ଉଦ୍ଧାର ପାଇଁ ମିଳିଥିଲା ୧୦ ମିନିଟ୍‌ର ଗୋଲ୍‌ଡେନ୍‌ ଆୱାର

ବାରିପଦା (ମାଣିକଲାଲ ପାଣି): ଦୀର୍ଘ ୧୦ ଘଣ୍ଟାର କସରତ ପରେ ସଫଳ ହେଲା ଅପରେସନ୍‌ ଗଜରାଜ। ହାତୀ ପାଇଁ ହୋହଲ୍ଲା, ଧାଁ ଦୌଡ଼ ଭିତରେ ଉଦ୍ଧାର ମାତ୍ର ୧୦ ମିନଟ୍‌ର ଗୋଲଡେନ୍‌ ଆୱାର ଭିତରେ ସଫଳ ହେଲା ଅପରେସନ୍‌ ଗଜରାଜ। ବନ ବିଭାଗ କର୍ମଚାରୀଙ୍କ ବୁଦ୍ଧି, ଧୈର୍ଯ୍ୟ ଓ କୌଶଳ ଯୋଗୁ ନୂଆ ଜୀବନ ପାଇଲା ହାତୀ ଛୁଆ। କୂଅରୁ ଉଦ୍ଧାର ହୋଇ ତା’ ମାଆ ସହ ଜଙ୍ଗଲକୁ ଗଲା। ଶନିବାର ରାତି ପ୍ରାୟ ୧୨ଟା ହେବ। […]

Elephant

Manoranjan Sial
  • Published: Sunday, 09 January 2022
  • , Updated: 09 January 2022, 08:25 PM IST

ବାରିପଦା (ମାଣିକଲାଲ ପାଣି): ଦୀର୍ଘ ୧୦ ଘଣ୍ଟାର କସରତ ପରେ ସଫଳ ହେଲା ଅପରେସନ୍‌ ଗଜରାଜ। ହାତୀ ପାଇଁ ହୋହଲ୍ଲା, ଧାଁ ଦୌଡ଼ ଭିତରେ ଉଦ୍ଧାର ମାତ୍ର ୧୦ ମିନଟ୍‌ର ଗୋଲଡେନ୍‌ ଆୱାର ଭିତରେ ସଫଳ ହେଲା ଅପରେସନ୍‌ ଗଜରାଜ। ବନ ବିଭାଗ କର୍ମଚାରୀଙ୍କ ବୁଦ୍ଧି, ଧୈର୍ଯ୍ୟ ଓ କୌଶଳ ଯୋଗୁ ନୂଆ ଜୀବନ ପାଇଲା ହାତୀ ଛୁଆ। କୂଅରୁ ଉଦ୍ଧାର ହୋଇ ତା’ ମାଆ ସହ ଜଙ୍ଗଲକୁ ଗଲା।

ଶନିବାର ରାତି ପ୍ରାୟ ୧୨ଟା ହେବ। ୫ଟି ହାତୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର ସୁରେଇଡିହି ଗାଁ ଅତିକ୍ରମ କରୁଥିଲେ। ଠିକ୍‌ ଏହି ସମୟରେ ହାତୀ ଛୁଆଟି ଶୁଖିଲା କୂଅରେ ଗଳି ପଡ଼ିଥିଲା। କୂଅଟି ଗଭୀର ହୋଇଥିବାରୁ ବାହାରି ପାରିନଥିଲା। ମାଆ ହାତୀ ଓ ଅନ୍ୟ ସାଥୀମାନେ ଛୁଆ ହାତୀକୁ ଉଦ୍ଧାର କରିବାକୁ ବହୁ ଚେଷ୍ଟା କରିଥିଲେ। ମାତ୍ର ବିଫଳ ହୋଇଥିଲେ। ଏହା ପରେ ହାତୀମାନେ ଉଗ୍ର ହୋଇ ଯାଇଥିଲେ। ଆଖପାଖ ଅଞ୍ଚଳରେ ଥିବା ଘର ଗୁଡ଼ିକୁ ଭାଙ୍ଗି ପକାଇ ଥିଲେ। ହାତୀ ପଲ ଘର ଭିତରେ ଶୁଣ୍ଢ ପୂରାଇ ଖାଦ୍ୟଶଷ୍ୟ ନଷ୍ଟ କରି ଦେଇଥିଲେ। ଛୁଆକୁ ଉଦ୍ଧାର କରିନପାରି ହାତୀମାନେ ଚିତ୍କାର କରିଥିଲେ। ହାତୀଙ୍କ ରଡି ଶୁଣି ଆଖପାଖ ଗାଁ ଲୋକେ ଭୟଭୀତ ହୋଇ ପଡ଼ିଥିଲେ।

