ଆସନ୍ତାକାଲିଠୁ ୮ଦିନିଆ ବିଧାନସଭା: ୩ ଦଳ ଚୂଡ଼ାନ୍ତ କଲେ ରଣନୀତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବିଧାନସଭାର ୮ଦିନିଆ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଆଜି ୩ ପ୍ରମୁଖ ରାଜନୀତିକ ଦଳ ନିଜର ରଣନୀତି ଚୂଡ଼ାନ୍ତ କରିଛନ୍ତି। କେନ୍ଦ୍ରୀୟ ଅବହେଳାକୁ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନେ ଗୃହରେ ପ୍ରସଙ୍ଗ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବିଜେପି ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ଓ ଓବିସି ସଂରକ୍ଷଣ ରାଜନୀତି ତଥା ରାଜ୍ୟ ସ୍ୱାର୍ଥଜଡ଼ିତ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି। ତେବେ କରୋନା କଟକଣା ମଧ୍ୟରେ ଆରମ୍ଭ ହେବାକୁ […]

odisha-assamble-1-750x430

Ordigital Desk
  • Published: Tuesday, 31 August 2021
  • , Updated: 31 August 2021, 08:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠୁ ବିଧାନସଭାର ୮ଦିନିଆ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ଆଜି ୩ ପ୍ରମୁଖ ରାଜନୀତିକ ଦଳ ନିଜର ରଣନୀତି ଚୂଡ଼ାନ୍ତ କରିଛନ୍ତି। କେନ୍ଦ୍ରୀୟ ଅବହେଳାକୁ ଉଭୟ ବିଜେଡି ଓ କଂଗ୍ରେସ ବିଧାୟକମାନେ ଗୃହରେ ପ୍ରସଙ୍ଗ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବିଜେପି ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନୀତି ଓ ଓବିସି ସଂରକ୍ଷଣ ରାଜନୀତି ତଥା ରାଜ୍ୟ ସ୍ୱାର୍ଥଜଡ଼ିତ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି। ତେବେ କରୋନା କଟକଣା ମଧ୍ୟରେ ଆରମ୍ଭ ହେବାକୁ ଥିବା ସ୍ୱଳ୍ପକାଳୀନ ଅଧିବେଶନ ଶାସକ ଓ ବିରୋଧୀଦଳର ରାଜନୀତିକ ଛକାପଞ୍ଝା ଏବଂ ଫାଇଦା ପାଇଁ ବଳି ପଡ଼ିବାର ଆଶଙ୍କା ରହିଛି।

ରାଜ୍ୟରେ ଓବିସି ସଂରକ୍ଷଣ, ଆସନ୍ନ ମରୁଡ଼ି, ଷ୍ଟାଫ ସିଲେକ୍ସନ ଦୁର୍ନୀତି, ବିଜୁଳି ଶୁଳ୍କ, ଆବାସ ଦୁର୍ନୀତି, ସୀମା ବିବାଦ, ମାହାଙ୍ଗା ଡବଲ ମର୍ଡରେ ମନ୍ତ୍ରୀଙ୍କ ଭୂମିକା, ଚାଷୀ ସମସ୍ୟା, ଖରସ୍ରୋତା ମେଗା ପାଇପ ପ୍ରକଳ୍ପ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସ୍ଥାଣୁତା, ଏସସିଏଫ ସୌମ୍ୟ ମୃତ୍ୟୁ ଆଦି ପ୍ରସଙ୍ଗକୁ ନେଇ ଉଭୟ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହେବା ସହ ଗୃହ ସରଗରମ ହେବାର ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି ବିଧାୟକ ଦଳ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିରୋଧୀ ଦଳର ସଦସ୍ୟମାନେ ଯେଉଁ ସବୁ ପ୍ରସଙ୍ଗ ଆଣିବେ ତା’ର ମୁକାବିଲା କରାଯିବ। କେନ୍ଦ୍ର ଅବହେଳା ନେଇ ଅନେକ ପ୍ରସଙ୍ଗ ଶାସକ ଦଳ ପାଖରେ ଅଛି, ସେସବୁ ଗୃହରେ ଉପସ୍ଥାପନ କରାଯିବ। ମାନସ ଦାସଙ୍କ ମାନବବାଦ ସଂଗଠନ ପ୍ରସଙ୍ଗରେ ବିଧାନସଭାରେ ଉଠିଲେ ତା’ର ଜବାବ ଦିଆଯିବ। ପୁଲିସ ଏହି ପ୍ରସଙ୍ଗରେ ତା’ର କାମ କରୁଛି । ସରକାର ଚୁପ୍ ହୋଇ ବସିନାହାନ୍ତି। ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଚନ୍ତି ଯେ ଗ୍ରାମାଂଚଳ ଆବାସ ଯୋଜନା ଓ ଏମଏସପି ପ୍ରସଙ୍ଗ ସମେତ ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କରିବା ପ୍ରସଙ୍ଗରେ ବିଜେଡି ଗୃହରେ ଉତଥାପନ କରିବ ।

