ମିଶନ ଶକ୍ତି ଉପଦେଷ୍ଟା ଘୋଷଣା କରି ଭୁଲିଗଲେ ସରକାର, ଏବେ ଭୋଟରଙ୍କ ପାଳି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପରଠୁ ରାଜ୍ୟରେ ‘ଫାଇଭ-ଟି ଓ ମୋ ସରକାର’ ଚାଲିଥିବାର ଦମ୍ଭୋକ୍ତି ବାଢ଼ୁଥିବା ତଥା ମିଶନ୍ ଶକ୍ତି ଡିଣ୍ଡିମ ପିଟୁଥିବା ବିଜେଡି ସରକାରରେ ଖୋଦ୍ ବିଜେଡିର ବରିଷ୍ଠ ନେତ୍ରୀମାନେ ଅଣଦେଖା ହୋଇ ରହିଛନ୍ତି। ଏପରିକି ବିଜେଡିର ଦୁଇଜଣ ବରିଷ୍ଠ ନେତ୍ରୀଙ୍କୁ ସରକାରୀ ପଦପଦବୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥଇଥାନ କରିବାର ଦୁଇମାସ ବିତିବାକୁ ବସିଥିଲେ ମଧ୍ୟ ତାହା କେବଳ ଘୋଷଣା ମଧ୍ୟରେ ସୀମିତ ରହି ଯାଇଥିବା ଜଣାପଡ଼ିଛି । ଯେଉଁ […]

lopamudra baxipatra

lopamudra baxipatra

Ordigital Desk
  • Published: Thursday, 24 November 2022
  • Updated: 24 November 2022, 12:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପରଠୁ ରାଜ୍ୟରେ ‘ଫାଇଭ-ଟି ଓ ମୋ ସରକାର’ ଚାଲିଥିବାର ଦମ୍ଭୋକ୍ତି ବାଢ଼ୁଥିବା ତଥା ମିଶନ୍ ଶକ୍ତି ଡିଣ୍ଡିମ ପିଟୁଥିବା ବିଜେଡି ସରକାରରେ ଖୋଦ୍ ବିଜେଡିର ବରିଷ୍ଠ ନେତ୍ରୀମାନେ ଅଣଦେଖା ହୋଇ ରହିଛନ୍ତି। ଏପରିକି ବିଜେଡିର ଦୁଇଜଣ ବରିଷ୍ଠ ନେତ୍ରୀଙ୍କୁ ସରକାରୀ ପଦପଦବୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥଇଥାନ କରିବାର ଦୁଇମାସ ବିତିବାକୁ ବସିଥିଲେ ମଧ୍ୟ ତାହା କେବଳ ଘୋଷଣା ମଧ୍ୟରେ ସୀମିତ ରହି ଯାଇଥିବା ଜଣାପଡ଼ିଛି । ଯେଉଁ ମିଶନ ଶକ୍ତି ସଦସ୍ୟାମାନଙ୍କୁ(ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ) ନିଜର ଭୋଟ୍ ବ୍ୟାଙ୍କ ଭାବେ ବିଜେଡି ଉପଯୋଗ କରି ଆସୁଛି ସେହି ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଭାବେ ୨ଜଣ ବରିଷ୍ଠ ବିଜେଡି ନେତ୍ରୀଙ୍କୁ ଗତ ଅକ୍ଟୋବର ୯ତାରିଖରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ଦେଇଥିଲେ ମଧ୍ୟ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇ ନଥିବାରୁ ସେମାନେ ଏପର୍ଯ୍ୟନ୍ତ ନିଜର କାର୍ଯ୍ୟ ଆରମ୍ଭ କରିପାରିନଥିବା ଜଣାପଡ଼ିଛି । ଫାଇଭ-ଟି କଥା କହୁଥିବା ବିଜେଡି ସରକାର ଯେଉଁଠି ନିଜ ଦଳର ବରିଷ୍ଠ ନେତ୍ରୀମାନଙ୍କୁ ଠକିବାକୁ ପଛାଉ ନାହିଁ, ସେଠି ସ୍ଥାନୀୟ ମହିଳା ଭୋଟରଙ୍କୁ କିଏ ପଚାରେ ।
ମିଳିଥିବା ସୂଚନା ଅନୁସାରେ, ଗତ ଅକ୍ଟୋବର ୯ତାରିଖରେ ବିଜେଡିର ଦୁଇଜଣ ବରିଷ୍ଠ ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର ଓ ଗୀତା ବସ୍ତିଆଙ୍କୁ ମିଶନ ଶକ୍ତି ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଥିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା ବି ହୋଇଥିଲା । କିନ୍ତୁ ଇତିମଧ୍ୟରେ ୨ମାସ ବିତିବାକୁ ବସିଲାଣି, ସେମାନଙ୍କୁ ଆବଂଟିତ ଦାୟିତ୍ୱ ତୁଲାଇବାକୁ ସମ୍ପୃକ୍ତ ଦୁଇ ବରିଷ୍ଠ ନେତ୍ରୀ ଏପର୍ଯ୍ୟନ୍ତ ସକ୍ଷମ ହୋଇପାରିନାହାନ୍ତି । ମହିଳା ଏସଏଚଜି ସଂକ୍ରାନ୍ତ ସମସ୍ତ କାର୍ଯ୍ୟ ଗୋଟିଏ ଛାତ ତଳେ ଉପଲବ୍ଧ କରିବା ନିମନ୍ତେ ରାଜ୍ୟରେ ୨୦୨୧ ଜୁନ୍ ପହିଲାରୁ ସ୍ୱତନ୍ତ୍ର ଭାବେ ‘ମିଶନ ଶକ୍ତି’ ବିଭାଗ କାର୍ଯ୍ୟ କରୁଛି । ଏହି ବିଭାଗର କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ନିମନ୍ତେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୨ଜଣ ଦଳୀୟ ବରିଷ୍ଠ ନେତ୍ରୀଙ୍କୁ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି । କିନ୍ତୁ ଫାଇଭ-ଟି କଥା କହୁଥିବା ସରକାର ଓ ମିଶନ ଶକ୍ତି ବିଭାଗ ଏପର୍ଯ୍ୟନ୍ତ ସମ୍ପୃକ୍ତ ଦୁଇ ନେତ୍ରୀଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ କରିବାକୁ ଆଗ୍ରହ ଦେଖାଇ ନାହିଁ ।
୨୦୧୯ ସାଧାରଣ ନିର୍ବାଚନ ପରେ କେବଳ ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ଏହି ମିଶନ ଶକ୍ତିର ଉପଦେଷ୍ଟା ଦାୟିତ୍ୱ ମିଳିଥିଲା, ଆଉ ଚଳିତବର୍ଷ ଜୁନ୍ ପ୍ରଥମ ସପ୍ତାହରେ ରାଜ୍ୟ ସରକାର ତତ୍କାଳ ପ୍ରଭାବରୁ ସେହି ନିଯୁକ୍ତିକୁ ରଦ୍ଦ କରିଦେଇଥିଲେ । ପରେ ଗତ ଅକ୍ଟୋବର ୯ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଣିଥରେ ୩୬ଜଣ ଦଳୀୟ ନେତାଙ୍କୁ ସରକାରୀ ପଦପଦବୀରେ ଥଇଥାନ କରିଥିଲେ । ଯେଉଁଥିରେ ଲୋପାମୁଦ୍ରାଙ୍କ ସହ ଗୀତା ବସ୍ତିଆଙ୍କୁ ମିଶନ ଶକ୍ତିର ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଥିଲା । ପ୍ରାବଧାନ ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସମ୍ପୃକ୍ତ ବିଭାଗମାନେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରି ସମ୍ପୃକ୍ତ ରାଜନୀତିକ ବ୍ୟକ୍ତିମାନଙ୍କର ଏହି ସରକାରୀ  ନିଯୁକ୍ତି ଓ ସେମାନେ ପାଇବାକୁ ଥିବା ସୁବିଧାସୁଯୋଗକୁ ସରକାରୀ ମୋହର ଦେଇଥାନ୍ତି ।  ପ୍ରାୟତଃ ସମସ୍ତେ ଇତିମଧ୍ୟରେ ଦଳୀୟ ନେତାମାନେ ନିଜର ସରକାରୀ ଦାୟିତ୍ୱ ଗ୍ରହଣ କରିସାରିଥିବାବେଳେ ‘ମିଶନ ଶକ୍ତି’ର ଏହି ୨ଜଣ ଉପଦେଷ୍ଟା ନିଜର ଦାୟିତ୍ୱ ନେଇପାରିନଥିବା ଜଣାପଡ଼ିଛି ।
ତେବେ ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଶ୍ରୀମତୀ ବସ୍ତିଆ କହିଛନ୍ତି ଯେ, ଧାମନଗର ଓ ପଦ୍ମପୁର ଉପନିର୍ବାଚନ ପାଇଁ ଦାୟିତ୍ୱ ନେବାରେ ବିଳମ୍ବ ହୋଇଛି । ଆସନ୍ତା ୪-୫ ଦିନ ଭିତରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ଓ ସେ ଦାୟିତ୍ୱ ଗ୍ରହଣ କରିବେ ।
ଚର୍ଚ୍ଚା ହେଉଛି, ମିଶନ ଶକ୍ତି ବିଭାଗର ସଚିବ ଭାବେ ‘ଫାଇଭ-ଟି ସଚିବ’ଙ୍କ ପତ୍ନୀ ତଥା ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍ କାର୍ଯ୍ୟ କରୁଥିବାରୁ ଏହି ବିଜ୍ଞପ୍ତି ପ୍ରକାଶ କରିବାରେ ବିଳମ୍ବ କାହିଁକି ହେଉଛି ସେ ନେଇ କେହି ପ୍ରଶ୍ନ କରିବାକୁ ସାହାସ କରିପାରୁନାହାନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ୨ମାସ ପରେ ବି ମିଶନ ଶକ୍ତି ଉପଦେଷ୍ଟା ଭାବେ ଦୁଇ ବରିଷ୍ଠ ବିଜେଡି ନେତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ସକ୍ଷମ ହୋଇପାରୁନଥିବାବେଳେ ସାଧାରଣ ମିଶନ ଶକ୍ତି ସଦସ୍ୟମାନେ ନିଜର ଆପତ୍ତି କିଭଳି ସରକାର ବା ବିଭାଗ ପାଖରେ ପହଂଚାଇବେ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଏପଟେ ବିଭିନ୍ନ ନିର୍ବାଚନ ଜିତିବା ପାଇଁ ପ୍ରାୟ ଏକ ଦଶନ୍ଧି ଧରି ମିଶନ ଶକ୍ତି ସଦସ୍ୟାମାନଙ୍କୁ ମହିଳା ଭୋଟ୍ ବ୍ୟାଙ୍କ ଭାବେ ଉପଯୋଗ କରି ଆସୁଥିବା ଶାସକ ବିଜେଡି ପାଇଁ ପଦମପୁର ଉପନିର୍ବାଚନ ମୁଣ୍ଡବ୍ୟଥା ବଢ଼ାଇ ଦେଇଛି ।
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ସଦସ୍ୟାମାନଙ୍କୁ ପ୍ରଭାବିତ କରି ଭୋଟ ହାତେଇବାର ବିଜେଡିର ଫର୍ମୂଲା ଧାମନଗର ଉପନିର୍ବାଚନରେ ଫେଲ୍ ମାରିବା ପରେ ଅନୁରୂପ ପରିସ୍ଥିତି ପଦ୍ମପୁରରେ ସୃଷ୍ଟି ହେବାର ଆଶଙ୍କା ରହିଛି । ବିଶେଷକରି ପଦ୍ମପୁର ନିର୍ବାଚନମଣ୍ଡଳୀରେ ବୁଥସ୍ତରରେ ବିଜେପି ନିଜର କ୍ୟାଡ଼ରକୁ ସଜାଗ ରଖିଥିବାରୁ ଏପର୍ଯ୍ୟନ୍ତ ମହିଳା ଏସଏଚଜିଙ୍କ ମାଧ୍ୟମରେ ଭୋଟରଙ୍କୁ ପ୍ରଭାବିତ କରିବା ବିଜେଡି ପାଇଁ ସକ୍ଷମ ହୋଇପାରିନି । ଯଦିଓ ବ୍ଲକ ଓ ପଂଚାୟତସ୍ତରରେ ମିଶନ ଶକ୍ତିରେ କାମ କରୁଥିବା ସିଆରପି,ଏମବିକେମାନଙ୍କୁ ଡାକି ବିଜେଡି ନେତା ଓ ମନ୍ତ୍ରୀମାନେ ବୈଠକ କରିସାରିଛନ୍ତି ତଥାପି ତା’ର ପ୍ରଭାବ ଏପର୍ଯ୍ୟନ୍ତ ତୃଣମୂଳସ୍ତରରେ ଅନୁଭୂତ ହୋଇପାରିନଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos