ଖୋଲାରେ ବୁଲୁଛନ୍ତି କଏଦୀ: ଜମୁଛି ମଦ ଓ ଗଞ୍ଜେଇ ଆସର

ବରଗଡ଼ (ଓଡ଼ିଶା ରିପୋର୍ଟର): ସାଧାରଣ ଜୀବନରେ ଅପରାଧ କଲେ ଜେଲ୍‌ ଯିବାକୁ ପଡ଼ିଥାଏ। ବିଚାର ସମୟରେ ଜେଲ ଚାରିକାନ୍ଥ ଭିତରେ ବିତିଥାଏ ଜୀବନ। ସେଠାରେ ସେମାନଙ୍କ ମନ ଭିତରେ ସଂସ୍କାର ଆଣିବା ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଇଥାଏ। କିନ୍ତୁ ଆମ ରାଜ୍ୟରେ ଏମିତି ଏକ ଜେଲ ରହିଛି, ଯେଉଁଠି ଅପରାଧୀଙ୍କ ପାଇଁ କୌଣସି ବାରଣ ନାହିଁ। ଜେଲ ଭିତରେ ଓ ବାହାରେ ନିର୍ଭୟରେ ବୁଲୁଛନ୍ତି। ଟଙ୍କା ଦେଣନେଣ ସହ ଖୋଲା ଖୋଲି ଚାଲେ ନିଶା କାରବାର କରୁଛନ୍ତି। ଏପରିକି ଜେଲ କର୍ମଚାରୀ ମଧ୍ୟ ହାତଗୁଞ୍ଜା ନେଉଥିବା ଦେଖିବାକୁ ମିଳିଛି। ଏପରି ଭୟଙ୍କର କାମ ଚାଲିଛି ବରଗଡ ଜେଲ୍‌ରେ। ଏ ସବୁ ଅନିୟମିତତା କାମ କ୍ୟାମେରାରେ କଏଦ ହୋଇଛି।

ବରଗଡ ଉପ-କାରାଗାରରେ ଆଜୀବନ କାରାଦାଣ୍ଡ ଭୋଗୁଥିବା କଏଦୀ ବିନୟ ଖମାରୀ। ସେ ନିର୍ଭୟରେ ଅପରାଧୀମାନଙ୍କ ଠାରୁ ଟଙ୍କା ନେଇ ନିଶା ସାମଗ୍ରୀ ଯୋଗାଇ ଦେଉଛନ୍ତି। ଏପରିକି କାହାର କୋଉ ନିଶା ବରାକାର ସେହି ତାଲିକା ମଧ୍ୟ ନେଉଛି। ଆଉ ଏସବୁ ଚାଲେ ଖୋଦ ଜେଲ କର୍ମଚାରୀଙ୍କ ଉପସ୍ଥିତିରେ। ଏହାଛଡ଼ା ବ୍ୟାୟାମ କରିବା ପାଇଁ ଜେଲ ଭିତରେ ସେ ତିଆରି କରିଛି ଜିମ୍‌। ଖାଲି ସେତିକି ନୁହେଁ, ଜେଲ ଭିତରେ ଇଲେକ୍‌ଟ୍ରୋଟିକ୍ସ ଧାରୁଆ ସେଭିଂ ମେସିନ ବାରଣ ହୋଇଥିଲେ ମଧ୍ୟ ସେ ଖୋଲାଖୋଲି ଭାବେ ବ୍ୟବହାର କରୁଛି।

ବିନୟଙ୍କ ସାନ ଭାଇ ବୀର ଖମାରୀ। ସେ ମଧ୍ୟ ଜଣେ ଆଜୀବନ କାରାଦଣ୍ଡରେ ଦଣ୍ଡିତ। କିନ୍ତୁ ସେ ଜେଲ ବାହାରେ ଆରାମରେ ବୁଲୁଛି। ବୀର କଏଦୀ ଡ୍ରେସରେ ନୁହେଁ, ଜିନ୍ସ ପ୍ୟାଣ୍ଟ ଓ ସାର୍ଟରେ ଜେଲ ବାହାରେ ବୁଲୁଛି। ଜେଲ ଭିତରକୁ ନିଶା ଦ୍ରବ୍ୟ ସହିତ ଅନ୍ୟାନ୍ୟ ଜିନିଷ ନେଇ ଯୋଗାଇ ଦେଉଛି।

ବିଚାରାଧୀନ କଏଦୀ ସାହିଲ। ଜେଲ ଭିତରେ ଥିବା ଫାର୍ମାସିଷ୍ଟଙ୍କ ରୁମ୍‌ ଭିତରେ ଥିବା ଚେୟାରରେ ଆରାମରେ ବସି ମୋବାଇଲରେ କଥା ହେଉଛି। ସାହିଲ ଘଣ୍ଟା ଘଣ୍ଟା ଧରି ଏପରି କଥା ହେଉଥିଲେ ମଧ୍ୟ ଏଥିପ୍ରତି କାହାରି ନଜର ନାହିଁ।

କଏଦୀଙ୍କ ଭଳି ଜେଲ କର୍ମଚାରୀମାନେ ମଧ୍ୟ ବିଭିନ୍ନ ଅନିୟମିତତା କାମରେ ଲିପ୍ତ ରହିଛନ୍ତି। ଜେଲ ବାହାରେ ଜଣେ ଜେଲ କର୍ମଚାରୀ ଅନ୍ତେବାସୀଙ୍କଠାରୁ ଟଙ୍କା ନେଉଛନ୍ତି। ଏଥିପାଇଁ ତାଙ୍କ ମନରେ ତିଳେ ମାତ୍ର ଭୟ ମଧ୍ୟ ନାହିଁ। ଏହି ଭିଡିଓ କ୍ୟାମେରାରେ କଏଦ ହୋଇଛି। ଏପରିକି ଟଙ୍କା ଦେବା ନେବା ସଂର୍ପକରେ ଖୁଲମଖୁଲ୍ଲା କଥା ମଧ୍ୟ ହେଉଛନ୍ତି।

ବରଗଡ଼ ଜେଲ ଭିତରେ ନିଶା କାରବାର। ଅନ୍ତେବାସୀଙ୍କ ମଧ୍ୟରେ ଗଂଜେଇର ଆସର ଚାଲିଛି। ଗଂଜେଇ ପିଆ ଓ ମଦ ବୋତଲ ଧରି ଫଟୋ ପୋଜ ଦେଉଛନ୍ତି ଅନ୍ତେବାସୀ। ଏହାଛଡ଼ା ଜେଲ ଭିତରେ ଜୁଆ ଖେଳ ହେଉଥିବା ଦୃଶ୍ୟ ବି କ୍ୟାମେରାରେ କଏଦ୍ ହୋଇଛି। ଆଜୀବନ କାରାଦାଣ୍ଡରେ ଦଣ୍ଡିତ କଏଦୀ ବୀରେନ ପ୍ରଧାନ ଜୁଆ ଖେଳର ମୁଖିଆ ଥିବା ଜଣାପଡ଼ିଛି।