ମିଆଁମାର ଉପକୂଳରେ ଘୂର୍ଣ୍ଣିବଳୟ, ଓଡ଼ିଶାରେ ଜିଲ୍ଲାପାଳଙ୍କୁ ଆଲର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୫ରୁ ୨୭ତାରିଖ ମଧ୍ୟରେ ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ଲଘୁଚାପ ବର୍ଷା ହେବାର ସମ୍ଭାବନା ଥିବା ଦର୍ଶାଇ ସମସ୍ତ ଜିଲ୍ଲାପାଳଙ୍କୁ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗରୁ ମିଳିଥିବା ତଥ୍ୟକୁ ଉଲ୍ଲେଖ କରି ଏସଆରସିଙ୍କ ଅଫିସ କହିଛି ଯେ, ମିଆଁମାର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି […]

cyclone

Ordigital Desk
  • Published: Wednesday, 22 September 2021
  • , Updated: 22 September 2021, 10:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମିଆଁମାର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୫ରୁ ୨୭ତାରିଖ ମଧ୍ୟରେ ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ଲଘୁଚାପ ବର୍ଷା ହେବାର ସମ୍ଭାବନା ଥିବା ଦର୍ଶାଇ ସମସ୍ତ ଜିଲ୍ଲାପାଳଙ୍କୁ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଲର୍ଟ ଜାରି କରାଯାଇଛି ।

ପାଣିପାଗ ବିଭାଗରୁ ମିଳିଥିବା ତଥ୍ୟକୁ ଉଲ୍ଲେଖ କରି ଏସଆରସିଙ୍କ ଅଫିସ କହିଛି ଯେ, ମିଆଁମାର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳରେ ୨୪ତାରିଖ ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ୨୫ରୁ ୨୭ତାରିଖ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ସେହିପରି ଆଜି ସମଗ୍ର ରାଜ୍ୟରେ ହାରାହାରି ୮.୨ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ମୟୂରଭଞ୍ଜର ଶୁଳିଆପଦା ବ୍ଲକରେ ସର୍ବାଧିକ ୨୦୫ମିମି, ଚମ୍ପୁଆ, କୁଳିଙ୍ଗା,ତିରଙ୍ଗ ଓ ସାରସକଣା ବ୍ଲକରେ ୧୧୧ରୁ ୧୭୪ମିମି ବର୍ଷା ରେକର୍ଡ କରାଯାଇଛି । ୫ଟି ବ୍ଲକରେ ୫୦ରୁ ୧୦୦ମିମି ବର୍ଷା ଓ ୩୮ଟି ବ୍ଲକରେ ୨୦ରୁ ୫୦ମିମି ବର୍ଷା ରେକର୍ଡ ହୋଇଛି ।

ଚଳିତମାସରେ ଭଲ ବର୍ଷା ସତ୍ତ୍ୱେ ରାଜ୍ୟର ୬ଟି ଜିଲ୍ଲା ଯଥା କେନ୍ଦୁଝର, ଦେବଗଡ଼, ଭଦ୍ରକ, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଚଳିତ ମୌସୁମୀରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଏଠାରେ ହାରାହାରି ବର୍ଷା ତୁଳନାରେ ୧୯ରୁ ୩୯ ପ୍ରତିଶତ କମ୍ ବର୍ଷା ହୋଇଛି । ସମଗ୍ର ରାଜ୍ୟରେ ଜୁନରୁ ଆଜି ପର୍ଯ୍ୟନ୍ତ ହାରାହାରି ୮.୬ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି ବୋଲି ଏସଆରସିଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି ।

Related story