କୃଷିମନ୍ତ୍ରୀ ଅରୁଣଙ୍କ ଠିକାଦାର ପ୍ରୀତି, ୨୦୦କୋଟି ଲୁଟ୍‌: କିଏ ଏ ଅବିନାଶ? ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ କୋଟିକୋଟି ଟଙ୍କାକୁ ଏବେ ଅବିନାଶ ଦାଶ ନାମକ ଜଣେ ଠିକାଦାର ଲୁଟ୍ କରୁଛନ୍ତି। କୃଷି ବିଭାଗର ପ୍ରତ୍ୟେକଟି କାର୍ଯ୍ୟର ଠିକା ବିନା ଟେଣ୍ଡରରେ ତାଙ୍କୁ ଦିଆଯାଉଛି। ଯେଉଁଥିପାଇଁ ପ୍ରାୟ ୨୦୦କୋଟି ଟଙ୍କାର ହେରଫେର ହୋଇଛି। କାହା ନିର୍ଦ୍ଦେଶ ଓ ବଳରେ ଏହି ଅବିନାଶ ଦାଶ କୃଷି ବିଭାଗକୁ ନିୟନ୍ତ୍ରଣ କରୁଛନ୍ତି, ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ତାଙ୍କର କି ସମ୍ପର୍କ ରହିଛି ଓ ସେ କିପରି କୋଟିକୋଟି […]

arun-sahoo

Ordigital Desk
  • Published: Tuesday, 28 December 2021
  • , Updated: 28 December 2021, 09:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ କୋଟିକୋଟି ଟଙ୍କାକୁ ଏବେ ଅବିନାଶ ଦାଶ ନାମକ ଜଣେ ଠିକାଦାର ଲୁଟ୍ କରୁଛନ୍ତି। କୃଷି ବିଭାଗର ପ୍ରତ୍ୟେକଟି କାର୍ଯ୍ୟର ଠିକା ବିନା ଟେଣ୍ଡରରେ ତାଙ୍କୁ ଦିଆଯାଉଛି। ଯେଉଁଥିପାଇଁ ପ୍ରାୟ ୨୦୦କୋଟି ଟଙ୍କାର ହେରଫେର ହୋଇଛି। କାହା ନିର୍ଦ୍ଦେଶ ଓ ବଳରେ ଏହି ଅବିନାଶ ଦାଶ କୃଷି ବିଭାଗକୁ ନିୟନ୍ତ୍ରଣ କରୁଛନ୍ତି, ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ତାଙ୍କର କି ସମ୍ପର୍କ ରହିଛି ଓ ସେ କିପରି କୋଟିକୋଟି ଟଙ୍କା ଲୁଟ୍ କରୁଛନ୍ତି ତା’ର ସିବିଆଇ ତଦନ୍ତ ପାଇଁ ଆଜି ବିଜେପି ଦାବି କରିଛି । ଦୁର୍ନୀତିର ତଦନ୍ତ ନହେଲେ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ କାର୍ଯ୍ୟାଳୟ ଆଗରେ ବିଜେପି କୃଷକ ମୋର୍ଚ୍ଚା ଧାରଣା ଦେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ବିଜେପି ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ତଥ୍ୟପ୍ରମାଣ ସହ ସିଧାସଳଖ କୃଷି ବିଭାଗରେ ହୋଇଥିବା ପ୍ରାୟ ୨୦୦କୋଟି ଟଙ୍କାର ହେରଫେର ପାଇଁ କୃଷି ମନ୍ତ୍ରୀ ଅରୁଣ ସାହୁ ଓ କୃଷି ସଚିବଙ୍କୁ ଦାୟୀ କରିଛନ୍ତି । ଆଉ ଏକ ସଙ୍ଗୀନ ଅଭିଯୋଗ ଆଣି ଏହି ଅବିନାଶ ଦାଶ କିଏ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ସହ ତାଙ୍କର ସମ୍ପର୍କ କ’ଣ ବୋଲି ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ, ଏ ଅବିନାଶ ଦାଶ ଏଭଳି ଜଣେ ବ୍ୟକ୍ତି ଯେ କି କୃଷି ବିଭାଗର ଯେକୌଣସି କାର୍ଯ୍ୟ ହେଲେ ତାଙ୍କୁ ଟେଣ୍ଡର ଦିଆଯାଉଛି । କୀଟନାଶକ, ଜିଆ ଖତ, ଘାସମରା ଔଷଧ, ସୌର ପାଣି ପମ୍ପ ଯୋଗାଣ, କୃଷି ରଥ, କୃଷି ପୁସ୍ତିକା ଆଦି ସବୁ କାର୍ଯ୍ୟର ଠିକା ତାଙ୍କୁ ବିନା ଟେଣ୍ଡରରେ ଟେକି ଦିଆଯାଉଛି । କେନ୍ଦ୍ର ସରକାର ଏସବୁ ସ୍କିମ ବାବଦରେ କୋଟିକୋଟି ଟଙ୍କା ଦେଉଥିବାବେଳେ ଏହି ବ୍ୟକ୍ତିଙ୍କୁ କେମିତି ସେହି କାର୍ଯ୍ୟ ଦିଆଯାଉଛି ତାକୁ ନେଇ ସେ ପ୍ରଶ୍ନ କରିଛନ୍ତି । କୃଷିମନ୍ତ୍ରୀଙ୍କ ଦପ୍ତର ଓ କୃଷି ବିଭାଗକୁ ପ୍ରଭାବିତ କରି ଶହ ଶହ କୋଟି ଟଙ୍କା କାରବାର କରୁଥିବା ଅବିନାଶ ଦାଶ ଜଣକ କିଏ ଏବଂ ତାଙ୍କ ସହିତ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ କଣ ସଂପର୍କ ରହିଛି, ତାହା ରାଜ୍ୟ ସରକାର ନିହାତି ଭାବେ ସ୍ପଷ୍ଟ କରିବା ଉଚିତ୍ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି ।

