ଓକିଲଙ୍କ ଧର୍ମଘଟ ଅବୈଧ ଓ ଅସାମ୍ବିଧାନିକ!

ଦେବେନ୍ଦ୍ର ପୃଷ୍ଟି ଓଡ଼ିଶା ହାଇକୋର୍ଟ ବାର୍‌ରୁ କାହିଁକି କାହାକୁ ବିଚାରପତି ଭାବେ ନିଯୁକ୍ତ କରାଯାଉ ନାହିଁ? ମୁଖ୍ୟତଃ ଏହି ପ୍ରଶ୍ନ ଉପରେ ଓଡ଼ିଶା ହାଇକୋର୍ଟ ଓକିଲ ସଂଘ ଧର୍ମଘଟ ଚଳେଇଛି। ବିଚାରପତି ମନୋନୟନରେ ଅନିୟମିତତା ପ୍ରସଙ୍ଗ ଏଥିରେ ପଛରେ ଯୋଡ଼ି ହୋଇଛି। ଓକିଲମାନଙ୍କର ଏହି ଆନ୍ଦୋଳନ ବିରୋଧରେ ଓଡ଼ିଶା ହାଇକୋର୍ଟଙ୍କ ଫୁଲ୍‌ ବେଞ୍ଚ ବା ସମସ୍ତ ବିଚାରପତି ମତ ଦେବାରୁ ହାଇକୋର୍ଟ ଓକିଲ ସଂଘ ଅଧିକ ପ୍ରତିକ୍ରିୟାଶୀଳ ହୋଇ ସାରା ରାଜ୍ୟର ଓକିଲ ସଂଘକୁ ଧର୍ମଘଟରେ ସାମିଲ […]

SUPREMECOURT

Debendra Prusty
  • Published: Wednesday, 23 October 2019
  • , Updated: 23 October 2019, 05:58 PM IST

ଦେବେନ୍ଦ୍ର ପୃଷ୍ଟି

ଓଡ଼ିଶା ହାଇକୋର୍ଟ ବାର୍‌ରୁ କାହିଁକି କାହାକୁ ବିଚାରପତି ଭାବେ ନିଯୁକ୍ତ କରାଯାଉ ନାହିଁ? ମୁଖ୍ୟତଃ ଏହି ପ୍ରଶ୍ନ ଉପରେ ଓଡ଼ିଶା ହାଇକୋର୍ଟ ଓକିଲ ସଂଘ ଧର୍ମଘଟ ଚଳେଇଛି। ବିଚାରପତି ମନୋନୟନରେ ଅନିୟମିତତା ପ୍ରସଙ୍ଗ ଏଥିରେ ପଛରେ ଯୋଡ଼ି ହୋଇଛି। ଓକିଲମାନଙ୍କର ଏହି ଆନ୍ଦୋଳନ ବିରୋଧରେ ଓଡ଼ିଶା ହାଇକୋର୍ଟଙ୍କ ଫୁଲ୍‌ ବେଞ୍ଚ ବା ସମସ୍ତ ବିଚାରପତି ମତ ଦେବାରୁ ହାଇକୋର୍ଟ ଓକିଲ ସଂଘ ଅଧିକ ପ୍ରତିକ୍ରିୟାଶୀଳ ହୋଇ ସାରା ରାଜ୍ୟର ଓକିଲ ସଂଘକୁ ଧର୍ମଘଟରେ ସାମିଲ ହେବାକୁ ଆହ୍ୱାନ ଦେଇଛି ଓ ରାଜ୍ୟର ସମସ୍ତ ଓକିଲ ସଂଘ ମଧ୍ୟ ହାଇକୋର୍ଟ ବାର୍‌କୁ ସମର୍ଥନ ଘୋଷଣା କରିଛନ୍ତି। ଏହା ବିରୋଧରେ ହାଇକୋର୍ଟ ରେଜିଷ୍ଟ୍ରି ସୁପ୍ରିମ କୋର୍ଟରେ ମାମଲା ଦାୟର କରିଛନ୍ତି। ସୁପ୍ରିମ କୋର୍ଟ ପ୍ରାଥମିକ ଶୁଣାଣି କରି ଓକିଲଙ୍କ ଧର୍ମଘଟ ବିରୋଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ କୋର୍ଟ ଚଳେଇବାକୁ ଦରକାର ହେଲେ ଅର୍ଦ୍ଧସାମରିକ ବାହିନୀ ମୁତୟନ କରିବାକୁ ଚେତାବନୀ ଦେଇଛନ୍ତି। ସୁପ୍ରିମ କୋର୍ଟଙ୍କ ଏପରି ତାଗଦକୁ ଓଡ଼ିଶା ହାଇକୋର୍ଟ ସଂଘ ଖାତିର କରିନାହିଁ। ସେମାନ ଭୟଭୀତ ନୁହନ୍ତି ବୋଲି ମତ ଦେଇଛନ୍ତି।

