ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନିର୍ବାଚନ କମିଶନଙ୍କ ଆମ୍ବାସାଡର ତଥା ଆଥ୍ଲେଟ୍ ଦୂତୀ ଚାନ୍ଦଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେ ବିଜେଡିର କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର କରୁଥିବା ଅଭିଯୋଗ ହୋଇଛି। ସୋଶାଲ୍ ମିଡିଆରେ ସେ ଅଚ୍ୟୁତଙ୍କ ପାଇଁ ଭୋଟ୍ ମାଗୁଥିବା ଅଭିଯୋଗ ହୋଇଛି।
ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ସେ କହିଛନ୍ତି, ଅଭିଯୋଗର ଯାଞ୍ଚ କରାଯିବ। ନିର୍ବାଚନ କମିଶନଙ୍କ ଆମ୍ବାସାଡ଼ର ହୋଇ ଏପରି କରିବା ଠିକ୍ ନୁହେଁ।
କେବଳ ନିର୍ବାଚନ କମିଶନ୍ଙ୍କ ଆମ୍ବାସାଡର ନୁହେଁ, ଦୂତୀ ଜଣେ ସରକାରୀ କର୍ମଚାରୀ ଭାବେ ମଧ୍ୟ କାର୍ଯ୍ୟରତ। ତେଣୁ ଏହା ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ଅଭିଯୋଗ ହୋଇଛି।
ଏ ନେଇ ଦୂତୀ କହିଛନ୍ତି,“ମୁଁ କୌଣସି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିନି କି କାହାକୁ ଭୋଟ୍ ଦେବାକୁ ଅନୁରୋଧ କରିନି। ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ଶୁଭେଚ୍ଛା ଜଣାଇଛି ଓ ତାଙ୍କ ସ୍ୱପ୍ନ ସାକାର ହେଉ ବୋଲି କହିଛି।”
ସେ ଆହୁରି କହିଛନ୍ତି,“ମୁଁ କୌଣସି ଦଳ ବା ଚିହ୍ନ କଥା ଲେଖିନାହିଁ। ମୁଁ କୌଣସି ଦଳକୁ ବି ସମର୍ଥନ କରି ନାହିଁ। ମୁଁ ଏହାକୁ କାହାକୁ ଶେୟାର କରିବାକୁ ବି ଅନୁରୋଧ କରିନାହିଁ। ମୁଁ କେବଳ ସାରଙ୍କର ଓ ମୋ’ର ଫଟୋ ଦେଇଛି। ମୁଁ ଖେଳିବାକୁ ଗଲା ବେଳେ ସାର୍ ମତେ ଶୁଭେଚ୍ଛା ଜଣାନ୍ତି। ତେଣୁ ମୁଁ ବି ତାଙ୍କୁ ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।