ସୁନା କିଣୁଥିଲେ ସାବଧାନ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନା କିଣିବା ବେଳେ ଆପଣ ଗହଣା ଦୋକାନୀର ଓଜନ ଯନ୍ତ୍ରକୁ ଆଖିବୁଜି ବିଶ୍ୱାସ କରିଯାଆନ୍ତି କି? ଯଦି ହଁ, ତେବେ ସତର୍କ ହୋଇଯାଆନ୍ତୁ । କାରଣ ରାଜ୍ୟରେ ଗ୍ରାହକଙ୍କୁ ଠକିଚାଲିଛନ୍ତି ସୁନା ଦୋକାନୀ । ମାପ ଏବଂ ଓଜନରେ ହେଉଛି ବ୍ୟାପକ ଠକେଇ।  ଆଜି ବିଧାନସଭାରେ ଏନେଇ ଖାଉଟି କଲ୍ୟାଣ ମନ୍ତ୍ରୀ ତଥ୍ୟ ରଖିଛନ୍ତି। ଏଥିପାଇଁ ଚଢ଼ାଉ କରି ୨୦୧୮ରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ୪୦ରୁ ଅଧିକ ସୁନା ଦୋକାନକୁ ଜରିମାନା କରାଯାଇଛି। ସୁନା […]

4321

Tapas Behera
  • Published: Wednesday, 20 November 2019
  • , Updated: 20 November 2019, 08:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସୁନା କିଣିବା ବେଳେ ଆପଣ ଗହଣା ଦୋକାନୀର ଓଜନ ଯନ୍ତ୍ରକୁ ଆଖିବୁଜି ବିଶ୍ୱାସ କରିଯାଆନ୍ତି କି? ଯଦି ହଁ, ତେବେ ସତର୍କ ହୋଇଯାଆନ୍ତୁ । କାରଣ ରାଜ୍ୟରେ ଗ୍ରାହକଙ୍କୁ ଠକିଚାଲିଛନ୍ତି ସୁନା ଦୋକାନୀ । ମାପ ଏବଂ ଓଜନରେ ହେଉଛି ବ୍ୟାପକ ଠକେଇ।  ଆଜି ବିଧାନସଭାରେ ଏନେଇ ଖାଉଟି କଲ୍ୟାଣ ମନ୍ତ୍ରୀ ତଥ୍ୟ ରଖିଛନ୍ତି। ଏଥିପାଇଁ ଚଢ଼ାଉ କରି ୨୦୧୮ରୁ ଆଜି ପର୍ଯ୍ୟନ୍ତ ରାଜ୍ୟର ୪୦ରୁ ଅଧିକ ସୁନା ଦୋକାନକୁ ଜରିମାନା କରାଯାଇଛି।

ସୁନା ଗହଣା କିଣାବିକା ବେଳେ ମାପ ଏବଂ ଓଜନରେ ବ୍ୟାପକ ଠକେଇ ହେଉଥିବା, ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ।  କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ଗତବର୍ଷ ମାପଚୁପରେ ଏପଟସେପଟ କରୁଥିବା ୩୧ଟି ଦୋକାନ ଏବଂ ଚଳିତ ବର୍ଷ ୧୧ଟି ଦୋକାନ ଉପରେ ରେଡ୍ ହେବା ସହ  ଜୋରିମାନା କରାଯାଇଛି।  ତେବେ ଏହି ଦୁଇବର୍ଷର ତାଲିକାରେ ରାଜଧାନୀ ଭୁବନେଶ୍ୱର ଏବଂ ସୁନା ବ୍ୟବସାୟର ଅନ୍ୟତମ ପେଣ୍ଠସ୍ଥଳ ବ୍ରହ୍ମପୁର ନଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ନିଜେ ବାଚସ୍ପତି।  ଏହି ଦୁଇ ସହରରେ ଚଢ଼ାଉ ବ୍ୟାପକ କରିବାକୁ ସେ ଗୃହରେ ନିର୍ଦ୍ଦେଶ ଦେଇଛନ୍ତି।  ଯାହାର ଉତ୍ତରରେ ମନ୍ତ୍ରୀ କହିଥିଲେ ଯେ, ସାରୁ ଭିତରେ ମାରୁ ଥିଲେ ନିଶ୍ଚିତ ଧରିବୁ ।

ରାଜ୍ୟର ସୁନା ବ୍ୟବସାୟୀଙ୍କ ଏଭଳି ତଞ୍ଚକତା ଖବର ଶୁଣି ଚିନ୍ତାରେ ଗ୍ରାହକ।   ଝାଳବୁହା ଅର୍ଥରେ ସୁନା ଗହଣା କିଣୁଥିବା ଗ୍ରାହକ କାହାକୁ ବିଶ୍ୱାସ କରିବେ, କାହାକୁ ନକରିବେ ଦ୍ୱନ୍ଦ୍ୱରେ ପଡିଛନ୍ତି। ଏଭଳି ଠକେଇ ରୋକିବାକୁ କଡ଼ା ଆଇନ ଆଣିବାକୁ ଦାବି ଉଠିଥିବା ବେଳେ, ଗହଣା ବ୍ୟବସାୟୀ ଏଭଳି ଚଢ଼ାଉକୁ ସ୍ୱାଗତ କରିଛନ୍ତି।

Related story