ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ସୁପ୍ରିମକୋର୍ଟରେ ଝୁଲୁଛି ରଥଯାତ୍ରା ଭାଗ୍ୟ । କରୋନା ମହାମାରୀକୁ ଆଳ କରି କିଏ ରଥଯାତ୍ରା ବନ୍ଦ ପାଇଁ ମାମଲା ଦାଏର କରିଛି, ତ’ କିଏ ରଥଯାତ୍ରା ଆୟୋଜନ ସପକ୍ଷରେ ଦାଖଲ କଲାଣି ଲିଭ୍ ପିଟିସନ୍ ସାଙ୍ଗକୁ କ୍ୟାଭେଟ୍ । ତେବେ ଆସନ୍ତାକାଲି ମାମଲାର ଶୁଣାଣି ପରେ ସ୍ପଷ୍ଟ ହେବ ଚିତ୍ର । ଏଣେ ରାଜ୍ୟ ସରକାର ବି ନିଷ୍ପତ୍ତି ନେବାରେ ବିଳମ୍ବ କରୁଥିବାରୁ ବଢୁଛି ବିରୋଧୀଙ୍କ ଆକ୍ଷେପ। ସେପଟେ ଅଣସର ଘରେ ଆଜି ଦଶମୂଳ ମୋଦକ ସେବନ ପରେ ସୁସ୍ଥ ହେବେ ଜ୍ୱରରେ ପୀଡିତ ଶ୍ରୀଜିଉ। ଅନ୍ୟପଟେ ୨୩ ତାରିଖ ଘୋଷଯାତ୍ରା ପାଇଁ ସଜବାଜ ହେଉଛି ତିନିରଥ।
ଆସନ୍ତାକାଲି ରଥଯାତ୍ରା ସଂକ୍ରାନ୍ତରେ ହେବ ଶୁଣାଣି । ଖୋଦ୍ ପ୍ରଧାନବିଚାରପତି ଏସ୍.ଏ. ବୋବଡ଼େଙ୍କ ନେତୃତ୍ୱାଧୀନ ୩ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । ସେପଟେ ରଥଯାତ୍ରା ଆୟୋଜନ ନେଇ ଅବସ୍ଥା ଦେଖି ବ୍ୟବସ୍ଥା କରିବାକୁ ପୂର୍ବରୁ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିବା ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାଖଲ ହୋଇଛି ଆଉ ଏକ ସ୍ୱତନ୍ତ୍ର ଲିଭ୍ ପିଟିସନ ।
ଏପଟେ ଆଜି ଶ୍ରୀ ଜଗନ୍ନାଥ ସଂସ୍କୃତି ଜନଜାଗରଣ ସୁରକ୍ଷା ମଞ୍ଚ ଓ ପୁରୀ ବାର ଆସୋସିଏସନ ଆଡଭୋକେଟଙ୍କ ପକ୍ଷରୁ ଯାତ୍ରା ହେବା ସପକ୍ଷରେ ସୁପ୍ରିମକୋର୍ଟରେ କ୍ୟାଭେଟ୍ ଫାଇଲ୍ ହୋଇଛି। ତେଣୁ ଏଠି ପ୍ରଶ୍ନ ୨୩ ତାରିଖ ରଥଯାତ୍ରା ପୂର୍ବରୁ ଆଇନର ଇନ୍ଦ୍ର ଜାଲରୁ ମୁକୁଳି ପାରିବ ତ ଓଡ଼ିଇା ଜାତିର ଏ ଅସ୍ମିତା ? ତେଣେ ରାଜ୍ୟ ସରକାର ମଧ୍ୟ ଏଯାଏଁ ରଥଯାତ୍ରା ନିଷ୍ପତ୍ତି ନେଇନଥିବାରୁ ବଢୁଛି ଦ୍ୱନ୍ଦ୍ୱ।
ସେପଟେ ଘୋଷଯାତ୍ରା ନିଷ୍ପତ୍ତିରେ ବିଳମ୍ବକୁ ନେଇ ରାଜ୍ୟ ସରକାରଙ୍କ ଉପରେ ପୁଣି ବର୍ଷିଲେ ବିରୋଧୀ । ଏମିତିକି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ରଥଯାତ୍ରା ସମ୍ପର୍ତିକ କୋର୍ଟ ମାମଲାକୁ ପ୍ରାୟୋଜିତ ବୋଲି କହିଛନ୍ତି କଂଗ୍ରେସ କହିଛି ମାମଲା । ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ଏହା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଜବାବ ରଖି ବିଜେଡି କହିଛି ମହାପ୍ରଭୁଙ୍କ ଯାତ୍ରାକୁ ବିବାଦ କରିବା ଅନୁଚିତ୍।