କେନ୍ଦୁଝର (ଓଡ଼ିଶା ରିପୋର୍ଟର): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ଆଜି କେନ୍ଦୁଝର ଗସ୍ତରେ ନିର୍ବାଚନୀ ପ୍ରଚାର ପାଇଁ ଆସି ରାଜ୍ୟ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି। ସ୍ଥାନୀୟ ମେଡିକାଲ୍ କଲେଜରେ ଆୟୋଜିତ ସଭାରେ ଯୋଗଦେଇ ଅମିତ୍ ଶାହ କହିଛନ୍ତି ଯେ, ‘୧୯ ବର୍ଷ ହେଲା ନବୀନ ଏଠି ଅଛନ୍ତି। ହେଲେ ଏଠି ପିଇବା ପାଇଁ ପାଣି ଟୋପେ ମିଳୁନି। ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ହଜାର ହଜାର ଓଡ଼ିଆ ଯୁବକ କାମ ପାଇଁ ବାହାରକୁ ଯାଉଛନ୍ତି। ଥରେ ନବୀନଙ୍କୁ ଓପାଡ଼ି ଫିଙ୍ଗ, କାମ ପାଇଁ ବାହାରକୁ ଯିବାକୁ ପଡ଼ିବନି। ନବୀନ ବାବୁ ଖଣିଜ ଘୋଟାଲା ଛଡ଼ା ଆଉ କିଛି କରିନାହାନ୍ତି।
ନବୀନଙ୍କ ପାଖରେ ଥିବା ବାବୁଲୋକ ଭ୍ରଷ୍ଟାଚାର କରୁଛନ୍ତି। ନବୀନ ନିର୍ବିକାର। ସେ ଆହୁରି କହିଥିଲେ ଯେ,୫ ବର୍ଷରେ ମୋଦି ସରକାର ଗରିବୀ ହଟାଇବାକୁ ବହୁ କାମ କରିଛନ୍ତି। ନିର୍ବାଚନରେ ମୋଦିଙ୍କୁ ଜିତାଇ, ନବୀନଙ୍କୁ ବିଦା କରିବାର ଅଛି।
ସେ କହିଥିଲେ ଯେ, ଡିଷ୍ଟ୍ରିକ୍ଟ୍ ମିନେରାଲ୍ ଫାଉଣ୍ଡେସନ୍(DMF)ରେ କେନ୍ଦୁଝର ଜିଲ୍ଲାକୁ ୧୬ଶହ କୋଟି ମଞ୍ଜୁର କରାଯାଇଛି। କେନ୍ଦୁଝର ମେଡିକାଲ୍ କଲେଜ DMF ପାଣ୍ଠିରେ ହେଉଛି। ମୋଦି ମେଡିକାଲ୍ ପାଇଁ ପାଣ୍ଠି ଦେଲେ। ହେଲେ ନବୀନ ଚାରେଣୀଟି ବି ଦେଲେନି। ବନଜାତ ଦ୍ରବ୍ୟର ସମର୍ଥନ ମୂଲ୍ୟ ବି ମୋଦି ସରକାର କରିଛନ୍ତି। ଓଡ଼ିଶା ପାଖରେ ଏତେ ଖଣିଜ ସମ୍ପଦ ଥାଇ ବି ଓଡ଼ିଶା ଲୋକ ଗରିବ ଅଛନ୍ତି।
ସେହିପରି ଚିଟ୍ଫଣ୍ଡରେ ସଂପୃକ୍ତ ଲୋକଙ୍କ ପ୍ରତି ନବୀନ କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ଶାହ ପ୍ରଶ୍ନ କରିଥିଲେ। ଥରେ ବିଜେପି ସରକାର ଆସୁ। ଚିଟ୍ଫଣ୍ଡ ଅଭିଯୁକ୍ତଙ୍କୁ ଜେଲ ପଠାଇବୁ ବୋଲି ସେ କହିଛନ୍ତି। ବିଜେପି ସରକାର କଲେ କେନ୍ଦୁଝର ଜିଲ୍ଲାରେ ଆଉ ଏକ ମେଡିକାଲ କଲେଜ ସ୍ଥାପନ ହେବ। ଏଥିସହ କେନ୍ଦୁପତ୍ର ଉପରୁ ଜିଏସ୍ଟି ସମ୍ପୂର୍ଣ୍ଣ ଛାଡ଼ କରାଯିବ ବୋଲି ଶାହ କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।