ଆମେ ଏ କୁଳର ନା ସେ କୁଳର: ଘର ଦେଲା ଓଡ଼ିଶା, ଲାଇନ୍‌ କାଟିଦେଲା ଆନ୍ଧ୍ର

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଓଡ଼ିଶା ସରକାର ବିବାଦୀୟ କୋଟିଆ ଗ୍ରାମ ପୁଞ୍ଜର ତଳ ଗଞ୍ଜେଇପଦର ଗାଁରେ ୨୫ଟି ବିଜୁ ପକ୍କା ଘର କଲେ। ହେଲେ ବିଜୁଳି ଦେଲେନାହିଁ। ଗୁହାରୀ କଲେ ମଧ୍ୟ ଶୁଣିଲେ ନାହିଁ। ଗାଁ ଲୋକଙ୍କ ଏ ଅବସ୍ଥା ଦେଖି ଆନ୍ଧ୍ରପ୍ରଦେଶ ସରକାର ଲାଇନ୍‌ ଦେଇ ପରେ କାଟିଦେଲେ। ଯେଉଁଥିପାଇଁ ୨୫ଟି ପରିବାର ଏବେ ଅନ୍ଧକାରରେ ଅଛନ୍ତି। ଗାଁରେ ବିଜୁଳି ଥିବା ସତ୍ତ୍ୱେ ବିଜୁ ପକ୍କାଘର ହିତାଧିକାରୀମାନେ ଲାଇନ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି। ଆନ୍ଧ୍ର […]

biju

biju

Manoranjan Sial
  • Published: Wednesday, 25 November 2020
  • Updated: 25 November 2020, 07:47 PM IST

Sports

Latest News

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): ଓଡ଼ିଶା ସରକାର ବିବାଦୀୟ କୋଟିଆ ଗ୍ରାମ ପୁଞ୍ଜର ତଳ ଗଞ୍ଜେଇପଦର ଗାଁରେ ୨୫ଟି ବିଜୁ ପକ୍କା ଘର କଲେ। ହେଲେ ବିଜୁଳି ଦେଲେନାହିଁ। ଗୁହାରୀ କଲେ ମଧ୍ୟ ଶୁଣିଲେ ନାହିଁ। ଗାଁ ଲୋକଙ୍କ ଏ ଅବସ୍ଥା ଦେଖି ଆନ୍ଧ୍ରପ୍ରଦେଶ ସରକାର ଲାଇନ୍‌ ଦେଇ ପରେ କାଟିଦେଲେ। ଯେଉଁଥିପାଇଁ ୨୫ଟି ପରିବାର ଏବେ ଅନ୍ଧକାରରେ ଅଛନ୍ତି। ଗାଁରେ ବିଜୁଳି ଥିବା ସତ୍ତ୍ୱେ ବିଜୁ ପକ୍କାଘର ହିତାଧିକାରୀମାନେ ଲାଇନ୍‌ ପାଇବାରୁ ବଞ୍ଚିତ ହୋଇଛନ୍ତି।

ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ କୋଟିଆ ପଞ୍ଚାୟତର ୨୧ ଗାଁକୁ ନେଇ ବିବାଦ ଲାଗିଛି। ସେଥିରୁ ଗୋଟିଏ ଗାଁ ହେଉଛି ତଳ ଗଞ୍ଜେଇପଦର। ଏହି ଗାଁର ଗରିବ ଲୋକଙ୍କ ପାଇଁ ଓଡ଼ିଶା ସରକାର ୨୫ଟି ବିଜୁ ପକ୍କା ଘର ତିଆରି କରିଛନ୍ତି। ଅନେକ ଦିନ ଧରି ନିର୍ମାଣ ଚାଲିଥିବା ଘର ଗୁଡିକ ଗତ ଦୁଇମାସ ତଳେ ହିତାଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି। ହେଲେ ବିଜୁଳି ସଂଯୋଗ ଦିଆଗଲା ନାହିଁ। ସଞ୍ଜ ନଇଁ ଆସିଲେ ସତେ ଯେମିତି ସୁଉଚ୍ଚ ପାହାଡ଼ ଉପରରୁ ଅନ୍ଧକାର ମାଡ଼ି ଆସିଲା ପରି ଲାଗୁଛି। ଭୟ ସତ୍ତ୍ୱେ ଲୋକମାନେ ପକ୍କା ଘର ଭିତରେ ଡିବିରି ଜାଳି ଜୀବନ କାଟୁଛନ୍ତି।

