ଓଡ଼ିଶା ଫେରନ୍ତାଙ୍କ ପାଇଁ ସ୍ୱତନ୍ତ୍ର ୱେବସାଇଟ୍, ଆରମ୍ଭରୁ ହୋଇପାରୁନି ପଞ୍ଜିକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବାହାର ରାଜ୍ୟରୁ ଫେରିବାକୁ ଇଚ୍ଛୁକ ଶ୍ରମିକମାନଙ୍କର ପଞ୍ଜିକରଣକୁ ବାଧ୍ୟତାମୂଳକ କରିଥିବା ରାଜ୍ୟ ସରକାର ଆଜି ଏକ ସ୍ୱତନ୍ତ୍ର ୱେବପୋର୍ଟାଲକୁ କାର୍ଯ୍ୟକ୍ଷମ କରିଛନ୍ତି। ମାତ୍ର ବୈଷୟିକ ତ୍ରୁଟି ଯୋଗୁ ଏଥିରେ ପଞ୍ଜିକରଣ ସମ୍ଭବପର ହୋଇପାରୁନଥିବା ଜଣାପଡ଼ିଛି। ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ଅପରାହ୍ନରେ ସୋଶାଲ ମିଡିଆ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଲକଡାଉନ ପରେ ଯେଉଁମାନେ ଓଡ଼ିଶା ଫେରିବାକୁ ଚାହୁଁଥିବେ ସେମାନଙ୍କୁ ସମସ୍ତଙ୍କୁ […]

corona

Manoranjan Sial
  • Published: Friday, 24 April 2020
  • , Updated: 24 April 2020, 06:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବାହାର ରାଜ୍ୟରୁ ଫେରିବାକୁ ଇଚ୍ଛୁକ ଶ୍ରମିକମାନଙ୍କର ପଞ୍ଜିକରଣକୁ ବାଧ୍ୟତାମୂଳକ କରିଥିବା ରାଜ୍ୟ ସରକାର ଆଜି ଏକ ସ୍ୱତନ୍ତ୍ର ୱେବପୋର୍ଟାଲକୁ କାର୍ଯ୍ୟକ୍ଷମ କରିଛନ୍ତି। ମାତ୍ର ବୈଷୟିକ ତ୍ରୁଟି ଯୋଗୁ ଏଥିରେ ପଞ୍ଜିକରଣ ସମ୍ଭବପର ହୋଇପାରୁନଥିବା ଜଣାପଡ଼ିଛି।

ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଆଜି ଅପରାହ୍ନରେ ସୋଶାଲ ମିଡିଆ ମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଲକଡାଉନ ପରେ ଯେଉଁମାନେ ଓଡ଼ିଶା ଫେରିବାକୁ ଚାହୁଁଥିବେ ସେମାନଙ୍କୁ ସମସ୍ତଙ୍କୁ ‘covid19.odisha.gov.in’ ୱେବପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡ଼ିବ। ସରକାରଙ୍କ ଏହି ୱେବପୋର୍ଟାଲ କାର୍ଯ୍ୟକ୍ଷମ ହୋଇଥିବା ସମ୍ପର୍କରେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସୂଚନା ପରେ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରିବାକୁ ଚାହୁଁଥିବା ଲୋକମାନେ ପଞ୍ଜିକରଣ କରିବାକୁ ଆଗ୍ରହ ଦେଖାଇଥିଲେ। କିନ୍ତୁ ଏହି ୱେବସାଇଟ୍ ଏବେ ‘ଅଣ୍ଡର ମେଣ୍ଟେନାନ୍ସ’ ବୋଲି ଲେଖାଯାଉଛି। ରାଜ୍ୟର ପ୍ରାୟ ସାଢ଼େ ୭ଲକ୍ଷ ଓଡ଼ିଆ ଏବେ ବାହାର ରାଜ୍ୟରେ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୫ଲକ୍ଷ ଲୋକ ଲକଡାଉନ ପରେ ଓଡ଼ିଶା ଫେରିବେ ବୋଲି ସରକାର ଆକଳନ କରିଛନ୍ତି। ଅନ୍ୟ ରାଜ୍ୟରୁ ଫେରୁଥିବା ଓଡ଼ିଆଙ୍କୁ ବାଧ୍ୟତାମୂଳକ ୧୪ଦିନ କ୍ୱାରେଣ୍ଟାଇନ ରହିବା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହି କାରଣରୁ ଉକ୍ତ ୱେବପୋର୍ଟାଲ ସହ ପଂଚାୟତ କାର୍ଯ୍ୟାଳୟରେ ମଧ୍ୟ ପଞ୍ଜିକରଣ ସୁବିଧା କରାଯାଇଛି। ତେବେ ଲକଡାଉନ୍ ଯୋଗୁ ଲୋକମାନେ ଘରେ ରହୁଥିବାରୁ ଅନଲାଇନରେ ପଞ୍ଜିକରଣ ନିମନ୍ତେ ଅଧିକ ଆଗ୍ରହ ଦେଖାଉଛନ୍ତି। ମାତ୍ର ସରକାରଙ୍କ ଉକ୍ତ ୱେବପୋର୍ଟାଲରେ ଆଜି ପଞ୍ଜିକରଣ ସମ୍ଭବପର ହୋଇପାରିନି।

ସୂଚନାଯୋଗ୍ୟ, ଲକଡାଉନ୍ ପରେ ଭାରତର ଅନ୍ୟ ରାଜ୍ୟରୁ ଯେକୌଣସି ଉପାୟ (ବିମାନ/ଟ୍ରେନ/ସଡ଼କ) ମାଧ୍ୟମରେ ଓଡ଼ିଶାକୁ ଫେରିବାକୁ ଥିବା ସମସ୍ତ ବ୍ୟକ୍ତି ଏକ ନିର୍ଦ୍ଧାରିତ ଫର୍ମରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ। ଏହା ବ୍ୟତୀତ ଯେଉଁମାନେ ବିଦେଶକୁ ବୁଲିବାକୁ ଯାଇ ସେଠାରେ ଅଟକି ରହିଛନ୍ତି ସେମାନେ ଟୋଲ ଫ୍ରିି ନମ୍ବର-୧୦୪କୁ ଫୋନ୍ କରି ସହାୟତା ନେଇପାରିବେ ବୋଲି କୁହାଯାଇଛି।

Related story