ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରେଟ୍ ଅଧିକ ପଡୁ ପଛେ, ରୁମ୍ ଗୋଟେ ଦିଅ । ବାତ୍ୟା ଫୋନି ପରେ କରେଣ୍ଟ ନଥିବାରୁ ଗରମ ଓ ଗୁଳୁଗୁଳିରୁ ନିସ୍ତାର ପାଇବାକୁ ଛୋଟ ବଡ଼ ହୋଟେଲ ଓ ଲଜ୍ରେ ଥିଲାବାଲାଙ୍କର ଏମିତି ଚାଲିଛି ମୂଲଚାଲ। କେହି କେହି କିଛିଦିନ ହେଲା ଏଭଳି ସ୍ଥାନକୁ ସାମୟିକ ଆବାସସ୍ଥଳୀରେ ପରିଣତ କରିଦେଲେଣି। ଅନ୍ୟପଟେ କିନ୍ତୁ ଏଭଳି ଅବସ୍ଥା ପାଇଁ ଜରୁରୀ କାମରେ ବାହାରୁ ଆସୁଥିବା ଯାତ୍ରୀ ଓ ପର୍ଯ୍ୟଟକ ହୀନସ୍ତା ହେଲେଣି।
ବାତ୍ୟା ପରବର୍ତ୍ତୀ ଯନ୍ତ୍ରଣାରୁ ମୁକ୍ତି ଲାଗି ରାଜଧାନୀର ଛୋଟ ବଡ଼ ହୋଟେଲରେ ଏବେ ଅସମ୍ଭବ ଭିଡ଼। ତାରକା ହେଉ କି ସାଧାରଣ ଗେଷ୍ଟ୍ ହାଉସ ଅବା ଲଜ୍, ସବୁଠି ଗ୍ରାହକଙ୍କ ଖଚାଖଚ୍ ଉପସ୍ଥିତି। ଲାଇନ୍ ନଥିବାରୁ ଗରମ ଓ ଗୁଳୁଗୁଳିରେ ଛଟପଟ ରାଜଧାନୀ ବାସିନ୍ଦାଙ୍କୁ ସତେ ଯେମିତି ଆଶ୍ୱାସନା ଯୋଗାଇଛି ଏସବୁ ଛୋଟ ବଡ଼ ହୋଟେଲ ଓ ଗେଷ୍ଟ ହାଉସ୍।
ଜେନେରଟର ଯୋଗେ ବିଜୁଳି ସୁବିଧା ଯୋଗାଉଥିବା ହୋଟେଲ୍ କର୍ତ୍ତୃପକ୍ଷ ବି ଏ ସୁଯୋଗରେ ମୁନାଫା କମାଇବାକୁ ପଛାଉନାହାଁନ୍ତି।ଫୋନି ଫେରିବାର ୬ ଦିନ ବିତିଲାଣି। ହେଲେ ସହରର ସବୁ ଅଞ୍ଚଳକୁ ଏଯାଏଁ ବିଦ୍ୟୁତ୍ ଓ ପାଣି ସଂଯୋଗ ହୋଇନଥିବାରୁ ହୋଟେଲ ଓ ଲଜ୍ରେ ସ୍ଥାନୀୟ ଗ୍ରାହକଙ୍କ ସଂଖ୍ୟା ବଢ଼ି ଚାଲିଛି । ଏମାନଙ୍କ ପାଇଁ ବାହାରୁ ଆସୁଥିବା ଯାତ୍ରୀ ଘୋର ଅସୁବିଧାର ସମ୍ମୁଖୀନ ହେଲେଣି। ପର୍ଯ୍ୟଟକ ସ୍ୱାସ୍ଥ୍ୟସେବା, ଶିକ୍ଷାନୁଷ୍ଠାନରେ ଆଡମିଶନ ଓ ଅନ୍ୟ ଅଫିସିଆଲ କାମରେ ଆସୁଥିବା ଲୋକେ ହୋଟେଲରେ ରୁମ୍ ନପାଇ ନାକେଦମ୍ ହେଉଛନ୍ତି।