କଟକ (ଓଡ଼ିଶା ରିପୋର୍ଟର): ‘ଯଦି ବାଡ଼ କ୍ଷେତ ଖାଇ ଦେଲା, ତା’ହେଲେ କିଛି କରି ହେବ ନାହିଁ। ଏଠି ପୁଲିସ୍ର ଦାୟିତ୍ୱ ହେଉଛି ଉପଯୁକ୍ତ ତଦନ୍ତ କରିବା। ପୁଲିସ୍ ଯଦି ନିଜେ ପ୍ରମାଣ ନଷ୍ଟ କରିବ, ତା’ହେଲେ କିଛି ହେବ ନାହିଁ। ଆଇନ କାନୁନ ସମାଜରୁ ନଷ୍ଟ ହୋଇଯିବ। ଶେଷରେ ‘ଫ୍ୟାକ୍ଟ ଟ୍ରୁ, ନୋ କ୍ଲୁ’ ହୋଇଯିବ।’ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରାଙ୍କୁ ପୁଲିସ୍ କ୍ଲିନ୍ଚିଟ୍ ଦେବା ପ୍ରସଙ୍ଗରେ ଏହିଭଳି ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟଙ୍କ ପରିବାରର ଓକିଲ ପାର୍ଥସାରଥୀ ନାୟକ।
ସେ କହିଛନ୍ତି, ଦୁଇଟି କଥା କହି ଡିଏଫ୍ଓଙ୍କୁ କ୍ଲିନ୍ଚିଟ୍ ଦିଆଯାଇଛି। ଗୋଟିଏ ହେଉଛି- ଡିଏଫ୍ଓ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ଯିବାଆସିବା କରିବା ନେଇ ସେହି କ୍ୟାମ୍ପସରେ ରହୁଥିବା କୌଣସି ଲୋକ କେବେ ଦେଖି ନାହାନ୍ତି। ଦ୍ୱିତୀୟଟି ହେଉଛି- ସିଡିଆର୍ (କଲ୍ ଡିଟେଲ୍ ରେକର୍ଡ) ଯାଞ୍ଚରୁ ଡିଏଫ୍ଓ ଓ ବିଦ୍ୟାଭାରତୀ (ମୃତ ସୌମ୍ୟଙ୍କ ପତ୍ନୀ)ଙ୍କ ମଧ୍ୟରେ ସଂପର୍କ ଥିବା ନେଇ କିଛି ମିଳିଲା ନାହିଁ। କିନ୍ତୁ ପ୍ରଥମ କଥା ହେଉଛି, ସେହି କ୍ୟାମ୍ପସରେ ଯେତେ କର୍ମଚାରୀ ରହନ୍ତି, ସମସ୍ତେ ହେଉଛନ୍ତି ଡିଏଫ୍ଓଙ୍କ କର୍ମଚାରୀ। ସମସ୍ତେ ତାଙ୍କ ଅଧୀନରେ କାମ କରନ୍ତି। ତେଣୁ ସେ ସୌମ୍ୟଙ୍କ ବାସଭବନକୁ ଯିବାଆସିବା କରିବାର କେହି ଦେଖିଥିଲେ ବି ତାଙ୍କ ବିରୋଧରେ କିଛି କହିବେ ନାହିଁ। ଯେତେ ଦିନ ପର୍ଯ୍ୟନ୍ତ ଡିଏଫ୍ଓ ସେଠାରେ ଅଛନ୍ତି, କେହି ତାଙ୍କ ବିରୋଧରେ କହିବେ ନାହିଁ। କାହାର ଚାକିରିକୁ ଭୟ ନାହିଁ?
ଓକିଲ ଶ୍ରୀ ନାୟକ କହିଛନ୍ତି, ସିଡିଆର୍ କଥା କହୁଛନ୍ତି। ତାକୁ ପଛକୁ ରଖନ୍ତୁ। ଡିଏଫ୍ଓ ଓ ମୃତ ଏସିଏଫ୍ ଗୋଟିଏ କ୍ୟାମ୍ପସରେ ରହୁଥିଲେ। ଡିଏଫ୍ଓ ଯେଉଁ ବଙ୍ଗଳାରେ ରହୁଛନ୍ତି, ତା’ର ପଛ ଗେଟ୍ ରହିଛି ସୌମ୍ୟଙ୍କ ଘରର ସାମ୍ନାରେ। ସେଠି ଗୋଟିଏ ଛୋଟ ଗେଟ୍ ଲାଗିଛି ଓ ସେ ଗେଟ୍ରେ ତାଲା ପଡ଼େ ନାହିଁ। ଯଦି ବରାବର ଯିବାଆସିବା ହେଉଥିବ, ତା’ହେଲେ ଫୋନ୍ରେ କଥାବାର୍ତ୍ତା ହେବାର ଆବଶ୍ୟକତା କାହିଁକି ରହିବ?
