ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଗ୍ର ଦେଶରେ ନୂପୁର ଝଡ଼ ଥମିବା ନାଁ ଧରୁ ନ ଥିବା ବେଳେ ଓଡ଼ିଶା ବିଧାନସଭାରେ ବି ଦେଖାଦେଇଛି ଏହାର ପ୍ରଭାବ । ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉ ହେଉ ଦେଖାଦେଇଛି ନୂପୁର ଝଡ଼ । ନୂପୁର ଶର୍ମା ମାମଲାକୁ ନେଇ ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ବିଜେପି-କଂଗ୍ରେସ ବିଧାୟକ । ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି, ନୁପୁର ଶର୍ମା ବିଜେପି ଦଳର ମୁଖପାତ୍ର ଅର୍ଥାତ ପାର୍ଟିର ଏଜେଣ୍ଡ । ସୁପ୍ରିମକୋର୍ଟ ନୂପୁରଙ୍କୁ ଭର୍ତ୍ସନା କରିଥିବାରୁ ପରୋକ୍ଷରେ ବିଜେପିକୁ ମଧ୍ୟ ଭର୍ତ୍ସନା କରିଛନ୍ତି । ତେଣୁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ ।
ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ଏହାର ଜବାବ ରଖିଥିଲେ । ଉଦୟପୁରରେ ଯେଉଁ ଘଟଣା ଘଟିଲା ସେଠି କଂଗ୍ରେସ ସରକାର ଅଛି । କଂଗ୍ରେସ ସରକାର ସେଠି ଇସ୍ତଫା ଦେଲେ କି ବୋଲି ବିଷ୍ଣୁ ସେଠି ପ୍ରଶ୍ନ କରିଥିଲେ । ଏହି ଘଟଣାକୁ ନେଇ ତୁମ୍ବି ତୋଫାନ ହେବା ପରେ ବିଜେପି ନୂପୁରୁଙ୍କୁ ନିଲମ୍ବନ କରି ସାରିଛି । ସେ ମଧ୍ୟ ପରୋକ୍ଷରେ କ୍ଷମା ପ୍ରାର୍ଥନା କରିଛନ୍ତି । ନୂପୁର ଶର୍ମା ଗୃହର ସଦସ୍ୟ ନୁହେଁ, ତେଣୁ କାହିଁକି ସେ ବିଷୟରେ ଆଲୋଚନା ହେବ ବୋଲି ସେ ପ୍ରଶ୍ନ କରିଥିଲେ । ଏହବାଦ କଶ୍ମୀର ପଣ୍ଡିତଙ୍କ କଥା ଉଠାଇ କଂଗ୍ରେସକୁ ମଧ୍ୟ କଡା ସମାଲୋଚନା କରିବାକୁ ସେ ଭୁଲି ନ ଥିଲେ।
ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉ ହେଉ ନୂପୁର ପ୍ରସଙ୍ଗକୁ ନେଇ ଆଜି ଗୃହ ଉଠିଥିଲା, ପଡ଼ିଥିଲା। ମୁହାଁମୁହିଁ ହୋଇଥିଲେ କଂଗ୍ରେସ-ବିଜେପି ବିଧାୟକ । ଯାହା ବିଷୟରେ ଆଲୋଚନା ହେଉଛି ସେ ଏହି ଗୃହର ସଦସ୍ୟ ନୁହନ୍ତି । ତେଣୁ ଏ ବିଷୟରେ ଅଧିକ ଆଲୋଚନା ହେବା କଥା ନୁହେଁ ବୋଲି କହିଥିଲେ ବାଚସ୍ପତି ଆରୁଖ ।
ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକୁ ପ୍ରଥମେ ୧୦ ମିନିଟ୍ ପାଇଁ ମୁଲତବୀ ରଖିଥିଲେ ବାଚସ୍ପତି । ମାତ୍ର ୧୦ ମିନିଟ୍ ପରେ ପରିସ୍ଥିତିରେ କୌଣସି ସୁଧାର ଆସି ନ ଥିଲା । ନୂପୁରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଗୃହରେ ନିଜ ନିଜର ଆସନରେ ଛିଡ଼ା ହୋଇ ନାରବାଜି କରିଥିଲେ କଂଗ୍ରେସ ଓ ବିଜେପିର ସଦସ୍ୟ । ପ୍ରବଳ ହଟ୍ଟଗୋଳ ଯୋଗୁ ଶେଷରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ସୂଚନାଯୋଗ୍ୟ, ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିବା ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟ ଗତକାଲି କଡ଼ା ଭର୍ତ୍ସନା କରିଛନ୍ତି। ନୂପୁର ଗଣମାଧ୍ୟମକୁ ଆସି ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ । ଉଦୟପୁର ହତ୍ୟାକାଣ୍ଡ ଲାଗି ମଧ୍ୟ କୋର୍ଟ ତାଙ୍କୁ ଦାୟୀ କରିଛନ୍ତି। ତାଙ୍କ ଯୋଗୁଁ ହିଁ ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଗତକାଲି କହିଛନ୍ତି ସୁପ୍ରିମକୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।