ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଲଘୁଚାପଜନିତ ବର୍ଷା ଲାଗି ରହିଥିବା ବେଳେ ଆସନ୍ତା ୯ତାରିଖରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଆଡ଼କୁ ମୁହାଁଇପାରେ । ପରବର୍ତ୍ତି ୨ରୁ ୩ ଦିନ ଭିତରେ ଏହା ଡିପ୍ରେସନରେ ପରିଣତ ହୋଇପାରେ । ଏହା ପ୍ରଭାବରେ ୧୧ରୁ ୧୩ ତାରିଖ ଯାଏ ରାଜ୍ୟରେ ବର୍ଷା ହେବା ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ସେହିପରି ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି । ତେବେ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି।
କଟକର କଣ୍ଟାପଡ଼ାରେ ୧୩ ସେଣ୍ଟିମିଟର ବର୍ଷା ହୋଇଥିବା ବେଳେ ପିପିଲିରେ ୧୨ ସେଣ୍ଟିମିଟର, ଗଞ୍ଜାମ ପୁରୁଷୋତ୍ତମପୁରରେ ୧୧ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି । ତେବେ ଆଜି ସକାଳ ୮ ଟା ଯାଏଁ ୧୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ।