ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ସେଥିପାଇଁ ଉଷ୍ମ ହେଉଛି ଗାଁ ରାଜନୀତି। ପ୍ରଚାରରେ ସାମିଲ୍ ହେଉଛନ୍ତି ବଡ଼ବଡ଼ ନେତା। ଏହି ପରିପ୍ରେକ୍ଷୀରେ ଆଜି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଦିଲ୍ଲୀ ଓ ଆସାମର ପ୍ରଦେଶ ପ୍ରଭାରୀ ବୈଜୟନ୍ତ ପଣ୍ଡା ଦଳର କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ଭର୍ଚୁଆଲ୍ରେ ପ୍ରଚାର କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି କିଶୋର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଭର୍ଚୁଆଲ ସଭାରେ ଜିଲ୍ଲାର ପଦାଧାରୀ, ଦଳୀୟ ପ୍ରାର୍ଥୀ, ବୁଦ୍ଧିଜୀବୀ ଓ ସାଧାରଣ ଜନତାଙ୍କୁ ସେ ସମ୍ୱୋଧିତ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଗାଁ ଗୁଡ଼ିକ ପାଇଁ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ସବୁ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇବା ସହିତ ଘରକୁ ଘର ଯାଇ ପ୍ରଚାର କରିବାକୁ ସେ କର୍ମୀ ଓ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ସେ କେନ୍ଦ୍ରୀୟ ଯୋଜନାର ହରିଲୁଟ୍, ପ୍ରଶାସନର ଦୁରୁପଯୋଗ, ରାଜ୍ୟରେ ଶାସକ ