ସମ୍ବଲପୁର (ଓଡ଼ିଶା ରିପୋର୍ଟର): ୫ ଦିନ ଧରି ପାଣି ଭିତରେ ଜୀବନ ସହିତ ସଂଘର୍ଷ କରୁଥିବା ହାତୀର ଆଜି ମୃତ୍ୟୁ ହୋଇଛି। ବନ ବିଭାଗ ତାକୁ ବଞ୍ଚାଇ ପାରିନାହିଁ। ଆଜି କ୍ରେନ୍ ସହାୟତାରେ ପୋଖରୀରୁ ଉଦ୍ଧାର କରିବାର କିଛି ସମୟ ପରେ ହାତୀର ମୃତ୍ୟୁ ଘଟିଛି। ତେବେ ଏଠି ପ୍ରଶ୍ନ ଉଠୁଛି, ହାତୀକୁ ଯଦି ବଞ୍ଚାଇବାର ଇଚ୍ଛା ଥିଲା, ତାହା ହେଲେ ବନ ବିଭାଗ କାହିଁକି ଏତେଦିନ ଧରି ପୋଖରୀ ପାଣି ଭିତରେ ଚିକିତ୍ସା କରୁଥିଲା? ଯଦି ପାଣିରେ ରଖି ହାତୀକୁ ଚିକିତ୍ସା କରିବା ଠିକ୍ ଥିଲା, ତାହାହେଲେ ୫ ଦିନ ପରେ କାହିଁକି କ୍ରେନ୍ ସହାୟତାରେ ପୋଖରୀ ତୁଠକୁ ଉଠାଇଥିଲା? ଏପରି ନାନା ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡ଼ିଛି ବନ ବିଭାଗ।
ଗତ ଗୁରୁବାର ରାତିରେ ସମ୍ବଲପୁର ବନଖଣ୍ଡ ଅନ୍ତର୍ଗତ ବଡସାହିର ଫରେଷ୍ଟ ରେଞ୍ଜ ଅଞ୍ଚଳରୁ ଗୋଟିଏ ହାତୀ ପାଣି ପିଇବା ପାଇଁ ସାପଲହରା ସ୍ଥିତ ପୋଖରୀକୁ ଆସିଥିଲା। ପାଣି ପିଉଥିବା ବେଳେ ହାତୀଟି କାଦୁଅରେ ଫସି ଯାଇଥିଲା। ହେଲେ ବାହାରି ପାରିନଥିଲା। ଶୁକ୍ରବାର ସକାଳେ ଗାଁ ହାତୀକୁ ଦେଖି ବନ ବିଭାଗକୁ ଦେଇଥିଲେ।
ବନ ବିଭାଗ ସାପଲହରା ଗାଁରେ ପହଞ୍ଚି ପୋଖରୀରୁ ହାତୀକୁ ଉଦ୍ଧାର କରିବା ପରିବର୍ତ୍ତେ ସେହିଠାରେ ଚିକିତ୍ସା ଆରମ୍ଭ କରିଥିଲା। ହେଲେ ହାତୀର ସ୍ୱାସ୍ଥ୍ୟାବସ୍ଥା ସୁଧୁରୁ ନଥିଲା। ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡ଼ୁଥିବା ଦେଖି ବନ ବିଭାଗ ଗାଁ ଲୋକଙ୍କ ସହାୟତାରେ ସୋମବାର ହାତୀକୁ ପୋଖରୀରୁ ଉଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲା। ହେଲେ ତାହା ସମ୍ଭବପର ହୋଇନଥିଲା। ଶେଷରେ ଆଜି ବନ ବିଭାଗ କ୍ରେନ୍ ଧରି ପୋଖରୀ ପାଖରେ ପହଞ୍ଚିଥିଲା। ଆଉ ପୋଖରୀରେ ପଡ଼ିଥିବା ହାତୀକୁ କ୍ରେନ୍ ମାଧ୍ୟମରେ ତୁଠକୁ ଆଣିଥିଲା। ତା’ପରେ ହାତୀର ମୃତ୍ୟୁ ହୋଇଯାଇଥିଲା।