ଆସିକା (ମନୋଜ ମୁନୀ): ଘର ଭିତରେ ଝୁଲିଛି ଅଙ୍ଗନବାଡ଼ି କର୍ମୀଙ୍କ ମୃତଦେହ। ଏହା ହତ୍ୟା ନା ଆତ୍ମହତ୍ୟା ଜଣାପଡ଼ିନଥିବା ବେଳେ ମୃତ ଅଙ୍ଗନବାଡ଼ି କର୍ମୀଙ୍କ ଭାଇ ଓ ଭଉଣୀ ଆସିଛନ୍ତି ସଙ୍ଗୀନ ଅଭିଯୋଗ। ତାଙ୍କ ଭିଣୋଇ ହତ୍ୟା କରି ଝୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି। ଆଜି ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି।
ସୋରଡ଼ା ବ୍ଲକ୍ ଏକଲପୁର ପଞ୍ଚାୟତ ନୂଆଗାଁ ଗାଁର ୨ନଂ ୱାର୍ଡରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ହେଉଛନ୍ତି ଶୈଳେନ୍ଦ୍ରୀ ପାଣିଗ୍ରାହୀ। ତାଙ୍କ ସ୍ୱାମୀ ରବୀନ୍ଦ୍ର ପାଣିଗ୍ରାହୀ ହେଉଛନ୍ତି ଆୟୁର୍ବେଦିକ ଡାକ୍ତର। ସେ ତାଙ୍କର ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇ ଶୈଳେନ୍ଦ୍ରୀଙ୍କୁ ୨୦୧୨ ମସିହାରେ ଦ୍ୱିତୀୟ ବିବାହ କରିଥିଲେ। ବିବାହ ପରେ ବଡ଼ଗଡ଼ ଥାନା ଚାରିଛକ ସ୍ଥିତ ନିଜ ଘରେ ସ୍ୱାମୀ ଓ ସ୍ତ୍ରୀ ରହୁଥିଲେ।
ସବୁଦିନ ପରି ଆଜି ଡାକ୍ତର ପାଣିଗ୍ରାହୀ ନିଜ କର୍ମକ୍ଷେତ୍ରକୁ ଯାଇଥିଲେ। ଘରେ ଶୈଳେନ୍ଦ୍ରୀ ଏକାକୀ ଥିଲେ। ହେଲେ ଦୀର୍ଘ ସମୟ ଧରି ସେ କବାଟ ଖୋଲିନଥିଲେ। ଏପରିକି ସାହି ପଡ଼ିଶା ଡାକିଲେ ମଧ୍ୟ ଶୈଳେନ୍ଦ୍ରୀ ଶୁଣିନଥିଲେ। ତେଣୁ ସାହି ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ସେଥିପାଇଁ ଡାକ୍ତର ପ୍ରାଣିଗ୍ରାହୀଙ୍କୁ ସୂଚନା ଦେଇଥିଲେ। ଖବର ପାଇଁ ଡାକ୍ତର ପାଣିଗ୍ରାହୀ ଘରେ ପହଞ୍ଚି କବାଟ ଖୋଲିଥିଲେ। ସେତେବେଳେ ଘର ଭିତରେ ଝୁଲନ୍ତା ଅବସ୍ଥାରେ ଶୈଳେନ୍ଦ୍ରୀଙ୍କୁ ଦେଖିବାକୁ ପାଇଥିଲେ ଡାକ୍ତର ପାଣିଗ୍ରାହୀ।
ପରେ ଡାକ୍ତର ପାଣିଗ୍ରାହୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ଶୈଳେନ୍ଦ୍ରୀଙ୍କ ଭାଇ ଓ ଭଉଣୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଡାକ୍ତର ପାଣିଗ୍ରାହୀ ମାରି ଶୈଳେନ୍ଦ୍ରୀଙ୍କୁ ଝୁଲାଇ ଦେଇଥିବା ତାଙ୍କ(ଶୈଳେନ୍ଦ୍ରୀ) ଭାଇ ଓ ଭଉଣୀ ଅଭିଯୋଗ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।