ବିଧାନସଭାରେ ଅଶ୍ୱିନୀ ଝଡ଼ : ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖଣି ଦୁର୍ନୀତିରେ ଲିପ୍ତ ଥିବା ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶାସକ ବିଜେଡି ସମର୍ଥନ କରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ପଷ୍ଟୀକରଣ ଦାବି କରି କଂଗ୍ରେସ ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛି। କଂଗ୍ରେସ ବିଧାୟକମାନେ ପୋଡ଼ିୟମ ନିକଟକୁ ଆସି ହୋ-ହାଲ୍ଲା କରିବା ଯୋଗୁ ଗୃହ ବାରମ୍ବାର ମୁଲତବୀ ହୋଇଥିଲା। ତେବେ ସର୍ବଦଳୀୟ ବୈଠକ ପରେ ଗୃହରେ ସ୍ୱାଭାବିକ ସ୍ଥିତି ଫେରିଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି […]

aswin

Manoranjan Sial
  • Published: Wednesday, 26 June 2019
  • , Updated: 26 June 2019, 07:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖଣି ଦୁର୍ନୀତିରେ ଲିପ୍ତ ଥିବା ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶାସକ ବିଜେଡି ସମର୍ଥନ କରିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ପଷ୍ଟୀକରଣ ଦାବି କରି କଂଗ୍ରେସ ଆଜି ବିଧାନସଭାରେ ପ୍ରବଳ ହଟ୍ଟଗୋଳ କରିଛି। କଂଗ୍ରେସ ବିଧାୟକମାନେ ପୋଡ଼ିୟମ ନିକଟକୁ ଆସି ହୋ-ହାଲ୍ଲା କରିବା ଯୋଗୁ ଗୃହ ବାରମ୍ବାର ମୁଲତବୀ ହୋଇଥିଲା। ତେବେ ସର୍ବଦଳୀୟ ବୈଠକ ପରେ ଗୃହରେ ସ୍ୱାଭାବିକ ସ୍ଥିତି ଫେରିଥିଲା।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଆଜି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ, ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଗଲେ ରାଜ୍ୟର କିଭଳି ସ୍ୱାର୍ଥ ସାଧନ ହେବ ତାହା ସେ ଜାଣିପାରୁନାହାନ୍ତି। ବେଆଇନ ଭାବେ ଇଚ୍ଛାଧୀନ କୋଟାର ହିତାଧିକାରୀ ସାଜିଥିବା ୧୧୯୭ଜଣଙ୍କ ମଧ୍ୟରେ ଏହି ପୂର୍ବତନ ଆଇଏଏସ ଅଛନ୍ତି। ତାରା ଦତ୍ତ କମିଟି ସୁପାରିସ ଆଧାରରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭିଜିଲାନ୍ସକୁ କୁହାଯାଇଥିଲା। ତା’ହେଲେ କ’ଣ ଇଚ୍ଛାଧୀନ କୋଟା ମାମଲାରେ ବୈଷ୍ଣବଙ୍କୁ ଭିଜିଲାନ୍ସ ଦୋଷମୁକ୍ତ କରିଛି କି ବୋଲି ସେ ମୁଖ୍ୟମନ୍ତ୍ରୀଙ୍କଠୁ ଜାଣିବାକୁ ଚାହିଁଥିଲେ।

ଏହାବ୍ୟତୀତ ଖଣି ଦୁର୍ନୀତିରେ ଶ୍ରୀ ବୈଷ୍ଣବ କିଭଳି ସମ୍ପୃକ୍ତ ଅଛନ୍ତି ତା’ର ତଥ୍ୟ ତାଙ୍କ ପାଖରେ ରହିଛି। ଶାହା କମିଶନଙ୍କ ରିପୋର୍ଟରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ଗତ ୫ବର୍ଷ ଧରି ଏନଡିଏ ସରକାର କାହିଁକି ଖଣି ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେନି? ଖଣି ମାଫିଆଙ୍କ ସହ ଶ୍ରୀ ବୈଷ୍ଣବଙ୍କ ସହ ସିଧାସଳଖ ସମ୍ପୃକ୍ତି ଅଛି।
ସେହିପରି କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ଖଣି ଦୁର୍ନୀତି ପ୍ରସଙ୍ଗରେ ବିଜେପିକୁ କଡ଼ା ସମାଲୋଚନା କରି ଖଣି ଲୁଟେରାଙ୍କ ସହ ସମ୍ପୃକ୍ତ ବୈଷ୍ଣବଙ୍କୁ କେଉଁ ଆଧାରରେ ବିଜେଡି ସମର୍ଥନ ଦେଲା ତା’ର ସ୍ପଷ୍ଟୀକରଣ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଦାବି କରିଥିଲେ। ସେ କହିଥିଲେ ଯେ, ଖଣି ବ୍ୟବସାୟୀ ପ୍ରଭାକରନ, ହରିଆଣା ଅର୍ଥମନ୍ତ୍ରୀଙ୍କ ଭାଇ, ବିଜେପି ଅଧ୍ୟକ୍ଷ ଅମିତ୍ ଶାହଙ୍କ ପୁଅଙ୍କ ସହ ମିଶି ଶ୍ରୀ ବୈଷ୍ଣବ ବ୍ୟବସାୟ କରୁଛନ୍ତି। ବ୍ରାହ୍ମଣୀ ରିଭର ପେଲେଟ୍ ଲିଃରେ ଶ୍ରୀ ବୈଷ୍ଣବ ପରିଚାଳନା ନିର୍ଦ୍ଦେଶକ ଥିବାବେଳେ ଓଡ଼ିଶାର ଖଣିକୁ ଲୁଟ୍ କରୁଥିବା ଜେଏସଡବ୍ଲ୍ୟୁ, ମୋନେଟ୍, ତ୍ରିବେଣୀ ଭଳି କମ୍ପାନୀରେ ନିର୍ଦ୍ଦେଶକ ଅଛନ୍ତି। ତେଣୁ ଖଣି ମାଫିଆଙ୍କ ଚାପରେ ବିଜେପି ଓ ବିଜେଡି ଏବେ ଭାଇ-ଭାଇ ହୋଇଛନ୍ତି।

ଏହାପରେ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଯାଇ ହଟ୍ଟଗୋଳ କରିଥିଲେ ଓ କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି ବାଚସ୍ପତିଙ୍କ ଟେବୁଲ ଉପରେ ଚଢ଼ିବାକୁ ଚେଷ୍ଟା କରିଥିଲେ। ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। କାରଣ ଏହି ମାମଲା ନେଇ ଗୃହ ୫ଥର ମୁଲତବୀ ହୋଇଥିଲା।

ଅନ୍ୟପକ୍ଷରେ ନିଜର ପ୍ରାର୍ଥୀପତ୍ର ଯାଞ୍ଚ ପାଇଁ ଆଜି ବିଧାନସଭାକୁ ଆସିଥିବା ଶ୍ରୀ ବୈଷ୍ଣବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ଯାହାସବୁ ଅଭିଯୋଗ ଅଣାଯାଇଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ। ଯାହା ଅଭିଯୋଗ ଆସୁଛି ତା’ର ତଦନ୍ତ କରାଯାଉ। ଅଭିଯୋଗ ଆଣିଥିବା ବ୍ୟକ୍ତି ଏସବୁର ପ୍ରମାଣ ଦିଅନ୍ତୁ। ନିର୍ବାଚନ ପ୍ରକ୍ରିୟା ଶେଷ ହେବାପରେ ସେ ସବୁ ପ୍ରଶ୍ନର ଉତ୍ତର ଦେବେ। ଯଦି ତାଙ୍କର ସତସାହସ ନଥାନ୍ତା ତା’ହେଲେ ତଦନ୍ତ କଥା କହିନଥାନ୍ତେ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।

Related story