ଓଡ଼ିଶାରେ ଓକିଲମାନଙ୍କ ଧର୍ମଘଟ କିଛି ନୂଆ କଥା ନୁହେଁ। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବିରେ ସେସବୁ ଜିଲ୍ଲାର ଓକିଲମାନେ ବହୁ ବର୍ଷ ହେଲା ଧର୍ମଘଟ ଚଳେଇ ଆସିଛନ୍ତି। ଦକ୍ଷିଣ ଓ ଉତ୍ତର ଓଡ଼ିଶାର ଓକିଲମାନେ ମଧ୍ୟ ନିଜନିଜ ଅଚଂଳରେ ହାଇକୋର୍ଟ ବେଞ୍ଚ ଦାବିରେ ଧର୍ମଘଟ କରିଛନ୍ତି। ଓଡ଼ିଶାରେ କେଉଁଠି ପୁଲିସ-ଓକିଲ ବିବାଦ ହେଲେ ବି ଓକିଲମାନେ ଏକଜୁଟ ହୋଇ ଧର୍ମଘଟ କରୁଛନ୍ତି। ଏଭଳି ନଜର ଅନେକ। ଧର୍ମଘଟ, କୋର୍ଟ ବର୍ଜନ ଆଦି ଯୋଗୁଁ ଓଡ଼ିଶା ହାଇକୋର୍ଟ ସମେତ ଅନେକ ତଳ କୋର୍ଟରେ ନ୍ୟାୟିକ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି।

କେବଳ ଓଡ଼ିଶାରେ ନୁହେଁ, ଦେଶର ଅନ୍ୟ ଅନେକ ରାଜ୍ୟରେ ମଧ୍ୟ ଓକିଲମାନେ ଗୋଷ୍ଠୀଗତ ସ୍ୱାର୍ଥ କାରଣରୁ ବାରମ୍ବାର ଧର୍ମଘଟ ଓ କୋର୍ଟ ବର୍ଜନ କରିବାର ନଜୀର ରହିଛି। ରାଜସ୍ଥାନ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ବିହାର, ମଧ୍ୟ ପ୍ରଦେଶ ଆଦି ରାଜ୍ୟରେ ମଧ୍ୟ ଓଡ଼ିଶା ପରି ଅନେକ ସମୟରେ ଓକିଲ ଧର୍ମଘଟ ଦେଖାଦେଉଛି। ଏଥିଯୋଗୁଁ ନ୍ୟାୟିକ ପ୍ରକ୍ରିୟା ବିଳମ୍ବିତ ହେଉଛି ଓ ନ୍ୟାୟପ୍ରାର୍ଥୀମାନେ ଶାରୀରିକ, ମାନସିକ ଓ ଆର୍ଥିକ ଭାବେ ବହୁମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ସୁପ୍ରିମ କୋର୍ଟ ଯେଉଁ ଚେତାବନୀ ଦେଇଛନ୍ତି ତାହା ଓକିଲମାନଙ୍କ ଧର୍ମଘଟ ଅଧିକାର ନେଇ ପୁଣି ଥରେ ଆଲୋଚନାର ଅବସର ସୃଷ୍ଟି କରିଛି।

