କଟକ: ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା ପିପିଲି ଗଣବଳାତ୍କାର ତଦନ୍ତ କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ପ୍ରଦ୍ୟୁମ୍ନ କୁମାର ମହାନ୍ତିଙ୍କ ଘରେ ସଶସ୍ତ୍ର ଡକାୟତି। କଟକ ସ୍ଥିତ ସିଡିଏ ସେକଟର ଇଲେଭେନରେ ଥିବା ଜଷ୍ଟିସ୍ ପି.କେ. ମହାନ୍ତିଙ୍କ ଘରେ ଗତକାଲି ରାତିରେ ୬ରୁ ୭ଜଣ ଡକାୟତ ପଶି ଲକ୍ଷାଧିକ ଟଙ୍କ।ର ସୁନାଗହଣା ଓ ତାଙ୍କର ଏକ କାରକୁ ମଧ୍ୟ ଲୁଟି ନେଇଛନ୍ତି। ଡକାୟତମାନେ ପ୍ରଥମେ ଘରେ ପଶି ପରିବାର ଲୋକଙ୍କ ହାତଗୋଡ଼ ବାନ୍ଧି ଲୁଟପାଟ୍ କରିଥିଲେ। ଏହା ପରେ କାର ଚାବି ମାଗିଥିଲେ, ତେବେ ଚାବି ଦେବାରୁ ଜଷ୍ଟିସ୍ ମହାନ୍ତି ଅମଙ୍ଗ ହେବାରୁ ତାଙ୍କୁ ମାରଣାସ୍ତ୍ର ଦେଖାଇ ହତ୍ୟା ଧମକ ଦେଇଥିଲେ। ଭୟରେ ସେ ଚାବି ଦେବା ପରେ ଲୁଟ୍ ସାମଗ୍ରୀ ସହ ଡକାୟତମାନେ କାର ଧରି ଚମ୍ପଟ ମାରିଥିଲେ। ଜଷ୍ଟିସ୍ ମହାନ୍ତିଙ୍କ କହିବାନୁସାରେ ଦୁର୍ବୃତ୍ତମାନେ ଓଡ଼ିଆ, ବଙ୍ଗଳା ଓ ତାମିଲ ଭାଷାରେ କଥାବାର୍ତ୍ତା ହେଉଥିଲେ। ଖବର ପାଇ ପୋଲିସ ଡିଜି ସଞ୍ଜିବ ମାରିକ୍ ଘଟଣାସ୍ଥଳକୁ ଯାଇ ବୁଲି ଦେଖିଛନ୍ତି। ଡିଜିପି କହିଛନ୍ତି ଏହି ଘଟଣାରେ ପେଷାଦାର ଡକାୟତ ସଂପୃକ୍ତ। କଟକରେ ଏଭଳି ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆଜି ସନ୍ଧ୍ୟାରେ ଏନେଇ ଏକ ସମୀକ୍ଷା କରାଯିବ। ସେପଟେ ଘଟଣାର କିଛି ଘଣ୍ଟା ପରେ ଭୁବନେଶ୍ୱର ରସୁଲଗଡ଼ ଛକ ନିକଟରୁ ଜଷ୍ଟିସ୍ ମହାନ୍ତିଙ୍କ କାରକୁ ଠାବ କରାଯାଇଥିବା ସୂଚନା ମିଳିଛି। ତାସହ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍।