ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ତିତ୍ଲି ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଋଷିକୂଲା ଓ ବଂଶଧାରା ଅବବାହିକାରେ ବନ୍ୟା ଆସି ଅନେକ ଅଂଚଳ ଜଳମଗ୍ନ ହୋଇଛି । ଗଂଜାମ, ଗଜପତି ଓ ରାୟଗଡ଼ା ସହ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ସ୍ଥିତି ଗମ୍ଭୀର ହେବାର ଆଶଙ୍କା ରହିଛି। ଗଜପତି ଜିଲ୍ଲା ମୋହନାର ଲେଡବନ୍ଧ ନଦୀ ଫୁଲି ରାସ୍ତା ଉପରେ ଚାଲୁଛି ୩ ଫୁଟ୍ ଉଚ୍ଚରେ ପାଣି। ଫଳରେ ବ୍ରହ୍ଣପୁର-ରାୟଗଡ଼ା ମଧ୍ୟରେ ଗାଡ଼ି ଚଳାଚଳ ବାଧାପାପ୍ତ ହୋଇଛି ।
ଅଠରନଳା ପୋଲ ଉପରେ ବି ୫ ଫୁଟ୍ ଉଚ୍ଚର ଜଳ ପ୍ରବାହିତ ହୋଇଛି । ଏହାଦ୍ୱାରା ମୋହନା ବ୍ଳକର ୮ଟି ପଂଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଗତକାଲି ରାତିରୁ ଏଯାଏଁ ମୋହନାରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେପଟେ ଗଂଜାମ ଜିଲ୍ଲାର ଆସିକା ଓ ସୋରଡ଼ା ବ୍ଳକ୍ରେ ବି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ରାସ୍ତା ଉପରେ ପାଣି ଚାଲିବା ଯୋଗୁ ଆସିକାରୁ ସୋରଡ଼ାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସେହିପରି ନଳବଣ୍ଟାଠାରେ ପାଣି ରାସ୍ତା ଉପରେ ଚାଲିବା ଯୋଗୁଁ ଆସିକା-ବ୍ରହ୍ମପୁର ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି। ଆସିକା-ଦିଗପହଣ୍ଡି ରାସ୍ତାରେ ବି ପାଣି ଚାଲୁଛି । ଗୌଡ଼ଗୋଠ, ଖମାର, ଦାମୋଦରପଲ୍ଲୀ, ଦେଉଳି ଆଦି ତଳିଆ ଅଂଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଋଷିକୂଲ୍ୟା ବିପଦ ସଙ୍କେତ ଉପରେ ରହିଥିବା ବେଳେ ବଂଶଧାରା ବି ଫୁଲିବାରେ ଲାଗିଛି ।