ସେହିପରି ବିଜେପି ଉପନେତା ବିଷ୍ଣୁ ସେଠୀଙ୍କ ଅଧ୍ୟକ୍ଷତାରେ ବିଜେପି ବିଧାୟକ ଦଳ ବୈଠକରେ ବିଧାନସଭା ଅଧିବେଶନ ପାଇଁ ରଣନୀତି ଚୂଡ଼ାନ୍ତ ହୋଇଛି । ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ଅଧିବେଶନରେ ଦଳର ବିଧାୟକମାନେ ରାଜ୍ୟର ବିଭିନ୍ନ ସମସ୍ୟା ଉଠାଇବା ସହ ସାଧାରଣ ଲୋକଙ୍କ ମୌଳିକ ସମସ୍ୟା ଉପରେ ସରକାରଙ୍କୁ ପ୍ରଶ୍ନ କରିବ। ବିଶେଷ ଭାବେ ରାଜ୍ୟରେ ଆସନ୍ନ ମରୁଡି ପରିସ୍ଥିତି, ମଣ୍ଡି ସମସ୍ୟା, ୟୁରିଆ ସାର ସମସ୍ୟା, ଜଳସେଚନ ସମସ୍ୟା, ମାହାଙ୍ଗା ମର୍ଡରରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ଷ୍ଟାଫ ସିଲେକ୍ସନ କମିଶନ ଦୁର୍ନୀତି, ସୀମା ବିବାଦ, ପ୍ରଧାନମନ୍ତ୍ରୀ ଆବାସ ଘୋଟାଲା, ଓବିସିି ସଂରକ୍ଷଣ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ, ମହିଳା ସୁରକ୍ଷା, ବେରୋଜଗାର, ଖଣି ଦୁର୍ନୀତି, ବିଦ୍ୟୁତ ଶୁଳ୍କ ବୋଝ ଆଦି ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ନାଁରେ ଶାସକ ବିଜେଡି ସାଧାରଣ ଗରିବ ଲୋକଙ୍କୁ ପ୍ରତାରଣା କରିବା ସହ କେବଳ ଭୋଟ ବ୍ୟାଂକ ରାଜନୀତି କରୁଛି। କେନ୍ଦ୍ରୀୟ ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ ନକରିବା ଶାସକ ବିଜେଡିର ମାନସିକତା କାରଣରୁ ଆଜି ରାଜ୍ୟବାସୀ ଆୟୁଷ୍ମାନ ଭାରତ ଯୋଜନାର ଲାଭ ପାଇବାରୁ ବଂଚିତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ ବ୍ୟାପକ ଦୁର୍ନୀତି କାରଣରୁ ବହୁ ଗରିବ ହିତାଧିକାରୀ ସେମାନଙ୍କ ବାସଗୃହ ହକ୍ ପାଇବାରୁ ବଂଚିତ ହୋଇଛନ୍ତି। ଏସବୁ ପ୍ରସଙ୍ଗ ବିଧାନସଭାରେ ବିଜେପି ଉଠାଇ ସରକାରଙ୍କୁ ଘେରିବ ବୋଲି କହିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଧାୟକ ଦଳ ବୈଠକ ବସି ରଣନୀତି ଚୂଡ଼ାନ୍ତ ହୋଇଛି। ଦଳର ବିଧାୟକ ମହମ୍ମଦ ମୋକିମ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ମରୁଡ଼ି ସମେତ କେନ୍ଦ୍ରୀୟ ଅବହେଳାକୁ କଂଗ୍ରେସ ବିଧାୟକମାନେ ଗୃହରେ ଉଠାଇବେ। ମାହାଙ୍ଗା ଡବଲ ମର୍ଡର ମାମଲାରେ ମନ୍ତ୍ରୀଙ୍କ ସମ୍ପୃକ୍ତି, ଷ୍ଟାଫ ସିଲେକ୍ସନ ଦୁର୍ନୀତି ଆଦି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଦୋଛକିରେ ଛିଡ଼ା କରାଇବ ବୋଲି ସେ କହିଛନ୍ତି । କଂଗ୍ରେସ ସୂତ୍ର ଅନୁସାରେ, ଗୃହରେ ବିଜୁଳି ଦର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସ୍ଥାଣୁ ହୋଇ ରହିବା ଓ ଏହାର ଅଫିସ ସ୍ଥାନାନ୍ତର କରିବା ଦାବି କଂଗ୍ରେସ ଗୃହରେ ଉଠାଇବ।

Related story