ଅଧିକ ପଢ଼ନ୍ତୁ: ଚଳନ୍ତା ବସ୍‌କୁ ଶୁଣ୍ଢରେ ଠେଲିନେଲା ଦନ୍ତାହାତୀ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗାଁ ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ତତ୍‌କ୍ଷଣା ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ହାତୀ ଗଳି ପଡ଼ିଥିବା କୂଳ ପର୍ଯ୍ୟନ୍ତ ଯାଇ ପାରିନଥିଲେ। କାରଣ ଅନ୍ୟ ୪ ହାତୀ କୂଅ ଚାରି ପାର୍ଶ୍ୱରେ ଘୂରି ବୁଲୁଥିଲେ। କୂଅ ପାଖକୁ ଯିଏ ଯାଉଥିଲା, ତାକୁ ଗୋଡ଼ାଇ ଆଣୁଥିଲା। ସେପଟେ କୂଅରେ ହାତୀ ପଡ଼ି ଯାଇଥିବା ଜାଣିପାରି ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା। ଭିଡ୍‌କୁ ହଟାଇବା ପାଇଁ ବନ ବିଭାଗ ପୁଲିସ୍‌କୁ ଖବର ଦେଇଥିଲା।

ବନ ବିଭାଗ, ପୁଲିସ ଓ ଅଗ୍ନିଶମ ବିଭାଗ ମିଳିମିଶି ଆରମ୍ଭ କଲେ ଅପରେସନ୍‌ ଗଜରାଜ। ଜେସିବି ଓ ଅନ୍ୟାନ୍ୟ ସରଞ୍ଜାମ ଧରି ଟିମ୍‌ ସଜାଗ ରହିଥିଲା। ଆଉ ଅପେକ୍ଷା କରିଥିଲା ହାତୀଙ୍କ ଗତିପଥକୁ। ହାତୀ ଛୁଅକୁ ନଛୁଇଁ ଉଦ୍ଧାର ପାଇଁ ବ୍ୟବସ୍ଥା ହୋଇଥିଲା। କାରଣ ହାତୀ ଛୁଅ ମଣିଷ ସଂସ୍ପର୍ଶରେ ଆସିଲେ ହାତୀ ପଲ ସାଥୀରେ ନେବେନାହିଁ। ଏହାର ନଜିର ପୂର୍ବରୁ  ବହୁ ରହିଛି। ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା।

ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ହେବ। ୪ଟି ଯାକ ହାତୀ ମିଳିମିଶି ସ୍ଥାନୀୟ ଏକ ପୋଖରୀକୁ ପାଣି ପିଇବା ପାଇଁ ଯାଇଥିଲେ। ଏହାର ସୁଯୋଗ ନେଇ ପ୍ରାୟ ୧୦ ମିନିଟ୍‌ରେ ଯୁଦ୍ଧକାଳୀନ ଭିତ୍ତିରେ ମିଳିତ ଟିମ୍‌ କୂଅରେ ପାଣି ଭର୍ତ୍ତି କରିଥିଲେ। କୂଅରେ ପାଣି ଭର୍ତ୍ତି ହେବା ପରେ ଛୁଆ ହାତୀଟି ଉପରକୁ ଉଠିବାକୁ ଉଦ୍ୟମ କରିଥିଲା। ଠିକ୍‌ ଏହି ସମୟରେ ଅନ୍ୟ ହାତୀମାନେ ସେଠାରେ ପହଞ୍ଚି କୂଅରୁ ଛୁଆ ହାତୀକୁ ଉଦ୍ଧାର କରିଥିଲେ। କୂଅରୁ ଉଦ୍ଧାର ହେବା ପରେ ଛୁଆ ହାତୀ ମାଆ ସହ ଜଙ୍ଗଲକୁ ପଳାଇଯାଇଛି। ୧୦ ଘଣ୍ଟାରେ ଶେଷ ହେଲା ଅପରେସନ୍‌ ଗଜରାଜ୍‌।

Related story