ଭାରତୀୟ ସମ୍ବିଧାନର ୧୯ ଧାରା ଅନୁସାରେ ସମସ୍ତଙ୍କର ଶାନ୍ତିପୂର୍ଣ୍ଣ ଭାବେ ସଂଘ ଗଠନ କରିବାର ଅଧିକାର ରହିଛି। ଏହି ଅଧିକାର ଅନୁସାରେ ସବୁ ସଂଘ ଶାନ୍ତିପୂର୍ଣ୍ଣ ଭାବ ଏକାଠି ହୋଇ ଧର୍ମଘଟ କରିପାରିବେ। ତେବେ ଓକିଲମାନେ କାହିଁକି ଧର୍ମଘଟ କରିପାରିବେ ନାହିଁ? ଓକିଲାତି ପେସାରେ ଥିବା ଲୋକମାନେ କ’ଣ ଭାରତର ନାଗରିକ ନୁହନ୍ତି? ନା ସେମାନଙ୍କ ପାଇଁ ଭାରତୀୟ ସମ୍ବିଧାନ ପ୍ରଯୁଜ୍ୟ ନୁହେଁ? ଧର୍ମଘଟକାରୀ ଓକିଲ ବା ଅଧିବକ୍ତାମାନେ ଅନେକ ସମୟରେ ଏହି ପ୍ରଶ୍ନ ଉଠାଇଥାନ୍ତି। ତେବେ ଏ ପ୍ରଶ୍ନର ଉତ୍ତର ବହୁ ପୂର୍ବରୁ ବିଭିନ୍ନ ମାମଲାରେ ସୁପ୍ରିମ କୋର୍ଟ ଏବଂ ଦେଶର ଅନ୍ୟ ବହୁ ହାଇକୋର୍ଟ ଦେଇସାରିଛନ୍ତି। ସୁପ୍ରିମ କୋର୍ଟ ଓ ବହୁ ହାଇକୋର୍ଟଙ୍କ ଅନେକ ମାମଲାର ରାୟ ଅନୁସାରେ ଅଧିବକ୍ତା ବା ଓକିଲମାନଙ୍କର ରାୟ କେବଳ ଅବୈଧ ନୁହେଁ, ଅସାମ୍ବିଧାନିକ ମଧ୍ୟ। ଏହାର କାରଣ ହେଉଛି, ସେମାନେ ଧର୍ମଘଟ କିମ୍ବା କୋର୍ଟ ବର୍ଜନ କରି ନ୍ୟାୟିକ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି, ସାଧାରଣ ନାଗରିକଙ୍କର ତୁରନ୍ତ ନ୍ୟାୟ ପାଇବାର ଅଧିକାର ଭଙ୍ଗ କରୁଛନ୍ତି। ଓକିଲମାନେ କେବଳ ପେସାଦାର ଅଧିବକ୍ତା ନୁହନ୍ତି, ସେମାନେ କୋର୍ଟର ଅଫିସର ଭାବେ ମଧ୍ୟ ମାନ୍ୟତାପ୍ରାପ୍ତ। କୋର୍ଟର ଅଫିସର ଭାବେ କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସେମାନଙ୍କ କାର୍ଯ୍ୟ ଓ କର୍ତ୍ତବ୍ୟ ପରିସରଭୁକ୍ତ ନୁହେଁ।

ପୂର୍ବତନ କ୍ୟାପ୍ଟେନ ହରିଶ ଉପ୍ପଲ ବନାମ ଭାରତ ସରକାର, ହୁସେନ ବନାମ ଭାରତ ସରକାର, ରାମନ ସର୍ଭିସେସ ପ୍ରା ଲି ବନମା ସୁବାସ କପୁର, କୃଷ୍ଣକାନ୍ତ ତମାରକର ବନାମ ମଧ୍ୟ ପ୍ରଦେଶ ସରକାର, କମନ୍‌ କଜ୍‌ ବନାମ ଭାରତ ସରକାର, ପ୍ରବୀଣ ପାଣ୍ଡେ ବନାମ ମଧ୍ୟ ପ୍ରଦେଶ ସରକାର, ବିଏଲ ୱାଧେରା ଆଦି ଅନେକ ମାମଲାରେ ସୁପ୍ରିମ କୋର୍ଟ ଓ ସଂପୃକ୍ତ ହାଇକୋର୍ଟଗୁଡ଼ିକ ଓକିଲଙ୍କ ଆନ୍ଦୋଳନକୁ ଅସାମ୍ବିଧାନିକ ଓ ଅବୈଧ ଘୋଷଣା କରିଛନ୍ତି। ଓକିଲଙ୍କ ଆନ୍ଦୋଳନ କେବଳ ଆଇନ ବିରୋଧୀ ନୁହେଁ, ତାହା ବୃତ୍ତିଗତ ଅସଦାଚରଣ ମଧ୍ୟ। ସେମାନଙ୍କର ଆନ୍ଦୋଳନ ମହକିଲଙ୍କ ଚୁକ୍ତି, ବିଶ୍ୱାସ ଓ ସେମାନଙ୍କ ପ୍ରତି ରହିଥିବା କର୍ତ୍ତବ୍ୟର ମଧ୍ୟ ଉଲ୍ଲଙ୍ଘନ ବୋଲି ସୁପ୍ରିମ କୋର୍ଟ ଓ ଅନେକ ହାଇକୋର୍ଟ ବହୁ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି। ସୁପ୍ରିମ କୋର୍ଟଙ୍କ ଅନେକ ରାୟ ଅନୁସାରେ ଭାରତୀୟ ସମ୍ବିଧାନର ୧୯ ଧାରାରେ ଦିଆଯାଇଥିବା ସଂଘ ଗଠନ କରିବା ଏକ ପରମ ଅଧିକାର ନୁହେଁ।

