ସେ ଚାହିଁଲେ ସବୁ ହେଲା...

ପୁରୀ(ଓଡ଼ିଶା ରିପୋର୍ଟର): ସେ ଚାହିଁଲେ ବୋଲି ଘୋଷଯାତ୍ରା ହେଲା, ସେ ଚାହିଁଲେ ବୋଲି ବାହୁଡ଼ାଯାତ୍ରା ବି ସୁରୁଖୁରୁରେ ସରିଲା। ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ଆଜି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାବାହୁ। ମହାମାରୀ ଭଳି ପ୍ରତିକୂଳ ସମୟରେ ସାରା ବିଶ୍ୱକୁ ଦର୍ଶନ ଦେଇ ବାହୁଡ଼ିଛନ୍ତି ଚତୁର୍ଦ୍ଧା ମୂରତୀ। କୋଭିଡ୍ କଟକଣା ସତ୍ତ୍ୱେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଅନୁକୂଳ ପାଗ ଯୋଗୁଁ ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ଲାଗିଛି ୩ ରଥ। ଅବଶ୍ୟ, ସର୍ବୋଚ୍ଚ […]

898

Tapas Behera
  • Published: Wednesday, 01 July 2020
  • , Updated: 01 July 2020, 07:40 PM IST

ପୁରୀ(ଓଡ଼ିଶା ରିପୋର୍ଟର): ସେ ଚାହିଁଲେ ବୋଲି ଘୋଷଯାତ୍ରା ହେଲା, ସେ ଚାହିଁଲେ ବୋଲି ବାହୁଡ଼ାଯାତ୍ରା ବି ସୁରୁଖୁରୁରେ ସରିଲା। ଜନ୍ମବେଦୀରେ ସବୁ ଲୀଳାଖେଳା ସାରି ଆଜି ନୀଳକନ୍ଦର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହାବାହୁ। ମହାମାରୀ ଭଳି ପ୍ରତିକୂଳ ସମୟରେ ସାରା ବିଶ୍ୱକୁ ଦର୍ଶନ ଦେଇ ବାହୁଡ଼ିଛନ୍ତି ଚତୁର୍ଦ୍ଧା ମୂରତୀ।

କୋଭିଡ୍ କଟକଣା ସତ୍ତ୍ୱେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଅନୁକୂଳ ପାଗ ଯୋଗୁଁ ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ଲାଗିଛି ୩ ରଥ। ଅବଶ୍ୟ, ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶରେ ଶ୍ରଦ୍ଧାଳୁଙ୍କ ଶୂନ୍ୟତା ଯୋଗୁଁ ଶ୍ରୀହୀନ ଲାଗୁଥିଲା ଶରଧାବାଲିରୁ ସିଂହଦ୍ୱାର।

ବାହୁଡ଼ାଯାତ୍ରା ପାଇଁ ଆଜି ସକାଳୁ ସକାଳୁ ଆଡ଼ପ ମଣ୍ଡପରେ ତିନି ଠାକୁରଙ୍କ ସରିଯାଇଥିଲା ନୀତିକାନ୍ତି । ଆରମ୍ଭ ହୋଇଥିଲା ବାହୁଡ଼ା ପହଣ୍ଡି। ପ୍ରଥମେ ସୁଦର୍ଶନ, ପରେ ପରେ ପ୍ରଭୁ ବଳଭଦ୍ର, ଦେବୀ ଶୁଭଦ୍ରା ଏବଂ ଶେଷରେ ବିଶ୍ୱନିୟନ୍ତା ପହଣ୍ଡିରେ ଆସି ରଥାରୁଢ଼ ହୋଇଥିଲେ। ରାମକୃଷ୍ଣ ଓ ମଦନମୋହନ ବିଜେ ପରେ ତାମଯାନରେ ୩ ରଥ ନିକଟକୁ ପୂର୍ବାହ୍ନ ସାଢ଼େ ୧୦ରେ ଆସି ଛେରାପହଁରା କରିଥିଲେ ଶ୍ରୀଜୀଉଙ୍କ ଆଦ୍ୟ ସେବକ ଗଜପତି ମହାରାଜା। ଏହାପରେ ନିର୍ଦ୍ଧାରିତ ସମୟର ୩୫ ମିନିଟ୍ ଅର୍ଥାତ ୧୧ଟା ୨୫ ମିନିଟରେ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ଗଡ଼ିଥିଲା ।