ଯଦି ଡିଏଫ୍ଓ ଓ ବିଦ୍ୟାଭାରତୀ ମୋବାଇଲ୍ ଫୋନ୍ରେ କଥାବାର୍ତ୍ତା ହେଉଥିଲେ, ତା’ହେଲେ କେବେ ଆଶା କରାଯାଇପାରିବ କି ସେମାନେ ସମସ୍ତେ ଜାଣିଥିବା ନମ୍ବରରେ କଥା ହେଉଥିବେ? ତେଣୁ ସେ ଦୁହିଁଙ୍କର ସମସ୍ତେ ଜାଣିଥିବା ନମ୍ବରକୁ ଯାଞ୍ଚ କଲେ ସେଥିରୁ କିଛି ମିଳିବ କି? ଯଦି ସେମାନଙ୍କ ମଧ୍ୟରେ ସଂପର୍କ ଥିଲା, ତା’ହେଲେ ସେମାନେ ସିକ୍ରେଟ୍ ଫୋନ୍ ନମ୍ବର ରଖି, ସେଥିରେ କଥାବାର୍ତ୍ତା ହେଉଥିବେ। ଏ ଦିଗରେ ପୁଲିସ୍ ଯାଞ୍ଚ କରିଛି କି ବୋଲି ବୋଲି ସେ ପ୍ରଶ୍ନ କରିଛନ୍ତି।
ଶ୍ରୀ ନାୟକ ଆହୁରି କହିଛନ୍ତି, ପୁଲିସ୍ ଘଟଣାସ୍ଥଳକୁ ନେଇ ବିବାଦ ସୃଷ୍ଟି କରି ସାରିଛି। ୧୬ ତାରିଖରେ ଯେତେବେଳେ ସେହି ଘର ଖୋଲା ଗଲା ସେତେବେଳେ ସେଠାରେ ଗୋଟିଏ ଲୋକ ପୋଡ଼ି ହୋଇ ମରିବାର କିଛି ପ୍ରମାଣ ନାହିଁ ବୋଲି ଦେଖାଯାଇଥିଲା। ତା’ର ଭିଡିଓଗ୍ରାଫି ମଧ୍ୟ ହୋଇଛି। କିନ୍ତୁ ୨୦ ତାରିଖରେ ପୁଲିସ୍ କହିଲା ଯେ ସେଇଟା ହିଁ ଘଟଣାସ୍ଥଳ। ଗୋଟିଏ କବାଟର ତଳ ଭାଗରୁ କିଛି ଅଂଶ ପୋଡ଼ିଛି ଓ ସ୍କାଇ ଲାଇଟ୍ରେ ଲାଗିଥିବା ନେଟ୍ର କିଛି ଅଂଶ ମଧ୍ୟ ପୋଡ଼ିଥିବା ଦର୍ଶାଇ ପୁଲିସ୍ ସେଇଟାକୁ ଘଟଣାସ୍ଥଳ ବୋଲି କହୁଛି।
ଯଦି କବାଟର ତଳ ଭାଗର କିଛି ଅଂଶ ପୋଡ଼ି ଯାଇଛି, ତା’ହେଲେ ପାଖରେ ଥିବା ପଲିଷ୍ଟର ଡୋର୍ ସ୍କ୍ରିନ୍ରେ କେମିତି ନିଆଁ ଲାଗିଲାନି। ସେଠାରେ ଥିବା ପ୍ଲାଷ୍ଟି ମୁଢ଼ି ଡବା, ପ୍ଲାଷ୍ଟିକ୍ ଚୌକି ଓ ଖଟ ଉପରେ ପଡ଼ିଥିବା ଏକ ଜରି ପୋଡ଼ି ନାହିଁ କେମିତି। ଚଟାଣ, କାନ୍ଥ କିମ୍ବା ଛାତରେ କଳା ଦାଗ ନାହିଁ କି ସେଠାରେ ଲାଗିଥିବା ଅଳନ୍ଦୁ ବି ପୋଡ଼ି ନାହିଁ। କିନ୍ତୁ କବାଟ ତଳେ ପୋଡ଼ା ଚିହ୍ନା ଆସୁଛି। ଏହାକୁ କ’ଣ ପୁଲିସ୍ ପ୍ରମାଣ ନଷ୍ଟ କରୁଛି ବୋଲି କୁହାଯାଇ ପାରିବ ନାହିଁ କି? କୌଣସି ନା କୌଣସି ବଡ଼ ଅଧିକାରୀଙ୍କୁ ରକ୍ଷା କରିବା ପାଇଁ ଏ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।