ବାଇକ୍‌ରେ ପଳାଉଥିବା ବେଳେ ବବ୍‌ଲୁକୁ ଗୁଳି ମାରିଲା ପୁଲିସ୍‌

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲାରେ ଆତଙ୍କ ଖେଳାଇଥିବା ଦୁର୍ଦ୍ଦାନ୍ତ ଅପରାଧୀ ବବଲୁ ମହାନନ୍ଦକୁ ପୁଲିସ୍‌ ଏନ୍‌କାଉଣ୍ଟର କରିଛି। ଗତକାଲି ସନ୍ଧ୍ୟାରେ ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାର ସଇଁତଲା ନିକଟରେ ଟିଟିଲାଗଡ଼ ଓ ସଇଁତଲା ପୁଲିସ୍‌ ମିଶି ତାକୁ ଏନ୍‌କାଉଣ୍ଟର କରିଥିଲେ। ଏନ୍‌କାଉଣ୍ଟରରେ ବବ୍‌ଲୁର ଡାହାଣ ଗୋଡ଼ରେ ତିନିଟି ଗୁଳି ବାଜିଥିବା ଜଣାପଡ଼ିଛି। ତାକୁ ପ୍ରଥମେ ସଇଁତଲା ଡାକ୍ତରଖାନା ଓ ପରେ ବଲାଙ୍ଗିର ହସ୍ପିଟାଲକୁ ଅଣାଯାଇଥିଲା। ତେବେ ଅଧିକ ଚିକିତ୍ସା ପାଇଁ ତାକୁ ବୁର୍ଲା ନିଆଯାଇଛି।

ବବ୍‌ଲୁ ଏକ ବାଇକ୍‌ରେ ଟିଟିଲାଗଡ଼ରୁ ସଇଁତଲାକୁ ଯାଉଥିବା ନେଇ ପୁଲିସ୍ ଖବର ପାଇଥିଲା। ଏହାପରେ ଟିଟିଲାଗଡ଼ ପୁଲିସ୍‌ର ଏକ ଟିମ୍‌ ବବ୍‌ଲୁକୁ ପିଛା କରୁଥିବା ବେଳେ ବଡ଼ମାଳ ଜଙ୍ଗଲ ନିକଟରେ ସେ ଦେଶୀ ପିସ୍ତଲରେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା। ତେବେ ପୁଲିସ୍‌ର ପାଲଟା ଗୁଳିରେ ବବ୍‌ଲୁ ଆହତ ହୋଇ ତଳେ ପଡ଼ିଯାଇଥିଲା। ତା’ପରେ ପୁଲିସ୍‌ ତାକୁ କାବୁ କରିଥିଲା।

ବବ୍‌ଲୁ ନାଁରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ଗତ ଅଗଷ୍ଟ ୨୯ ତାରିଖରେ ବଲାଙ୍ଗିର-ଟିଟିଲାଗଡ଼ ରାସ୍ତାର ଜିତୁ ମୋଟେଲ ନିକଟରେ ଦିଲୀପ ପଟ୍ଟନାୟକଙ୍କୁ ଗୁଳି ମାରିବା ଘଟଣାରେ ବବ୍‌ଲୁ ମୁଖ୍ୟ ଅଭିଯୁକ୍ତ ବୋଲି ଅଭିଯୋଗ ହୋଇଥିଲା। ଏହି ଗୁଳିକାଣ୍ଡ ଘଟଣାରେ ପୁଲିସ୍ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ବବ୍‌ଲୁକୁ ଖୋଜୁଥିଲା।