୩୨୮ ବର୍ଷ ତଳେ ଏମିତି ଅଘୋଷିତ କର୍ଫ୍ୟୁ ଲାଗିଥିଲା ଶ୍ରୀମନ୍ଦିରରେ

ପୁରୀ(ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ପ୍ରତିଦିନ ତାଙ୍କ ଦର୍ଶନ ପାଇବା ପାଇଁ ଦୂରଦୂରାନ୍ତୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ। ହେଲେ ଆଜି ସେହି ବଡ଼ଦାଣ୍ଡ ଖାଲି ପଡ଼ିଛି। ମହାପ୍ରଭୁଙ୍କୁ ଦର୍ଶନ କରିପାରୁ ନାହାନ୍ତି ଭକ୍ତ। ସତେଯେମିତି ବଡ଼ଦାଣ୍ଡରେ ଅଘୋଷିତ କର୍ଫ୍ୟୁ ଲାଗିଲା ଭଳି ଲାଗୁଛି। ୩୨୮ ବର୍ଷ ପରେ ପ୍ରଥମ ଥର ପାଇଁ ବଡ଼ଦେଉଳରେ ମହାପ୍ରଭୁଙ୍କୁ ଦର୍ଶନ କରିପାରି ନାହାନ୍ତି ଶ୍ରଦ୍ଧାଳୁ। ଏଥର ଏକ୍ରାମ ଖାଁଙ୍କ ଆକ୍ରମଣ ପାଇଁ ନୁହେଁ, ବରଂ […]

jagannath-temple

Manoranjan Sial
  • Published: Friday, 20 March 2020
  • , Updated: 20 March 2020, 08:22 PM IST

ପୁରୀ(ଓଡ଼ିଶା ରିପୋର୍ଟର): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ପ୍ରତିଦିନ ତାଙ୍କ ଦର୍ଶନ ପାଇବା ପାଇଁ ଦୂରଦୂରାନ୍ତୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ। ହେଲେ ଆଜି ସେହି ବଡ଼ଦାଣ୍ଡ ଖାଲି ପଡ଼ିଛି। ମହାପ୍ରଭୁଙ୍କୁ ଦର୍ଶନ କରିପାରୁ ନାହାନ୍ତି ଭକ୍ତ। ସତେଯେମିତି ବଡ଼ଦାଣ୍ଡରେ ଅଘୋଷିତ କର୍ଫ୍ୟୁ ଲାଗିଲା ଭଳି ଲାଗୁଛି। ୩୨୮ ବର୍ଷ ପରେ ପ୍ରଥମ ଥର ପାଇଁ ବଡ଼ଦେଉଳରେ ମହାପ୍ରଭୁଙ୍କୁ ଦର୍ଶନ କରିପାରି ନାହାନ୍ତି ଶ୍ରଦ୍ଧାଳୁ। ଏଥର ଏକ୍ରାମ ଖାଁଙ୍କ ଆକ୍ରମଣ ପାଇଁ ନୁହେଁ, ବରଂ ‘କରୋନା’ ପାଇଁ ଭଗବାନଙ୍କୁ ଦର୍ଶନ କରିପାରୁ ବଞ୍ଚିତ ହୋଇଛନ୍ତି ଭକ୍ତ। କିନ୍ତୁ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି।

‘କରୋନା’ ପାଇଁ ଶ୍ରୀମନ୍ଦିର ଭିତରକୁ ଯାଇପାରୁ ନାହାନ୍ତି ଶ୍ରଦ୍ଧାଳୁ। କାରଣ ଏଥିପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଯେଉଁପାଇଁ ଆଜି ପୂରା ଖାଁ ଖାଁ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର। ନା କୌଣସି ଶ୍ରଦ୍ଧାଳୁଙ୍କ ଦେଖା ମିଳୁଛି ନା କୌଣସି ଦର୍ଶନାର୍ଥୀ ଆସିଛନ୍ତି।

ଐତିହାସିକ ସୁରେନ୍ଦ୍ର ମିଶ୍ରଙ୍କ ମତରେ, ୧୬୯୨ ଖ୍ରୀଷ୍ଟାଦ୍ଦରେ ଔରଙ୍ଗଜେବଙ୍କ ନିର୍ଦ୍ଦେଶରେ ଏକ୍ରାମ ଖାଁ ଓ ତାଙ୍କ ଭାଇ ଜମ୍ମା ଉଲ୍ଲା ଶ୍ରୀମନ୍ଦିର ଉପରେ ଆକ୍ରମଣ କରିଥିଲେ। ଏ ସମ୍ପର୍କରେ ସେବାୟତମାନେ ଜାଣିପାରି ଶ୍ରୀମନ୍ଦିର ଚାରିଦ୍ୱାର ବନ୍ଦକରି ମହାପ୍ରଭୁଙ୍କୁ ବିମଳା ମନ୍ଦିର ପଛ ପାର୍ଶ୍ୱରେ ଲୁଚାଇ ଦେଇଥିଲେ। ଏକ୍ରାମ ଖାଁ ବାହାର ଭଣ୍ଡାର ଲୁଣ୍ଠନ କରିବା ପରେ ସେବାୟତମାନେ ତାଙ୍କୁ ନଗଦ ୩୦,୦୦୦ ହଜାର ଟଙ୍କା ଦେଇଥିଲେ। ଏହାଛଡ଼ା ମହାପ୍ରଭୁଙ୍କ ୩ଟି ନକଲି ମୂର୍ତ୍ତି ଗଢ଼ି ତାଙ୍କୁ ଦେଇଥିଲେ। ଏକ୍ରାମ ଖାଁ ଗଲା ବେଳେ ସିଂହଦ୍ୱାର ଗୁମୁଟ ପାର୍ଶ୍ୱ ଭାଙ୍ଗି ନକଲି ମହାପ୍ରଭୁଙ୍କ ମୂର୍ତ୍ତିକୁ ଚମଡ଼ା ଦୌଡ଼ିରେ ବାନ୍ଧି ବଡ଼ଦାଣ୍ଡରେ ଘୋଷାରି ଗୋଷାରି ନେଇ ଯାଇଥିଲେ। ସେ ଗଲା ପରେ ସେବାୟତମାନେ ବିମଳା ମନ୍ଦିର ପଛ ପାର୍ଶ୍ୱରୁ ମହାପ୍ରଭୁଙ୍କୁ ଆଣି ରତ୍ନସିଂହାସନରେ ଅବସ୍ଥାପିତ କରାଇଥିଲେ। ମହାପ୍ରଭୁଙ୍କୁ ରତ୍ନସିଂହାସନରେ ବିଜେ କରାଇବା ପରେ ସେବାୟତମାନେ ଚାରି ଦ୍ୱାର ବନ୍ଦ ରଖି ଗୁପ୍ତରେ ସେବା ଓ ନୀତିକାନ୍ତି କରିଥିଲେ। ପାଳିଆ ସେବକମାନେ ଦକ୍ଷିଣ ଦ୍ୱାର ଚୋରା କବାଟ ଦେଇ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ନୀତି କରିଥିଲେ ବୋଲି ଐତିହାସିକ ସୁରେନ୍ଦ୍ର ମିଶ୍ର କହିଛନ୍ତି।

ତେବେ ମାଦଳା ପାଞ୍ଜିର ତଥ୍ୟ ଅନୁସାରେ ସେତେବେଳେ ଘଣ୍ଟ ଓ ଘଣ୍ଟା ବାଜିନଥିଲା। ଋକୁଣୀ ହରଣ ଏକାଦଶୀ ନୀତି ହେଲାନି। ସ୍ନାନ ପୂର୍ଣ୍ଣିମା ନୀତି ବାହାର ପୋଖରୀରେ ହେଲା, ମହାଦୀପ ମନ୍ଦିର ଉପରକୁ ଉଠିଲାନି ଓ ସେହିବର୍ଷ ରଥଯାତ୍ରା ବିଧି ମୁତାବକ ମନ୍ଦିର ଭିତରେ ହୋଇଥିଲା। ସେତେବେଳେ ଭଗବାନଙ୍କଠାରୁ ଭକ୍ତମାନେ ଅଲଗା ରହିଥିଲେ। ସେଥିରେ ବାଧକ ସାଜିଥିଲା ଏକ୍ରାମ ଖାଁ। ଲୁଣ୍ଠନକାରୀଙ୍କ ଆକ୍ରମଣ ଯୋଗୁ ଅଲଗା ହୋଇଥିଲେ ଭକ୍ତ ଓ ଭଗବାନ। ପୁଣି ୩୨୮ ବର୍ଷ ପରେ ସେହି ଘଟଣା ପୁନରାବୃତ୍ତି ଘଟିଛି। ଏଥର ‘କରୋନା’ ପାଇଁ ଭଗବାନଙ୍କଠାରୁ ଭକ୍ତ ଅଲଗା ହୋଇଛନ୍ତି।

Related story