ନରସିଂହପୁର(ସର୍ବେଶ୍ୱର ସ୍ୱାଇଁ): ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆସିଥିବାରୁ ଛାନିଆ ହେଲେଣି ଉପକୂଳ ଜିଲ୍ଲାବାସୀ। କେଉଁଠି ରାସ୍ତା ଉପରେ ୫ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ତ କେଉଁଠି ଘାଇ ଭାଙ୍ଗି ବନ୍ୟା ପାଣି ଗାଁ ବୁଡ଼ାଇଲାଣି। ଏପରି ସ୍ଥିତିରେ କଟକ ଜିଲ୍ଲା ବଡମ୍ବା ବ୍ଲକର ମହାନଦୀ ମଧ୍ୟରେ ଥିବା ପୁରାତନ ଶୈବ ପୀଠ ତଥା ବଡ଼ମ୍ବାର ପ୍ରସିଦ୍ଧ ବାବା ସିଂହନାଥ ପୀଠ ପ୍ରବେଶ କରିଛି ବନ୍ୟା ଜଳ।
ମହାନଦୀ କ୍ରମଶଃ ଫୁଲୁଥିବାରୁ ବାବା ସିଂହନାଥଙ୍କ ପୀଠକୁ ପ୍ରବେଶ କରିଛି ବନ୍ୟା ଜଳ। ବନ୍ୟା ଜଳ ମନ୍ଦିର ପରିସରରେ ପ୍ରବେଶ କରିବାରୁ ବାବା ସିଂହନାଥଙ୍କୁ ଉଚ୍ଚ ସ୍ଥାନ ରୋଷଘରକୁ ସ୍ଥାନାନ୍ତରିତ କରାଯାଇଛି। ଦେବତର ବିଭାଗ ପକ୍ଷରୁ ସଜାଗ ରହିବା ସହିତ ବଡମ୍ବା ତହସିଲଦାର ତପନ କୁମାର ପରିଡ଼ା ସ୍ଥିତି ଉପରେ ନଜର ରଖିଛନ୍ତି।
କଟକର ମୁଣ୍ଡଳିଠାରେ ମହାନଦୀ ବିପଦ ସଂକେତ ଟପିଛି। ମୁଣ୍ଡଳିରେ ବିପଦ ସଂକେତ ୯୭.୨୫ ଫୁଟ୍ ରହିଥିବା ବେଳେ ଜଳସ୍ତର ୯୭.୩୦ ଫୁଟ୍ ରହିଛି ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର। ମହାନଦୀ ଓ ତାର ଶାଖା ନଦୀ ଗୁଡ଼ିକରେ ବନ୍ୟା ଜଳ ବୃଦ୍ଧି ପାଇବାରୁ ବହୁ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।
ବନ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ବିଭିନ୍ନ ଦୁର୍ବଳ ନଦୀ ବନ୍ଧ ଓ ତଳିଆ ଅଞ୍ଚଳକୁ ଚିହ୍ନଟ କରାଯାଇ ତାହା ଉପରେ ତୀକ୍ଷଣ ନଜର ରଖା ଯାଇଛି। ବନ୍ୟା ସ୍ଥିତି ଉପରେ ନଜର ରଖିବା ପାଇଁ ଜଳ ସମ୍ପଦ ବିଭାଗ ଅଧିକାରୀ ଗତକାଲି ରାତିରେ ନାଇଟ୍ ପାଟ୍ରୋଲିଂ କରିଥିଲେ। ଏପରିକି କିଛି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ନାଇଟ୍ ପାଟ୍ରୋଲିଂ କରି ସ୍ଥିତି ପରଖିଛନ୍ତି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।