ବାରିପଦା(ଓଡ଼ିଶା ରିପୋର୍ଟର):ପୁଣି ଗୁରୁ ଶିଷ୍ୟ ପରମ୍ପରାରେ ଲାଗିଛି କଳଙ୍କ। ଯିଏ ଶିକ୍ଷାର ଆଲୋକ ଦେଖାଇ ଛାତ୍ରଛାତ୍ରୀଙ୍କୁ ବାଟ କଢ଼ାଇନିଏ, ସିଏ ନିଜେ ବାଟ ହୁଡ଼ିଛି। ଜଣେ ପ୍ରଧାନଶିକ୍ଷକଙ୍କୁ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗାପଡ଼ିଛି। ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଅନଙ୍ଗଦେବ ଟିପିରିଆ ଜଣକ ୭ମ ଶ୍ରେଣୀର ୩ ଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ଆସିଛି। ଶିକ୍ଷାଦାନ ଆଳରେ ଆପତ୍ତିଜନକ କାମ କରିଥିବାରୁ ଗାଁ ଲୋକେ ସମ୍ପୃକ୍ତ ଶିକ୍ଷକଙ୍କୁ ସାତବେଣ୍ଟିଆ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଥାନା ଅଂଚଳରେ ଏହି ଘଟଣା ଘଟିଛି। ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଉତ୍ତେଜିତ ହୋଇ ସଂପୃକ୍ତ ପ୍ରଧାନଶିକ୍ଷକଙ୍କୁ ପ୍ରଥମେ ନିସ୍ତୁକ ମାଡ଼ ମାରିଥିଲେ। ପରେ ତାଙ୍କୁ ଲଣ୍ଡା କରିଛନ୍ତି।
ଅଭିଯୋଗ ଅନୁଯାୟୀ, ମୋରଡ଼ା ବ୍ଲକ ନୁହାମାଳିଆ ସରକାରୀ ୟୁପି ସ୍କୁଲରେ ୩ ଜଣ ଛାତ୍ରୀଙ୍କୁ ବିଭିନ୍ନ ସମୟରେ ଅସଦାଚରଣ କରିଆସୁଥିଲେ ସମ୍ପୃକ୍ତ ପ୍ରଧାନ ଶିକ୍ଷକ। ଏନେଇ ଛାତ୍ରୀମାନେ ନିଜ ଅଭିଭାବକଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ଅଭିଭାବକମାନେ ସ୍କୁଲ ପରିଚାଳନା କମିଟିକୁ ଜଣାଇଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଫଳରେ ସ୍ଥାନୀୟ ଲୋକେ ଏଥିରେ ଉତ୍ତ୍ୟକ୍ତ ହୋଇ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଲଣ୍ଡା କରିଦେଇଥିବା ଜଣାପଡ଼ିଛି।