ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଲାଗି ରହିଛି। ପ୍ରତିଦିନ ଏଥିରେ ଯୋଡ଼ି ହେଉଛି ନୂଆ ନୂଆ ଖିଅ। ତିନି ଦିନ ତଳେ ଏମାର ମଠ ପରିସରରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ଭଗ୍ନ ସିଂହମୂର୍ତ୍ତି ମିଳିଥିଲା। ଏହାକୁ ନେଇ ବିଭିନ୍ନ ବର୍ଗ ସରକାରଙ୍କୁ ଘେରିଥିବା ବେଳେ ଆଜି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସ୍ଆଇ)ର ଆଞ୍ଚଳିକ ଅଧୀକ୍ଷକ ଅରୁଣ ମଲ୍ଲିକ ଯେଉଁ ବୟାନ ଦେଇଛନ୍ତି, ତାହା ଏକ ବଡ଼ ଖୁଲାସା କରିଛି। ସରକାର ସବୁ ଜାଣି ସୁଦ୍ଧା ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ନିକଟରେ ଖନନ କାର୍ଯ୍ୟ କରୁଥିବା ସ୍ପଷ୍ଟ ହୋଇଛି।
ଏଏସ୍ଆଇ ଆଞ୍ଚଳିକ ଅଧୀକ୍ଷକ ଶ୍ରୀ ମଲ୍ଲିକ ଆଜି ‘ଓଟିଭି’କୁ କହିଛନ୍ତି, ପୁରୀ ଏକ ଐତିହ ସଂପନ୍ନ ସ୍ଥାନ। ଶ୍ରୀଜଗନ୍ନାଥ ମନ୍ଦିରର ଆଖପାଖ ଅଞ୍ଚଳ ପୁରାତନ କୀର୍ତ୍ତିରାଜିରେ ଭରି ରହିଛି। ତେଣୁ ସେଠାରେ ଯେତେବେଳେ ବି ଯେକୌଣସି ପ୍ରକାରର ଖନନ କାର୍ଯ୍ୟ କରାଯିବ, ପୁରାତନ କୀର୍ତ୍ତିରାଜି ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ଏ କଥା ମୁଁ ଆଜି ନୁହେଁ, ବହୁତ ଦିନରୁ କହି ଆସୁଛି। ଏମିତିକି ଅନେକ ସମୟରେ ରାଜ୍ୟ ଅଧିକାରୀଙ୍କ ସହିତ ବୈଠକ ବେଳେ ବି ମୁଁ ଏହି କଥା କହିଛି।
ଭଗ୍ନ ସିଂହମୂର୍ତ୍ତି ମିଳିବା ଘଟଣାରେ ସେ କହିଛନ୍ତି, ଓବିସିସିର ଅନୁରୋଧକ୍ରମେ ଆମେ ସେଠାକୁ ଯାଇଥିଲୁ ଓ ଯାଞ୍ଚ କରିଛୁ। ତାହା ନିଶ୍ଚିତ ଭାବେ ଏକ ପୁରାତନ କୀର୍ତ୍ତିରାଜି। ତା’ ବ୍ୟତୀତ ସେଠାରେ ଆଉ କିଛି କୀର୍ତ୍ତିରାଜି ମଧ୍ୟ ରହିଛି। ଏବେ ଆମ ରିପୋର୍ଟ ପ୍ରସ୍ତୁତ ହୋଇନାହିଁ। ରିପୋର୍ଟ ପ୍ରସ୍ତୁତ ହେବା ପରେ ଉଚ୍ଚ ଅଧିକାରୀଙ୍କୁ ପ୍ରଦାନ କରାଯିବ। କାମ ବନ୍ଦ କରାଯିବ ନା ନାହିଁ, ସେ ନେଇ ଉଚ୍ଚ ଅଧିକାରୀ ନିଷ୍ପତ୍ତି ନେବେ।
ଅନ୍ୟପକ୍ଷରେ ଏଏସ୍ଆଇ ଆଞ୍ଚଳିକ ଅଧୀକ୍ଷକଙ୍କ ଏହି ବୟାନ ଆସିବା ପୂର୍ବରୁ ପୁରୀ ସାଂସଦ ପିନାକୀ ମିଶ୍ର ଟ୍ୱିଟ୍ କରି କହିଥିଲେ ଯେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥଳ ଖନନ ପାଇଁ GPRS ସର୍ଭେ କରାଯାଇଛି। ଏ ସଂପର୍କିତ କାଗଜପତ୍ର ପ୍ରଦର୍ଶନ କରାଯିବ। ବିନା GPRSରେ ଖନନ କରାଯାଇଥିବା ଅଭିଯୋଗ ଭିତ୍ତିହୀନ। ତା’ସହ ଏ ସଂପର୍କିତ ସମସ୍ତ କୁହେଳିକା ହାଇକୋର୍ଟ ସତ୍ୟପାଠ ସ୍ପଷ୍ଟ କରିବ। ଏଥିପାଇଁ ଟିକେ ଧୈର୍ଯ୍ୟ ଧରିବାକୁ ପଡ଼ିବ।
ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଜିପିଆରଏସ୍ ସର୍ଭେ ହୋଇଥିଲା, ତା’ହେଲେ ମାଟି ତଳେ କ’ଣ ରହିଛି କେମିତି କେହି ଜାଣି ପାରିଲେନି ? ଏବେ ଖନନ ସମୟରେ କେମିତି ପୁରାତନ କୀର୍ତ୍ତିରାଜି ମିଳୁଛି?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।