କଟକ(ଓଡ଼ିଶା ରିପୋର୍ଟର): ପାରିବାରିବ ବିବାଦରେ ଫସିଥିବା ଓଲିଉଡ ଅଭିନେତା ବାବୁଶାନ ମହାନ୍ତିଙ୍କୁ ଗିରଫ ଭୟ ଘାରିଛି। ଏଥିପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ଆବେଦନ କରିଛନ୍ତି। ପତ୍ନୀ ତୃପ୍ତି ଶତପଥୀଙ୍କ ପକ୍ଷରୁ ଦାଏର ମାମଲାରେ ଅଭିଯୁକ୍ତ ଅଛନ୍ତି ବାବୁଶାନ। ତାଙ୍କ ନାଁରେ ଦଫା ୪୯୮(କ), ୫୦୬ରେ ମାମଲା ହୋଇଛି। ତେଣୁ ପୁଲିସ ତାଙ୍କୁ କୌଣସି ବି ମୁହୂର୍ତ୍ତରେ ଗିରଫ କରିପାରେ ବୋଲି ଆଶଙ୍କା କରାଯାଉଛି।
ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସହ ସମ୍ପର୍କ ରଖିଥିବା ବାବୁଶାନଙ୍କ ବିରୋଧରେ ପତ୍ନୀ ତୃପ୍ତି ଶତପଥୀ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବାବୁଶାନଙ୍କ ବ୍ୟତୀତ ସେ ପ୍ରକୃତି ମିଶ୍ରଙ୍କ ନାଁରେ ମଧ୍ୟ ଏଫଆଇଆର ଦେଇଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତିକରି କମିଶନରେଟ୍ ପୁଲିସ ଦଫା ୪୯୮(କ) ଓ ୫୦୬ରେ ମାମଲା ରୁଜୁ କରି ବାବୁଶାନ ଓ ପ୍ରକୃତିଙ୍କୁ ହାଜର ହେବା ପାଇଁ ନୋଟିସ୍ କରିଥିଲା। ପରବର୍ତ୍ତୀ ଅବସ୍ଥାରେ ପୁଲିସ୍ ପ୍ରକୃତିଙ୍କ ଘରକୁ ଯାଇ ତାଙ୍କୁ ୧ ଘଣ୍ଟା କାଳ ଜେରା କରିଥିଲା। ହେଲେ ବାବୁଶାନ ପୁଲିସ୍ ନିକଟରେ ହାଜର ହୋଇ ନଥିଲେ। ଶନିବାର ଠାରୁ ଚେନ୍ନାଇରେ ରହିଥିଲେ। ବିବାଦ ବଢ଼ୁଥିବାରୁ ଆଜି ସକାଳେ ସେ ଭୁବନେଶ୍ୱରରେ ପହଞ୍ଚିଥିଲେ। କିନ୍ତୁ ପୁଲିସ ନିକଟରେ ହାଜର ହୋଇ ପକ୍ଷ ରଖିନାହାନ୍ତି। ବାବୁଶାନଙ୍କ ବିରୋଧରେ ଘରୋଇ ହିଂସା ଓ ଧମକ ଦେବା ଭଳି ଅଭିଯୋଗ ଥିବାରୁ ତାଙ୍କୁ ଜେରା ବେଳେ ପୁଲିସ ଗିରଫ ଦେବାର ଆଶଙ୍କା ରହିଛି। ତେଣୁ ସେ ଗିରଫଦାରୀରୁ ବର୍ତ୍ତିବା ପାଇଁ ଆଜି ସନ୍ଧ୍ୟାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।