ଢେଙ୍କାନାଳ( ରାଜଶ୍ରୀ ଶତପଥୀ): ଦେଢ ବର୍ଷ ତଳେ ଗଢ଼ିଥିଲେ ସଂସାର। କୋଳକୁ ଛୁଆଟିଏ ବି ଆସିଥିଲା। ହେଲେ କଲବଲ କଲା ପାରିବାରିକ ବିବାଦ । ସବୁବେଳେ ଦାମ୍ପତ୍ୟ କଳହ ଲାଗି ରହୁଥିବା ବେଳେ ନୂଆ ବର୍ଷରେ ମିଳିଲା ନବବଧୂର ଝୁଲନ୍ତା ମୃତଦେହ। ଝିଅକୁ କରେଣ୍ଟ ଲଗାଇ ଶାଶୁ ଘର ଲୋକେ ମାରି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏପରିକି ମାରିଦେବା ପରେ ତାହାକୁ ଆତ୍ମହତ୍ୟାର ରୂପ ଦେବାକୁ ସେମାନେ ଝିଅର ମୃତଦେହକୁ ଫ୍ୟାନରେ ଟାଙ୍ଗି ଦେଇଥିବା ବି କହିଛନ୍ତି। ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପୋଡାପଡା ଗାଁରେ ଏଭଳି ସାଂଘାତିକ ଘଟଣା ଘଟିଛି। ମୃତା ମହିଳାଜଣକ ହେଲେ ବାଙ୍ଗୁରସିଙ୍ଗା ଗାଁର ସାଗରିକା ମହାକୁଡ ।
୨୦୨୧ ମସିହା ଜୁଲାଇ ୭ ତାରିଖରେ ସାଗରିକା ପୋଡାପଡା ଗାଁର ରତିକାନ୍ତ ଭୁତିଆଙ୍କୁ ବିବାହ କରିଥିଲେ। ବିବାହ ପରେ ସାଗରିକାଙ୍କୁ ସ୍ୱାମୀ, ଶାଶୁ , ଶ୍ୱଶୁର ଓ ଦିଅର ଶାରିରୀକ ନିର୍ଯାତନା ଦେଉଥିବା ତାଙ୍କ ମା’ ଝରଣା ମହାକୁଡ ଅଭିଯୋଗ କରିଛନ୍ତି।
କିଛି ଦିନ ପୂର୍ବରୁ ଝିଅକୁ ମାରପିଟ କରିବାରୁ ସାଗରିକାଙ୍କ ଘର ଲୋକ ତାଙ୍କୁ ଘରକୁ ମଧ୍ୟ ନେଇ ଯାଇଥିଲେ। ହେଲେ ତାଙ୍କ ଶ୍ୱଶୁର ସୁରେଶ ଭୁତିଆ ଓ ସ୍ୱାମୀ ପହଞ୍ଚି ପୁଣି ବୁଝାବୁଝି କରି ସାଗରିକାଙ୍କୁ ଘରକୁ ଫେରାଇ ନେଇଥିଲେ।
ଗତକାଲି ଭୋର ସମୟରେ ସାଗରିକା ମହାକୁଡଙ୍କ ମୃତଦେହ ଶ୍ୱଶୁର ଘରେ ଫ୍ୟାନରେ ଝୁଲୁଥିବା ଖବର ପାଇ ବାପଘର ଲୋକେ ପହଞ୍ଚିଥିଲେ। ଏହାପରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ସାଗରିକାଙ୍କୁ ଶାଶୁ ଘର ଲୋକେ ମାରି ଦେଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ମୋଟଙ୍ଗା ଥାନାରେ ଏତଲା ଦିଆଯାଇଛି । ଏହାକୁ ଭିତ୍ତି କରି ପୁଲିସ୍ ତାଙ୍କ ସ୍ୱାମୀ ରତିକାନ୍ତ ଭୁତିଆ ଓ ଶଶୁର ସୁରେଶ ଭୁତିଆଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସାଗରିକାଙ୍କର ଏକ ଛୋଟ ଶିଶୁ ରହିଥିବା ବେଳେ ଝିଅକୁ ତା’ ଶାଶୁ ଘର ଲୋକେ ହିଁ ମାରି ଦେଇଥିବା ତା’ ମା ଝରଣା ମହାକୁଡ ଅଭିଯୋଗ କରିଛନ୍ତି ।ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଥ୍ୟ ମିଳିବ ଏବଂ ସେହି ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସଡିପିଓ ସୂର୍ଯ୍ୟମଣୀ ପ୍ରଧାନ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।