ବିଜୁଳି ସଂଯୋଗ ପାଇଁ ଓଡ଼ିଶା ସରକାରଙ୍କୁ ହିତାଧିକାର ନିବେଦନ କରିଛନ୍ତି। ହେଲେ ବାବୁମାନେ ଶୁଣିଲେ ନାହିଁ। ଗାଁ ଲୋକଙ୍କ ଏହି ଦାବି କିନ୍ତୁ ପୂରଣ କରିଥିଲେ ଆନ୍ଧ୍ରପ୍ରଦେଶ ସରକାର। ତଳ ଗଞ୍ଜେଇପଦର ଗାଁକୁ ଆନ୍ଧ୍ର ସରକାର ବିଜୁଳି ଯୋଗାଇଦେଲେ। ଆଉ ଗାଁରେ ଜଳିଲା ବିଜୁଳି। ହେଲେ ଗାଁ ଲୋକଙ୍କ ଏହି ଖୁଶି ବେଶୀ ଦିନ ରହିଲା ନାହିଁ। ବିଜୁଳି ନିଅଣ୍ଟ ଦର୍ଶାଇ ହଠାତ ଆନ୍ଧ୍ର ସରକାର ସେହି ୨୫ ଘର ବିଶିଷ୍ଟ କଲୋନୀକୁ ବିଜୁଳି ସଂଯୋଗ କାଟିଦେଲେ। ସେହି ଦିନଠାରୁ ମାସେ ହେବ ଅନ୍ଧକାରରେ ରହୁଛନ୍ତି ଲୋକେ। ରାତିରେ କିରାସିନି ଡିବି ଜାଳି ଜୀବନ ଅତିବାହିତ କରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗାଁରେ ବିଜୁଳି ଅଛି କିନ୍ତୁ ଓଡ଼ିଶା ସରକାର କରିଥିବା ୨୫ଟି ପକ୍କା ଘର ହିତାଧିକାରୀଙ୍କ ବିଦ୍ୟୁତ କଟାଯାଇଛି। ଯେଉଁଥିପାଇଁ ହିତାଧିକାରୀମାନେ ମୋବାଇଲ୍‌ ଚାର୍ଜ କରିବା ପାଇଁ ତଳ ଗାଁର ପଡୋଶୀଙ୍କ ପାଖକୁ ଯାଉଛନ୍ତି ବୋଲି କୁହନ୍ତି ରୁପା ପାଙ୍ଗି।

ତଳ ଗଞ୍ଜେଇପଦର ଗାଁର ସମସ୍ୟା ପ୍ରତି ଓଡ଼ିଶା ସରକାର ଉଦାସୀନ ମନୋଭାବ ପୋଷଣ କରୁଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି ସଲପୁ ଗେମେଲ। ସେ କହିଛନ୍ତି, ଆନ୍ଧ୍ର ସରକାର ପାଖରେ ଦରଖାସ୍ତ ଦେଲେ ଘରକୁ ଲମ୍ବି ଥିବା ତାରରେ ବିଜୁଳି ପ୍ରବାହ କରାଇଦେବାର ପ୍ରତିଶ୍ରୁତି ମିଳିଛି। ହେଲେ ଓଡ଼ିଶା ସରକାର ଆମ କଥା ଶୁଣୁ ନାହାନ୍ତି ବୋଲି ଗେମେଲ ଅଭିଯୋଗ କରିଛନ୍ତି।

କୋଟିଆ ଅଞ୍ଚଳ ବାସୀଙ୍କ ପାଇଁ ଆନ୍ଧ୍ର ଓ ଓଡ଼ିଶା ସରକାର ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏମାନଙ୍କ ପାଖରେ ଉଭୟ ରାଜ୍ୟର ଭୋଟର ପରିଚୟ ପତ୍ର, ଅଙ୍ଗନବାଡି ପ୍ରଭୃତି ରହିଛି। ତଳ ଗଞ୍ଜେଇପଦରରେ ନିର୍ମାଣ ହୋଇଥିବା ୨୫ଟି ଘର ଦୁଇ ରାଜ୍ୟ ମଧ୍ୟରେ ଚାଲିଥିବା ବିବାଦ ଭିତରେ ଫସି ଯାଇ ଅନାଥ ଶିଶୁ ଭଳି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos