ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି ୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ମୋଟ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ରେ ପହଞ୍ଚି ଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ୫୮ ଆକ୍ରାନ୍ତଙ୍କ ମଧ୍ୟରୁ ୫୭ ଜଣ ବାହାର ରାଜ୍ୟରୁ ଫେରିଥିଲେ। କେବଳ ଜଣେ ସ୍ଥାନୀୟ ଅଞ୍ଚଳର। ୫୭ ଜଣଙ୍କ ମଧ୍ୟରୁ ୪୧ ଜଣ କେବଳ ସୁରତରୁ ଫେରିଥିଲେ। ସେହିପରି ୧୦ ଜଣ ପଶ୍ଚିମବଙ୍ଗରୁ ଫେରିଥିବା ବେଳେ ୫ ଜଣ କର୍ଣ୍ଣାଟକା ଓ ଜଣେ ମହାରାଷ୍ଟ୍ରରୁ ଫେରିଥିଲେ। ବାହାର ରାଜ୍ୟରୁ ଫେରିଥିବା ଏହି ୫୭ ଜଣ ବ୍ୟକ୍ତି କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ।
୫୮ଟି ନୂଆ କେସ୍ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୯ଟି ରହିଛି। ଆଉ ଏମାନେ ସମସ୍ତେ ସୁରତ ଫେରନ୍ତା। ସେହିପରି ବାଲେଶ୍ୱର ଜିଲ୍ଲାରେ ୧୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଜଣ କର୍ଣ୍ଣାଟକାରୁ ଫେରିଥିଲେ। ବାକି ୧୦ ଜଣ ପଶ୍ଚିମବଙ୍ଗ ଫେରନ୍ତା। ଅନୁଗୋଳ ଜିଲ୍ଲାରେ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୧ ଜଣ ସୁରତରୁ ଫେରିଥିଲେ। ସେହିପରି ଜଣେ ମହାରାଷ୍ଟ୍ରରୁ ଫେରିଥିଲେ। ତେବେ ବାକି ଜଣେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡ଼ିଛି। ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ଜଣେ ଆକ୍ରାନ୍ତ ସୁରତରୁ ଫେରିଥିଲେ।
ଅନୁଗୋଳରେ ପ୍ରଥମ ଥର ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୦ରେ ପହଞ୍ଚିଛି।
୨୯ଟି ନୂଆ କେସ୍ ସହିତ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର କରିଯାଇଛି। ଏଠାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ରେ ପହଞ୍ଚିଥିବା ବେଳେ ୧୧୭ ଚିକିତ୍ସାଧୀନ ଅଛନ୍ତି ଓ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୧୫ଟି ନୂଆ କେସ୍ ସହିତ ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩୩ ଜଣ ଚିକିତ୍ସାଧୀନ ଅଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଆଉ ଜଣେ ଚିହ୍ନଟ ହେବା ପରେ ଏଠାରେ ମୋଟ ସଂଖ୍ୟା ୮ରେ ପହଞ୍ଚି ଯାଇଛି ଓ ସମସ୍ତେ ଚିକିତ୍ସାଧୀନ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟର ମୋଟ ୩୫୨ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୨୮୧ ଜଣ ଚିକିତ୍ସାଧୀନ ଅଛନ୍ତି। ୩ ଜଣଙ୍କ ମୃତ୍ୟୁ ଘଟିଛି।