ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଛୁଇଁପାରିବ ତ ପୁଲିସ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ଲକଠୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଦୁର୍ନୀତିରେ ବୁଡ଼ି ରହିଥିବା ବିଜେଡି ସରକାର ବର୍ଷକ ମଧ୍ୟରେ ୧୦୪ଜଣ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ନିଜକୁ ଦୁର୍ନୀତିମୁକ୍ତ ବୋଲି ଦର୍ଶାଇବାକୁ ଉଦ୍ୟମ କରୁଛନ୍ତି। ମାତ୍ର ରାଜ୍ୟରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆଇନଶୃଙ୍ଖଳା ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସାହାସ ଜୁଟାଇ ନପାରିବା ଏବେ ଉଦବେଗର ବିଷୟ ପାଲଟିଛି। ମାହାଙ୍ଗାରେ ଦୁଇ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ […]

Pratap-Jena

Pratap-Jena

Manoranjan Sial
  • Published: Tuesday, 05 January 2021
  • Updated: 05 January 2021, 08:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ଲକଠୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ଦୁର୍ନୀତିରେ ବୁଡ଼ି ରହିଥିବା ବିଜେଡି ସରକାର ବର୍ଷକ ମଧ୍ୟରେ ୧୦୪ଜଣ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ନିଜକୁ ଦୁର୍ନୀତିମୁକ୍ତ ବୋଲି ଦର୍ଶାଇବାକୁ ଉଦ୍ୟମ କରୁଛନ୍ତି। ମାତ୍ର ରାଜ୍ୟରେ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଆଇନଶୃଙ୍ଖଳା ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସାହାସ ଜୁଟାଇ ନପାରିବା ଏବେ ଉଦବେଗର ବିଷୟ ପାଲଟିଛି।

ମାହାଙ୍ଗାରେ ଦୁଇ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ଦିଗରେ ପୁଲିସର ଅଦ୍ୟାବଧିର ପଦକ୍ଷେପ ଓ ଏଫଆଇଆରରେ ନାଁ ଥିବା ସ୍ଥାନୀୟ ବିଧାୟକ ତଥା ପ୍ରଭାବଶାଳୀ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଖରେ ପୁଲିସ ଏପର୍ଯ୍ୟନ୍ତ ନପଂହଚିବା ହିଁ ପରୋକ୍ଷରେ ତଦନ୍ତକୁ ବାଟବଣା କରିବାର ଆଶଙ୍କା ରହିଛି। ହତ୍ୟା ଘଟଣାରେ ସାମିଲ ଥିବା ସମସ୍ତ ଅଭିଯୁକ୍ତ ସିଧାସଳଖ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘନିଷ୍ଠ ସହଯୋଗୀ ବୋଲି ସୋସିଆଲ ମିଡିଆରେ ଭାଇରାଲ ଫଟୋରୁ ପ୍ରମାଣିତ ହେଉଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ ମନ୍ତ୍ରୀଙ୍କୁ ତଦନ୍ତ ପରିସରଭୁକ୍ତ ନକରିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ମାହାଙ୍ଗା ଡବଲ୍ ମର୍ଡର ଘଟଣାରେ ଦୁଇ ବିରୋଧୀ ଦଳ ଉଭୟ ବିଜେପି ଓ କଂଗ୍ରେସ ଏବେ ମନ୍ତ୍ରୀ ଶ୍ରୀ ଜେନାଙ୍କ ସିଧାସଳଖ ସମ୍ପୃକ୍ତି ଅଭିଯୋଗ କରି ତାଙ୍କର ବହିଷ୍କାର ଦାବି କରୁଥିବାବେଳେ ଘଟଣାର ୭୨ଘଣ୍ଟା ପରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ନିଜର ପାରିବାପଣିଆ ଦେଖାଇବାକୁ ପ୍ରୟାସ କରିଛି। ମାତ୍ର ଯେଉଁ ଅଭିଯୁକ୍ତମାନଙ୍କୁ ଏପର୍ଯ୍ୟନ୍ତ ପୁଲିସ ଗିରଫ କରିଛି ସେମାନେ ସମସ୍ତେ ଏକ ନିର୍ଦ୍ଦିଷ୍ଟ ରାଜନୀତିକ ଦଳର କର୍ମୀ ହୋଇଥିଲେ ବି ଗଣମାଧ୍ୟମ ସମ୍ମୁଖରେ ସେତିକି କହିବାକୁ ସାହାସ କରିପାରିନି। ଏପରିକି ରାଜନୀତିକ ବିବାଦ କାରଣରୁ ହତ୍ୟା ବୋଲି ମଧ୍ୟ କହିବାକୁ ପୁଲିସ କୁଣ୍ଠାବୋଧ କରୁଛି।

ସେହିପରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ୭୨ଘଣ୍ଟା ସମୟ ନେଇଥିବା ପୁଲିସ ଏପର୍ଯ୍ୟନ୍ତ ଘଟଣାର ରିଙ୍ଗମାଷ୍ଟରମାନଙ୍କୁ ଠାବ କରିବାରେ ସକ୍ଷମ ହୋଇନି। ହତ୍ୟା ପଛର ପ୍ରକୃତ କାରଣ କ’ଣ ତାକୁ ନେଇ ବି ପୁଲିସର ମୁହଁରେ ତାଲା ପଡ଼ିଛି। ବିରୋଧୀ ଦଳର ଚାପ ଓ ଜାତୀୟସ୍ତରରେ ଛବି ଧୂମିଳ ହେଉଥିବାରୁ ପୁଲିସ ତରବରିଆ ଭାବେ ପଦକ୍ଷେପ ନେଇଛି ସତ, ମାତ୍ର ପୁଲିସ ଏହି ମାମଲାରେ ଚାପଗ୍ରସ୍ତ ଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି। ପୁଲିସ ଘଟଣାସ୍ଥଳରେ ଅଭିଯୁକ୍ତଙ୍କୁ ଧରି କ୍ରାଇମ୍ ସିନ୍ ରିକ୍ରିଏଟ କରିଥିଲେ ମଧ୍ୟ ରାଜନୀତିକ ବିବାଦରୁ ହତ୍ୟା ହୋଇଥିବା କହିବାକୁ ଚାହୁଁନି । ପରୋକ୍ଷରେ ପଂଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ସୁରକ୍ଷା ଦେବାକୁ ପୁଲିସ ଯେ ଚାପଗ୍ରସ୍ତ ହୋଇ କାମ କରୁଛି ତାହା କଟକ ଗ୍ରାମାଂଚଳ ପୁଲିସର ଆଚରଣରୁ ସ୍ପଷ୍ଟ ହେଉଛି।

ବିଜେପି ଓ କଂଗ୍ରେସର ରାଜନୀତିକ କାର୍ଯ୍ୟକ୍ରମ ମଧ୍ୟରେ ବିଜେଡି ଯେଉଁ ଅଜବ ତଥ୍ୟ ରଖୁଛି ତାକୁ ନେଇ ମଧ୍ୟ ହିଂସା ପ୍ରତି ବିଜେଡି ସରକାରର ଉଦ୍ଦେଶ୍ୟ ଓ ଆଭିମୁଖ୍ୟରେ ପରିବର୍ତ୍ତନ ହୋଇଥିବାର ପରୋକ୍ଷରେ ସନ୍ଦେଶ ଦିଆଯାଉଛି। ତଦନ୍ତକୁ ବାଟବଣା କରିବାକୁ ବିଜେପି ଉଦ୍ୟମ କରୁଛି ବୋଲି କହି ବିଜେଡି ଏହି ଘଟଣାକୁ ନିଜର ନିର୍ବାଚନୀ ସଫଳତା ସହ ଯୋଡ଼ିବାକୁ ଉଦ୍ୟମ କରିବାକୁ ବି ପଛାଉନାହିଁ। ପରିତାପର ବିଷୟ, ପୂର୍ବରୁ ସମସ୍ତ ପ୍ରକାରର ହିଂସା ପ୍ରତି ‘ଜିରୋ ଟଲରାନ୍ସ’ ନୀତି ଆପଣାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ହିଂସା ଅଭିଯୁକ୍ତ(ମନ୍ତ୍ରୀ ଶ୍ରୀ ଜେନା)ଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସୁଛନ୍ତି।

ପ୍ରଥମଥର ପାଇଁ ଗୋଟିଏ ହତ୍ୟା ଘଟଣାରେ ସିଧାସଳଖ ଜଣେ କ୍ୟାବିନେଟ ମନ୍ତ୍ରୀ(ଶ୍ରୀ ଜେନା)ଙ୍କ ସମ୍ପୃକ୍ତି ଦର୍ଶାଇ ତାଙ୍କ ନାଁରେ ଏଫଆଇଆର ରୁଜୁ ହୋଇଛି। ଅଭିଯୁକ୍ତ ମନ୍ତ୍ରୀ ଶ୍ରୀ ଜେନା କ୍ଷମତାରେ ରହି ପ୍ରଶାସନକୁ ପ୍ରଭାବିତ କରିବାର ଆଶଙ୍କା ଥିଲେ ମଧ୍ୟ ତାଙ୍କୁ ମନ୍ତ୍ରିମଣ୍ଡଳରେ ରଖିବାକୁ ନବୀନ ସାମାନ୍ୟତମ କୁଣ୍ଠାବୋଧ କରିନାହାନ୍ତି। ଯଦିଓ ନବୀନ ସର୍ବଦା ‘ହିଂସା’ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି ବୋଲି ସନ୍ଦେଶ ଦିଅନ୍ତି। ଶ୍ରୀ ଜେନା ମନ୍ତ୍ରୀ ରହିଲେ ପୁଲିସ ତାଙ୍କୁ ଜେରା କରିବାର ସମ୍ଭାବନା କ୍ଷୀଣ।

ତେଣୁ ଏହି ଡବଲ ମର୍ଡର ଘଟଣା ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତିକୁ ଧୂମିଳ କରୁଥିଲେ ମଧ୍ୟ ମନ୍ତ୍ରୀ ଶ୍ରୀ ଜେନାଙ୍କୁ ସୁରକ୍ଷା ଦେବାକୁ ତୃତୀୟ ମହଲା ଆଗେଇ ଆସିବା ପରୋକ୍ଷରେ ନବୀନଙ୍କ କାର୍ଯ୍ୟଶେଳୀରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos