ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ତଦନ୍ତ ପାଇଁ ଆଜି ନୟାଗଡ଼ରେ ପହଞ୍ଚିଛନ୍ତି ରାଜ୍ୟ ପୁଲିସ୍ର ଆଇନଶୃଙ୍ଖଳା ଏଡିଜି ଯଶୋବନ୍ତ ଜେଠଓ୍ୱା । କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଅତିରିକ୍ତ ଦାୟିତ୍ୱ ନେଇ ପରୀ ହତ୍ୟା ମାମଲା ତଦନ୍ତର ତଦାରଖ କରିବାକୁ ନୟାଗଡ଼ରେ ପହଞ୍ଚିଛନ୍ତି ଜେଠଓ୍ୱା । କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଅସୁସ୍ଥ ଥିବାରୁ ଜେଠଓ୍ୱା ତଦନ୍ତର ତଦାରଖ କରୁଛନ୍ତି ।
ଗତକାଲିଠାରୁ ନୟାଗଡ଼ରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍ ପହଞ୍ଚି ଘଟଣାର ତଦନ୍ତ କରୁଛି । ଜେଠଓ୍ୱା ଆଜି ସେହି ଟିମ୍ ଓ ନୟାଗଡ଼ ଏସ୍ପିଙ୍କ ସହ ଆଲୋଚନା କରିବେ ।
ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ବିଧାନସଭା ଆଗରେ ପରୀର ବାପାମା’ ଆତ୍ମାହୁତି ଉଦ୍ୟମ କରିଥିଲେ । ଏହାକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିଲା । ପରୀର ବାପା ମା’ ଘଟଣା ପାଇଁ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ଦାୟୀ କରିଥିବାରୁ ମନ୍ତ୍ରୀଙ୍କୁ ବହିଷ୍କାର କରିବା ଲାଗି ବିରୋଧୀ ନିଜ ଜିଦ୍ରେ ଅଟଳ ରହିଛନ୍ତି। ଏହାପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।
କିନ୍ତୁ ବିରୋଧୀ ଏହି ଘଟଣାର SIT ତଦନ୍ତ ଦାବି କରୁଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ SIT ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଗୃହ କାର୍ଯ୍ୟରେ ସାମିଲ ହେବାକୁ ସମସ୍ତ ବିରୋଧୀଙ୍କୁ ଅନୁରୋଧ କରିଛନ୍ତି।