ଏ ରାଜ୍ୟରେ ଆଇନର ଶାସନ ଅଛି ତ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶାରେ ଆଇନର ଶାସନ ଚାଲିଛି ତ? ବିଗତ କିଛିଦିନର ଘଟଣାକ୍ରମକୁ ଦେଖିଲେ ଏଭଳି ପ୍ରଶ୍ନ ଏବେ ପ୍ରତ୍ୟେକ ସଚେତନ ଓଡ଼ିଶାବାସୀଙ୍କ ମନକୁ ଆନ୍ଦୋଳିତ କରୁଥିବ ନିଶ୍ଚୟ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ ହେଉ ବା ବିରୋଧୀ ଦଳକୁ ନାଲିଆଖି ଦେଖାଇ ଚପାଇବାକୁ ଉଦ୍ୟମ, କିମ୍ବା ସରକାରୀ ବ୍ୟବସ୍ଥା ବିରୋଧରେ ମୁହଁ ଖୋଲୁଥିବା ନେତାଙ୍କୁ ସର୍ବସମ୍ମୁଖରେ ଆକ୍ରମଣ ଆଦି ଘଟଣାରୁ ଏଭଳି ଜନପ୍ରତିକ୍ରିୟା ସୃଷ୍ଟି ହୋଇଛି। ତା’ଛଡ଼ା ଚାରିଆଡ଼େ ପୁଳାପୁଳା ଦୁର୍ନୀତି ଘଟଣା ସାମ୍ନାକୁ ଆସିବାରେ […]

kharbela-swain

Sampad Mahapatra
  • Published: Saturday, 24 November 2018
  • , Updated: 25 November 2018, 11:06 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଓଡ଼ିଶାରେ ଆଇନର ଶାସନ ଚାଲିଛି ତ? ବିଗତ କିଛିଦିନର ଘଟଣାକ୍ରମକୁ ଦେଖିଲେ ଏଭଳି ପ୍ରଶ୍ନ ଏବେ ପ୍ରତ୍ୟେକ ସଚେତନ ଓଡ଼ିଶାବାସୀଙ୍କ ମନକୁ ଆନ୍ଦୋଳିତ କରୁଥିବ ନିଶ୍ଚୟ। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଆକ୍ରମଣ ହେଉ ବା ବିରୋଧୀ ଦଳକୁ ନାଲିଆଖି ଦେଖାଇ ଚପାଇବାକୁ ଉଦ୍ୟମ, କିମ୍ବା ସରକାରୀ ବ୍ୟବସ୍ଥା ବିରୋଧରେ ମୁହଁ ଖୋଲୁଥିବା ନେତାଙ୍କୁ ସର୍ବସମ୍ମୁଖରେ ଆକ୍ରମଣ ଆଦି ଘଟଣାରୁ ଏଭଳି ଜନପ୍ରତିକ୍ରିୟା ସୃଷ୍ଟି ହୋଇଛି। ତା'ଛଡ଼ା ଚାରିଆଡ଼େ ପୁଳାପୁଳା ଦୁର୍ନୀତି ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ରାଜ୍ୟରେ ବିଜେଡି ସରକାର ଏବେ ଅସହିଷ୍ଣୁତା ଓ ହିଂସାତ୍ମକ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିବାର ଖୋଲା ଅଭିଯୋଗ ଆସୁଛି।

ସୂଚନା ଅନୁସାରେ, ରାଜ୍ୟର ଦୀର୍ଘ ୧୯ବର୍ଷ ଧରି କ୍ଷମତାରେ ଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାରର ସ୍ୱେଚ୍ଛାଚାରୀ ଆଚରଣ ଓ ଦୁର୍ନୀତି କିମ୍ବା ବିଳାସ-ବ୍ୟସନରେ ମଜ୍ଜି ରହିବାର ମୋହରେ ବାଧକ ସାଜୁଥିବା ପ୍ରତ୍ୟେକଟି ସଂସ୍ଥା ଓ ବ୍ୟକ୍ତିଙ୍କ ଉପରେ ଏବେ ଆକ୍ରମଣ ହେଉଛି। ନବୀନ ସରକାରର ବିରୋଧରେ ମୁହଁ ଖୋଲୁଥିବା ବିରୋଧୀ ଦଳର ନେତାମାନେ ଏବେ ନିଜକୁ ଅସୁରକ୍ଷିତ ମନେକଲେଣି।