ବିଜେପି ଅଭିଯୋଗ କରିଛି ଯେ, କୃଷି ବିଭାଗରେ ହଜାର ହଜାର କୋଟି ଟଙ୍କା ଦୁର୍ନୀତି ପଛରେ ବିଭାଗୀୟ ମନ୍ତ୍ରୀ, ସଚିବଙ୍କ ସମେତ ଶାସକ ଦଳର ବହୁ ନେତାଙ୍କ ପ୍ରତ୍ୟକ୍ଷ ସଂପୃକ୍ତି ରହିଛି । କୃଷି ବିଭାଗର ଉଦ୍ୟାନ କୃଷିରେ ହୋଇଥିବା ଘୋଟାଲା ଏକ ଜ୍ୱଳନ୍ତ ଉଦାହରଣ । ରାଷ୍ଟ୍ରୀୟ ବିକାଶ ଯୋଜନା ଅଧିନରେ ଏବଂ ବିଭିନ୍ନ ସ୍କିମ ଯଥା ବିଜିଇଆରଆଇ, ଏନଏଫଏସଏମ୍ , ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, ଟିଆରଏଏଫଏ ଆଦି ଯୋଜନାରେ ବ୍ୟାପକ କେନ୍ଦ୍ରୀୟ ଅନୁଦାନ ରାଜ୍ୟକୁ ଆସୁଛି । କିନ୍ତୁ ଭ୍ରଷ୍ଟାଚାରୀ ଓ ଦୁର୍ନୀତିଖୋର ରାଜ୍ୟ ସରକାର ଚାଷୀକୁଳଙ୍କ ସ୍ୱାର୍ଥ ପାଇଁ ଆସୁଥିବା କେନ୍ଦ୍ରୀୟ ଅନୁଦାନକୁ ଚଂଚକତା କରି ହଡପ୍ କରୁଛନ୍ତିି । କୃଷି ବିଭାଗରେ ଦୁର୍ନୀତିର ଚେର ବହୁ ଲମ୍ବା ହୋଇସାରିଛି ଏବଂ ତଳରୁ ଉପରୁ ପର୍ଯ୍ୟନ୍ତ ଶାସକ ଦଳର ବହୁ ମନ୍ତ୍ରୀ ଓ ନେତା ଏହି ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ।

ସେ କହିଛନ୍ତି ଯେ, କୃଷି ବିଭାଗ ଦୁର୍ନୀତିର ମାଳମାଳ ତାଲିକାରୁ ଗୋଟିଏର ଉଦାହରଣ ଦେଇ ସେ କହିଛନ୍ତି ଯେ, ସରକାରୀ ପ୍ରେସରେ ମୁଦ୍ରିତ ‘ଡାଲି ଜାତୀୟ ଫସଲ ଚାଷ କୈାଶଳ' ପୁସ୍ତକକୁ ୩୧ ଟଙ୍କାରେ ନକିଣି ଠିକଣା ନଥିବା ଏହି ଅବିନାଶ ଦାଶଙ୍କର ସୋନାଲି କ୍ରିଏସନ, ଭୁବନେଶ୍ୱର ଦ୍ୱାରା ମୁଦ୍ରିତ ହୋଇଥିବା ନିମ୍ନମାନର ସମାନ ବହିକୁ ୬୦ ଟଙ୍କା ଦରରେ ୮ଟି ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀମାନେ କିଣିଛନ୍ତ । ଏହି ବହିକୁ ସୋନାଲୀ କ୍ରିଏସନରୁ କିଣିବା ପାଇଁ କୃଷି ବିଭାଗ ତରଫରୁ ଚିଠି ଦ୍ୱାରା ନିର୍ଦ୍ଦେଶ ଦିଆଯାଇଥିଲା କାହିଁକି ଏବଂ ଏଭଳି ଚଂଚକତା କରି ଟଙ୍କା ହଡ଼ପ କରିବା ପଛରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁଙ୍କ ପ୍ରତ୍ୟକ୍ଷ ହାତ ରହିଛି ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।

ରାଜ୍ୟ କୃଷି ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀମାନେ ଚଂଚକତା କରି ୨୦୦ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନକୁ ମିଳିମିଶି ଲୁଟ୍ କରିଛନ୍ତି । ଏହି ଦୁର୍ନୀତିରେ ରାଜ୍ୟ କୃଷି ମନ୍ତ୍ରୀ ଓ ବିଭାଗୀୟ ସଚିବ ସଂପୃକ୍ତ ଥିବାବେଳେ ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ଫାଇଭ-ଟି ସଚିବ ନୀରବ କାହିଁକି ? ଏ ଅବିନାଶ ଦାଶଙ୍କୁ କାହିଁକି ରାଜ୍ୟ ସରକାର ଘଣ୍ଟ ଘୋଡ଼ାଉଛନ୍ତି । ଏହି ୨୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦୁର୍ନୀତି ବିରୁଦ୍ଧରେ କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବା ସହିତ ଏହାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ ବୋଲି ଶ୍ରୀ ପୁରୋହିତ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରଂଜନ ମଙ୍ଗରାଜ, କାମାକ୍ଷା ପ୍ରସାଦ ପ୍ରଧାନ, କିଶୋର ସୁତାର ଓ ହିତେଶ ମହାପାତ୍ର ଉପସ୍ଥିତ ଥିଲେ ।

Related story