ଖାଦ୍ୟ ପାର୍ସଲ ଦେବାକୁ ଯାଉଥିଲେ ଯୁବକ, ପଡ଼ିଲା ପାଚେରି

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା ): ଠିକଣା ଜାଗାରେ ଖାଦ୍ୟ ପାର୍ସଲ ପହଞ୍ଚାଇବାକୁ ବର୍ଷା, ଘଡ଼ଘଡ଼ି ରାତିରେ ବାହାରିଥିଲେ ଯୁବ ହୋଟେଲ ବ୍ୟବସାୟୀ। ହେଲେ ବାଟରେ ଛକି ରହିଥିଲା ଯମ । ହଠାତ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲର  ବିରାଟ ପାଚେରି  ଭୁଶୁଡ଼ି ଯୁବ ହୋଟେଲ ବ୍ୟବସାୟୀଜଣକ ଆଖି ବୁଜିଛନ୍ତି। ଏପରି ଦୁଃଖଦ ଘଟଣା ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲାରେ ଘଟିଛି। ମୃତକ ହେଲେ ଅନୀଲ କୁମାର ଚୌଧୁରୀ ।

ଅନୀଲ ଚୌଧୁରୀ ଦୀର୍ଘ ବର୍ଷ ହେଲା କୋରାପୁଟ ସହରରେ ଚୌଧୁରୀ ପ୍ଲାଜା ନାମରେ ଏକ ହୋଟେଲ ଖୋଲିଛନ୍ତି। ଗତ ରାତିରେ କୋରାପୁଟ ସହରରେ ପ୍ରବଳ ବର୍ଷା ହେବା ସହ ଘଡ଼ଘଡ଼ି, ବିଜୁଳି ବି ମାରୁଥିଲା। ଏହି ସମୟରେ ଫୁଡ୍‌ ଡେଲିଭରି ଦେବାକୁ ଅନୀଲ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ରାସ୍ତା ଦେଇ ଯାଉଥିଲେ। ଏହି ସମୟରେ ବିରାଟ ପାଚେରିଟି ତାଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ଫଳରେ ଗାଡ଼ି ସହ ସେ ପାଚେରି ତଳେ ଚାପି ହୋଇ ଯାଇଥିଲେ ।

wall
ଭୁଶୁଡ଼ି ପଡ଼ିଛି ପାଚେରି ।

ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଛି।

ମେଡିକାଲ ପାଚେରି ନିକଟରେ ଦିଲ୍ଲୀପ କୁମାର ଲେଙ୍କାଙ୍କର ଏକ କାର୍‌ ଥିବା ବେଳେ ପାଚେରି ପଡ଼ି ତାହା ମଧ୍ୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।