ଦରିଆ ସେପାରିରୁ ପାଦ ଲେଉଟେ ‘ଜଟଣୀ’: ବର୍ଷକୁ ଥରେ ଏକାଠି କରେ ମାତୃଭୂମୀର ମୋହ

ଭୁବନେଶ୍ୱର: ବଲ୍‌ ରୁମ୍‌ରେ ଇଂରାଜୀ ଗୀତର ତାଳେ ତାଳେ ପାର୍ଟନରଙ୍କୁ ସାଙ୍ଗରେ ଧରି ସମସ୍ତେ ନାଚିବାରେ ମସ୍‌ଗୁଲ୍‌। ବିଦେଶୀ ଚଳଣୀ ଭିତରେ କିନ୍ତୁ ବାରିହୋଇ ପଡୁଥାଏ ସେମାନଙ୍କର ଓଡିଆ ପଣ। ମଝିରେ ମଝିରେ କଥା କହୁ କହୁ ବାହାରିପଡୁଥାଏ ଓଡିଆ କଥା। ବେଶଭୂଷା, ଚାଲିଚଳଣୀ ସିନା ସେମାନଙ୍କୁ ବିଦେଶୀ ବୋଲି ପରିଚୟ ଦେଇଛି  ହେଲେ ହୃଦୟ ଏଇ ମାଟିର ପାଣି ପବନକୁ ଆଜି ବି ଝୁରୁଛି।

“ମା’ ମାଟିର ମୋହ କାହା ମନରେ ନାହିଁ କୁହନ୍ତୁ ତ। ଯେତେ ଦୂରରେ ଥିଲେ ବି ଏହି ମୋହ ସବୁବେଳେ ହାତଠାରି ଡାକେ। ସେଇ ଡାକକୁ ପାସୋରି ନ ପାରି ଆଜି ବର୍ଷକ ପରେ ଆମ ପୁଣି ଏକାଠି ହୋଇଛୁ। ସମସ୍ତଙ୍କୁ ଏକାଠି ଦେଖି ଭାରି ଖୁସି ଲାଗୁଛି । ଆମ ପରମ୍ପରା ଆମ ସଂସ୍କୃତିର ଗୀତ ଗାଇ ନୂଆ ବର୍ଷକୁ ସ୍ୱାଗତ କରିଛୁ ବୋଲି କହିଛନ୍ତି ମାଲଦିପ୍‌ରୁ ଆସିଥିବା  ଷ୍ଟିଫେନ୍‌ ରେଡେନ୍‌।”

ରାଜଧାନୀ ଭୁବନେଶ୍ୱର ନିକଟବର୍ତ୍ତି ରାଜ୍ୟର ଏକ ପ୍ରମୁଖ ବ୍ୟବସାୟିକ ସହର ଭାବ ଜଣାଶୁଣା ଜଟଣୀରେ ଏମିତି ମାହୋଲ ଦେଖିବାକୁ ମିଳିଥିଲା Zero Hour ସେଲିବ୍ରେସନ୍‌ ବେଳେ। ସୁଦୂର ଇଂଲାଣ୍ଡ, ଆମେରିକା, କାନାଡା ଓ ନେଦରଲ୍ୟାଣ୍ଡରେ ରହୁଥିବା ଆଙ୍ଗ୍ଲୋଇଣ୍ଡିଆନ୍‌ ପରିବାର ସଦସ୍ୟ ଏକାଠ ହୋଇଥିଲେ ଜଟଣୀ ଟାଉନ୍‌ ହଲରେ। କିଏ ଆମେରିକାରୁ ତ କିଏ  ଇଂଲଣ୍ଡ ଆଉ ପୁଣି କିଏ ଜର୍ମାନ୍ ଓ ନେଦରଲ୍ୟାଣ୍ଡରୁ ପରିବାର ସହ ଛୁଟି ଆସିଥିଲେ ଜନ୍ମଭୁମୀ ଜଟଣୀକୁ।

ସୂଚନାଯାଗ୍ୟ,  ଦେଶ ସ୍ୱାଧୀନ ହେବା ପୂର୍ବରୁ ରେଲେୱେ ଚାକିରୀ ଯୋଗୁଁ ଜଟଣୀରେ ଅବସ୍ଥାପିତ ହୋଇଥିଲେ ଅନେକ ଆଙ୍ଗ୍ଲୋଇଣ୍ଡିଆନ ପରିବାର । ସେଥିରୁ କିଛି ପରିବାର ଏଠାରେ ସ୍ଥୟୀ ବାସିନ୍ଦା ବି ପାଲିଟି ଯାଇଥିଲେ। ପରବର୍ତ୍ତି ସମୟରେ ସେମାନଙ୍କ ପିଲାମାନେ ଏଇଠି ପାଠସାଠ ପଢି ମଣିଷ ହେଲେ। ସେମାନଙ୍କ ଭିତରୁ କେତେଜଣ ଏବେ ବିଦେଶରେ ସ୍ଥାୟୀ ଭାବେ ରହିଗଲେଣି । ହେଲେ ଜନ୍ମମାଟିର ମୋହ କେହି ଯେମିତି ଭୁଲି ପାରିନାହାନ୍ତି । ସେଥିଲାଗି ନୂଆବର୍ଷ ପୂର୍ବରୁ ଏମାନେ ଜଟଣୀ ଆସନ୍ତି । ମିଳିମିଶି ନୂଆ ବର୍ଷକୁ ସ୍ୱାଗତ କରନ୍ତି ।