'ଉତ୍କଳ ଭାରତ' ଭଳି ଏକ ଆଞ୍ଚଳିକ ଦଳର ପ୍ରତିଷ୍ଠାତା-ସଭାପତି ଖାରବେଳ ସ୍ୱାଇଁଙ୍କ ଉପରେ ବାରମ୍ବାର ଆକ୍ରମଣ ଏଭଳି ଦିଗକୁ ଇଙ୍ଗିତ କରୁଛି। କେନ୍ଦ୍ରାପଡ଼ାର ଆଳି ଓ ବାଲେଶ୍ୱରର ନୀଳଗିରି ଅଞ୍ଚଳରେ ଆକ୍ରମଣ ହେବାପରେ ଆଜି ରାୟଗଡ଼ାର କାଶୀପୁରରେ ଶାସକ ବିଜେଡି କର୍ମୀମାନେ ଶ୍ରୀ ସ୍ୱାଇଁଙ୍କ ସହ ମାରପିଟ କରିଛନ୍ତି। ଆଳିରେ ଶ୍ରୀ ସ୍ୱାଇଁଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ସେ ଥାନାରେ ଏଫଆଇଆର୍ ଦେବା ଓ ପୁଲିସ ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିବା ସତ୍ତ୍ୱେ ଜଣେ କେହି ଅଭିଯୁକ୍ତ ଗିରଫ ହେଲେନି। ଏପରିକି ଭବିଷ୍ୟତରେ ଏଭଳି ଘଟଣାର ପୁନରାବୃତ୍ତି ନହେବା ପାଇଁ ପୁଲିସ କୌଣସି ପଦକ୍ଷେପ ନେଲାନି। ଯାହା ଜଣେ ପୂର୍ବତନ ସାଂସଦ ତଥା ଏକ ଆଞ୍ଚଳିକ ଦଳର ମୁଖ୍ୟଙ୍କ ଉପରେ ବାରମ୍ବାର ଆକ୍ରମଣର ପ୍ରମୁଖ କାରଣ ହୋଇଛି ।

ବିଜେଡି ପ୍ରାୟୋଜିତ ଗୁଣ୍ଡାଙ୍କ ମାଧ୍ୟମରେ ଖାରବେଳଙ୍କୁ ମାଡ଼ ଘଟଣା ହେଉ, ଅବା ଅନୁଗୋଳ ଓ ଢେଙ୍କାନାଳର ବଳରାମପୁରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅପମାନିତ କରିବା ପାଇଁ ଅଭଦ୍ର ଆଚର- ସବୁଥିରେ ପୁଲିସ ନିରବଦ୍ରଷ୍ଟା ସାଜିଛି।

ଗଣମାଧ୍ୟମ ଓ ବିରୋଧୀ ଦଳ ଉପରେ ହାକିମାତି

ଏପଟେ ଦୁର୍ନୀତି ଧରାପଡ଼ିବା ଭୟରେ ବିଜେଡି ସରକାରର ସଚିବମାନେ ଗଣମାଧ୍ୟମ ଓ ବିରୋଧୀ ଦଳ ଉପରେ ହାକିମାତି ଦେଖାଇବା ଆରମ୍ଭ କଲେଣି। ଶକ୍ତି ବିଭାଗରେ କୋଟିକୋଟି ଟଙ୍କାର ଦୁର୍ନୀତିର ଅଭିଯୋଗ ଆଣିଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ସରକାର ପ୍ରୟୋଜିତ ଓକିଲ ନୋଟିସ୍ ଦିଆଯାଇଥିବାବେଳେ କ୍ରୀଡ଼ା ବିଭାଗର ଦୁର୍ନୀତି ଓ ଅନିୟମିତତା ଖବର ପ୍ରସାରଣ କରିଥିବା ଓଟିଭିର ସାମ୍ବାଦିକଙ୍କୁ ବିଭାଗୀୟ ସଚିବ ଦୁର୍ବ୍ୟବହାର କରିଛନ୍ତି। କଂଗ୍ରେସ ସଭ୍ୟଙ୍କ ଦ୍ଵାରା ବିଧାନସଭା ଗୃହରେ ଚାଲିଥିବା ଆଲୋଚନା ଓ ଘଟଣାକୁ ଅବିକଳ ଦେଖାଇଥିବା ଗଣମାଧ୍ୟମ ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ଅଣାଯାଉଛି। ଅର୍ଥବଳ, ବାହୁବଳ ଓ କ୍ଷମତାବଳରେ ବିଜେଡି ରାଜ୍ୟରେ ନିଜର କ୍ଷମତାକୁ ଜାହିର କରିବାର ସବୁପ୍ରକାରର ଉଦ୍ୟମ ଜାରି ରଖିଥିବା କଥା ଏସବୁ ଘଟଣାରୁ ସ୍ପଷ୍ଟ ହେବାରେ ଲାଗିଛି ।

ସବୁଠୁ ବଡ଼କଥା ହେଲା, ବିଜ୍ଞାପନ ଅର୍ଥ ପ୍ରଲୋଭନ ଓ କ୍ଷମତାର ଭୟ ଦେଖାଇ ବିଜେଡି ସରକାର ଏବେ ରାଜ୍ୟର ପ୍ରାୟ ସବୁ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବାରେ ଲାଗିଛି। ତା’ହୋଇନଥିଲେ ଜଣେ ସାମ୍ବାଦିକଙ୍କୁ ସରକାରୀ ବାବୁଙ୍କର ଦୁର୍ବ୍ୟବହାର ସମ୍ପର୍କରେ ତଥାକଥିତ ଆଗଧାଡ଼ିର ମିଡିଆ ହାଉସ୍ ପଦୁଟିଏ ଲେଖିବାକୁ ବା ମୁହଁ ଖୋଲିବାକୁ ସାହସ କଲେନି।

ସରକାରଙ୍କ ଦୋଷତ୍ରୁଟି ପଦାରେ ପଡ଼ିବା ଭୟରେ ବିଧାନସଭାର ଶୀତ ଅଧିବେଶନକୁ ଆଗୁଆ ବନ୍ଦ କରି ଦିଆଗଲା। ଯାହାକି ଏକଛତ୍ରବାଦୀ ଶାସନର ଭ୍ରମ ସୃଷ୍ଟି କଲାଣି। ବିଧାନସଭାର ଶୀତ ଅଧିବେଶନ ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦୁର୍ନୀତି ଓ ଅନିୟମିତତା ଧରାପଡ଼ିଯିବାର ଆଶଙ୍କା ଓ ସମାଲୋଚନାର ଭୟ ଯୋଗୁ ଗୃହ ମାତ୍ର ୫ଦିନ ଚାଲିବା ସମ୍ଭବପର ହେଲା। ଏକଛତ୍ରବାଦୀ ଶାସନର ମନୋଭାବ ପୋଷଣ କରି ୨୩ଦିନ ପାଇଁ ବସିଥିବା ବିଧାନସଭାକୁ ମାତ୍ର ୫ଦିନରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଲେ।

