁ ଲୋକଙ୍କ ସହାୟତାରେ ପଖୋରୀରେ ଖୋଜାଖୋଜି କଲା ପରେ ସିନୁଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ରେଢ଼ାଖୋଲ ଡାକ୍ତରଖାନାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ଚାରମାଳ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।