ତାପଛକୁ ପଛକୁ ଘଣ୍ଟାଏ ଲେଖାଏଁ ବ୍ୟବଧାନରେ ଦେବୀ ଶୁଭଦ୍ରାଙ୍କ ଦେବଦଳନ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ସୁରୁଖୁରୁରେ ହୋଇଥିଲା। ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ସିନା ନୀଳକନ୍ଦର ମୁହାଁ ହେଉଥିଲେ।  ହେଲେ ଭକ୍ତ ଆଉ ଶ୍ରଦ୍ଧାଳୁ ଶୂନ୍ୟ ଥିଲା ଶରଧାବାଲି, ବଡ଼ଦାଣ୍ଡ ଲାଗୁଥିଲା ଖାଁ ଖାଁ। କୋଭିଡ୍ ମହାମାରୀର କଠୋର କଟକଣା ଏବଂ କର୍ଫ୍ୟୁ ଭିତରେ ଭକ୍ତ ଆଉ ଭଗବାନଙ୍କ ମିଳନ ସମ୍ଭବ ହୋଇନଥିଲା । କେବଳ ଯାହା ଟିଭିରେ ମହାପ୍ରଭୁଙ୍କୁ ଏବଂ ବାହୁଡ଼ାଯାତ୍ରାକୁ ଦର୍ଶନ କରୁଥିଲେ ଅଗଣିତ ଦର୍ଶକ। ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବା ବେଳେ ମାଉସୀ ମାମନ୍ଦିର ନିକଟରେ ଅଟକି ପୋଡ଼ପିଠା ଖାଇଥିଲେ ଶ୍ରୀଜୀଉ। ପରେ ଶ୍ରୀନଅର ସମ୍ମୁଖରେ ସମ୍ପନ୍ନ ହୋଇଥିଲା ଲକ୍ଷ୍ମୀ ନାରାୟଣ ଭେଟ । ଯଥେଷ୍ଟ ସମୟ ଆଗରୁ ଲକ୍ଷ୍ମୀ ନାରାୟଣ ଭେଟ ସମ୍ପନ୍ନ ହେବା ଇତିହାସରେ ପ୍ରଥମ ବୋଲି କହିଛନ୍ତି ଗଜପତି ମହାରାଜା । ତେବେ କୋଭିଡ୍ କଟକଣା ଭିତରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଅନୁକୂଳ ପାଗ ଯୋଗୁଁ ଯଥେଷ୍ଟ ସମୟ ଆଗରୁ ସଂଧ୍ୟା ପୂର୍ବରୁ ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା ୩ ରଥ ।

ଶୃଙ୍ଖଳିତ ବାହୁଡ଼ା ଯାତ୍ରା ଲାଗି ମୁତୟନ ହୋଇଥିଲେ ୭୦ ପ୍ଲାଟୁନ୍ ଫୋର୍ସ । ତା’ସହ ପୁରୀ ସମେତ ରାଜ୍ୟ ତଥା ରାଜ୍ୟ ବାହାରର କୌଣସି ଶ୍ରଦ୍ଧାଳୁ ଯେପରି ଶ୍ରୀକ୍ଷେତ୍ରକୁ ନଆସନ୍ତି, ସେଥିପାଇଁ କର୍ଫ୍ୟୁ ଜାରି କରିବା ସହ ତୁହାକୁ ତୁହା ପଇଁତରା ମାରିଥିଲା ପୁଲିସ। ଘୋଷଯାତ୍ରା ଭଳି ବାହୁଡ଼ା ପାଇଁ ସମସ୍ତ ସେବାୟତଙ୍କ କୋଭିଡ୍ ଟେଷ୍ଟ କରାଯାଇଥିଲା। ନୀତି ସହ ଜଡ଼ିତ ମାତ୍ର ୧୦ ଜଣ ଲେଖାଏଁ ସେବାୟତ ୩ ରଥରେ ବସିଥିବାବେଳେ ପ୍ରତି ରଥ ଟାଣିଥିଲେ ୫ ଶହ ସେବାୟତ।  ବର୍ତ୍ତମାନ ସୁଦ୍ଧା କୋଭିଡ୍ କଟକଣା ଭିତରେ ସମସ୍ତ ନୀତିକାନ୍ତି ସହ ଶୃଙ୍ଖଳିତ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି।

Related story