ରାଜ୍ୟରେ ହକି ବିଶ୍ୱକପର ଆୟୋଜନର ଆଳ ଦେଖାଇ ଏବେ ଶାସକ ଦଳ ଓ ସରକାର କେବଳ ଉତ୍ସବମୁଖର ହୋଇଥିବାବେଳେ ସାଧାରଣ ଜନତା, ବିରୋଧୀ ଦଳ, ଗଣମାଧ୍ୟମ ଓ ବୁଦ୍ଧିଜୀବୀମାନେ ନିଜର ସୁରକ୍ଷାକୁ ନେଇ ଆଶଙ୍କିତ ଅବସ୍ଥାରେ ରହିଲେଣି। ସରକାରୀ କଳ ଓ ଦଳ ବିରୁଦ୍ଧରେ ମୁହଁ ଖୋଲିଲେ ବିପଦର ଭୟ ଦେଖାଦେଲାଣି। ରୋମ୍ ଜଳୁଥିବାବେଳେ ସମ୍ରାଟ ନିରୋ ଯେଭଳି ବଂଶୀବାଦନରେ ମଦମସ୍ତ ଥିଲେ, ଠିକ୍ ସେହିଭଳି ଢଙ୍ଗରେ ରାଜ୍ୟରେ ବିଭିନ୍ନ ବର୍ଗର ଲୋକ ଏବେହତାଶା ଭିତରେ ରହିଥିଲେ ମଧ୍ୟ ତା’ର ସ୍ୱର ନବୀନ ନିବାସ ଓ ତୃତୀୟ ମହଲାର ଚାରିକାନ୍ଥ ଭେଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ପହଞ୍ଚିପାରୁନି ନା ଉଦ୍ଦେଶ୍ୟମୂଳକ ଭାବେ ଏଭଳି ଖବରରୁ ସେ ଦୂରେଇ ରହି ସବୁକିଛି ଠିକଠାକ୍ ଚାଲିଥିବାର ଅଭିନୟ କରୁଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଅଘୋଷିତ ଜରୂରୀ ପରିସ୍ଥିତି

ନବୀନ ସରକାରରେ ଏଭଳି ପରିସ୍ଥିତି ଓ ପରିବେଶ ପୂର୍ବରୁ କେବେ ସୃଷ୍ଟି ହୋଇନଥିଲା। ଏହି ଭଳି ସ୍ଥିତି ୧୯୯୦ ଦଶକର ଶେଷଭାଗରେ କଂଗ୍ରେସ ଶାସନ ଅମଳରେ ଦେଖିବାକୁ ମିଳିଥିଲା ଓ ଯାହାର ପରିଣାମ କଂଗ୍ରେସକୁ ଏପର୍ଯ୍ୟନ୍ତ ମହଙ୍ଗା ପଡ଼ିଛି। ୨୦ବର୍ଷ ହେଲା କ୍ଷମତାକୁ ଫେରିବା ପରିବର୍ତ୍ତେ ନିଜର ଅସ୍ତିତ୍ୱ ଖୋଜିବାକୁ କଂଗ୍ରେସ ବାଧ୍ୟ ହେଉଛି। ବିଜେଡି ଏଥିରୁ କିଛି ଶିକ୍ଷା କରିଥିବା ଭଳି ମନେ ହେଉନାହିଁ। ବରଂ ରାଜ୍ୟରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ଜାରି କରି କେମିତି ଜୋରଜବରଦସ୍ତି ପୁଣିଥରେ ଶାସନ କ୍ଷମତା ହାସଲ କରିହେବ, ତାହା ହିଁ ନବୀନ ଓ ତାଙ୍କ ଶାସନ କାଳରେ ଅପ୍ରମିତ କ୍ଷମତାର ଅଧିକାରୀ ବନି ମାଲେମାଲ ହୋଇଥିବା କିଛି ହାତଗଣତି ଅଫିସରଙ୍କ ମୂଳ ଉଦ୍ଦେଶ୍ୟ। ଏହି ଅଫିସରମାନେ ଜାଣିଛନ୍ତି, ବିଜେଡି ଜିତିଲେ ତାହା ସେମାନଙ୍କର ବିଜୟ ହେବ ଏବଂ ସେମାନଙ୍କ ପୁଳାପୁଳା ଦୁର୍ନୀତିର ପେଡ଼ି ବ୍ରହ୍ମ ବିଭ୍ରାଟ ରିପୋର୍ଟ ଭଳି ମାଟି ତଳେ ପୋତି ଦିଆଯାଇପାରିବ।

Related story