ହରିଶ ଉପ୍ପଲ ବନାମ ଭାରତ ସରକାରଙ୍କ ମାମଲାରେ ସୁପ୍ରିମ କୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ ଅଧିବକ୍ତାମାନଙ୍କର ପ୍ରତିବାଦ କରିବାର ଅଧିକାର ଅଛି, କିନ୍ତୁ ଧର୍ମଘଟ କରିବାର ଅଧିକାର ନାହିଁ। କୌଣସି କାରଣରୁ ଯଦି ସେମାନଙ୍କ ବୃତ୍ତିଗତ ମର୍ଯ୍ୟାଦା ହାନୀ ହେଉଛି, ପେସା ପ୍ରତି ବିପଦ ସୃଷ୍ଟି ହେଉଛି ବା ‍ବୃତ୍ତିଗତ କ୍ଷତିର ସମ୍ମୁଖୀନ ହେଉଛନ୍ତି ସେମାନେ ସେ ସଂପର୍କରେ ଗଣମାଧ୍ୟମରେ ବିବୃତ୍ତି ଜାରି କରିପାରିବେ, ଟିଭିରେ ସାକ୍ଷାତକାର ଦେଇପାରିବେ, କୋର୍ଟରେ ଯୁକ୍ତି ଉପସ୍ଥାପନ କରିବା ସମୟରେ କଳା ରଙ୍ଗ ବା ଅନ୍ୟ ଯେକୌଣସି ରଙ୍ଗର ହାତପଟି ବାନ୍ଧି ପାରିବେ, କୋର୍ଟ ପରିସର ଭିତରେ ଓ ବାହାରେ ବ୍ୟାନର ଓ ପ୍ଲାକାର୍ଡ଼ ଇତ୍ୟାଦି ପ୍ରଦର୍ଶନ କରିପାରିବେ ଏବଂ କୋର୍ଟ ପରିସର ଭିତରେ ଓ ବାହାରେ କିଛି ସମୟ ପାଇଁ ପ୍ରତୀକାତ୍ମକ ଭାବେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଆୟୋଜନ କରିପାରିବେ। କିନ୍ତୁ କୋର୍ଟ ବର୍ଜନ କିମ୍ବା ଧର୍ମଘଟ କରିପାରିବେ ନାହିଁ। କୃଷ୍ଣକାନ୍ତ ତମାରକର ବନାମ ମଧ୍ୟ ପ୍ରଦେଶ ସରକାର ମାମଲାରେ କୋର୍ଟ କହିଲେ ଯେ ଓକିଲମାନଙ୍କର ବାରମ୍ବାର ଧର୍ମଘଟ ଅବୈଧ ଓ ନ୍ୟାୟିକ ପ୍ରକ୍ରିୟାରେ ପ୍ରତିବନ୍ଧକ। କମନ୍‌ କଜ୍‌ ବନାମ ଭାରତ ସରକାର ମାମଲାରେ ସୁପ୍ରିମ କୋର୍ଟ କହିଲେ ଯେ ଧର୍ମଘଟକାରୀ ଓକିଲଙ୍କ ବିରୋଧରେ ଭାରତୀୟ ବାର୍‌ କାଉନ୍‌ସିଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ରାମନ ସର୍ଭିସେସ ବନାମ ସୁବାସ କାପୁର ମାମଲାରେ କୋର୍ଟଙ୍କ ମତ ହେଲା ଓକିଲମାନେ ଧର୍ମଘଟ କଲେ ବି କୋର୍ଟ କାର୍ଯ୍ୟ ନିଲମ୍ବିତ ହେବ ନାହିଁ କି ମାମଲାର ତାରିଖ ଘୁଂଚିବ ନାହିଁ। ହୁସେନ ବନାମ ଭାରତ ସରକାର ମାମଲାରେ କୋର୍ଟ କହିଲେ ଭାରତୀୟ ବାର୍‌ କାଉନ୍‌ସିଲ୍‌ ନିୟମର ୨ ଓ ୩ ଧାରାରେ ବୃତ୍ତିଗତ ଅସଦାଚରଣ କରୁଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ। ୧୯୬୧ର ଅଧିବକ୍ତା ଆଇନର ୪ ଧାରା ଭାରତୀୟ ବାର୍‌ କାଉନସିଲ୍‌ର କ୍ଷମତା ସଂପର୍କରେ ଉଲ୍ଲେଖ କରେ। ଏହି ଆଇନର ୭ ଧାରାରେ ଓକିଲମାନଙ୍କର ଆଚରଣ ଓ ଶିଷ୍ଟାଚାର ବିଷୟରେ ଉଲ୍ଲେଖ ରହିଛି। ସେମାନଙ୍କର ଧର୍ମଘଟ ଏହି ଧାରାର ଉଲ୍ଲଙ୍ଘନ କରୁଛି। ଭାରତୀୟ ସମ୍ବିଧାନର ୧୪୫ ଧାରା ଓ ଅଧିବକ୍ତା ଆଇନର ୩୪ ଧାରାରେ କୋର୍ଟ କିପରି ପରିଚାଳିତ ହେବ ତାହା କୁହାଯାଇଛି। ଓକିଲଙ୍କ ଆନ୍ଦୋଳନ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଛି। ଭାରତୀୟ ସମ୍ବିଧାନର ୧୯ ଧାରା ଅନୁସାରେ ଓକିଲମାନଙ୍କର ଧର୍ମଘଟ ଅଧିକାରକୁ ସ୍ୱୀକୃତି ଦିଆଗଲେ ବି ଏହା ସମ୍ବିଦାନର ୨୧ ଧାରାରେ  ନାଗରିକମାନଙ୍କୁ ପ୍ରଦତ୍ତ ତ୍ୱରିତ ନ୍ୟାୟ ଅଧିକାରର ଉଲ୍ଲଙ୍ଘନ କରୁଛି। ତେଣୁ ଏହା ଅବୈଧ ଓ ଅସାମ୍ବିଧାନିକ।

ଏସବୁ ଦୃଷ୍ଟିକୋଣରୁ ବିଚାର କଲେ ଓଡ଼ିଶା ଓକିଲମାନଙ୍କର ଧର୍ମଘଟ କୋର୍ଟଙ୍କ ଅବମାନନା ଭାବେ ମଧ୍ୟ ବିବେଚିତ ହୋଇପାରେ। କୋର୍ଟ ବା ନ୍ୟାୟପାଳିକା କେବଳ ନ୍ୟାୟର ମନ୍ଦିର ନୁହେଁ ଏହା ଅଧିବକ୍ତା ବା ଓକିଲମାନଙ୍କ ବୃତ୍ତି ବା ଧନ୍ଦାର ପୀଠ ମଧ୍ୟ। ଏହାକୁ ଅଚଳ କରି ବା ଏହାର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରି ଓକିଲାତି ପେସାର ମର୍ଯ୍ୟାଦା ବୃଦ୍ଧି ହେବ ନାହିଁ। ମହକିଲମାନଙ୍କଠାରୁ ପାଉଣା ନେଇ ସେମାନଙ୍କୁ ତୁରନ୍ତ ନ୍ୟାୟ ଦେବା ହେଉଛି ଓକିଲମାନଙ୍କର ବୃତ୍ତିଗତ ଧର୍ମ। କିନ୍ତୁ ସେମାନଙ୍କର ଧର୍ମଘଟ ଏହାର ବିରୁଦ୍ଧାଚରଣ କରୁଛି। ଓକିଲମାନଙ୍କ ଧର୍ମଘଟ ଯୋଗୁଁ କୋର୍ଟ କାର୍ଯ୍ୟ ଅଚଳ ହୋଇଯାଉଛି। କାରଣ ଭାରତର ସଂଖ୍ୟାଧିକ ନାଗରିକ ଆଇନ ସଂପର୍କରେ ସଚେତନ ନଥିବାରୁ ସେମାନେ ନିଜ ମାମଲା ନିଜେ ଲଢ଼ିପାରିବେ ନାହିଁ। ସେଇଥିପାଇଁ ହିଁ ସେମାନେ ଓକିଲ ନିଯୁକ୍ତ କରିଥାନ୍ତି। ମାତ୍ର ଓକିଲମାନେ ମହକିଲଙ୍କ ମାମଲା ଲଢ଼ିବାକୁ ଚୁକ୍ତିବଦ୍ଧ ହେବା ପରେ ଧର୍ମଘଟ ଇତ୍ୟାଦି ଜରିଆରେ ନ୍ୟାୟିକ ପ୍ରକ୍ରିୟାକୁ ବିଳମ୍ବିତ କରିବା ନ୍ୟାୟ ବିରୋଧରେ ଯିବା ସହିତ ସମାନ। ସେମାନଙ୍କୁ କୋର୍ଟର ଅଫିସର ବା ନ୍ୟାୟପାଳିକାର ଅଧିକାରୀ ଭାବେ ମାନ୍ୟତା ମିଳିଛି। ଏହା କିଛି ଛୋଟ କଥା ନୁହେଁ। କୋର୍ଟର ଅଫିସର ହୋଇ କୋର୍ଟ କାର୍ଯ୍ୟରେ ଅଚଳାବସ୍ଥା ସୃଷ୍ଟି କରିବା କେଉଁ ଆଇନଗତ ଶିଷ୍ଟାଚାରର କଥା? ଓଡ଼ିଶାର ଜ୍ଞାନୀଗୁଣୀ ଅଧିବକ୍ତାମାନେ ଏ ସଂପର୍କରେ ଆଦୌ ଅଜଣା ନୁହନ୍ତି। ସେମାନେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନରଖି ନିଜର ବୁଦ୍ଧି, ଜ୍ଞାନ ଓ ବିବେକ ଅନୁସାରେ ତର୍ଜମା କଲେ ଭୁଲ କରୁଛନ୍ତି କି ଠିକ କରୁଛନ୍ତି ବୁଝିପାରିବେ।

Related story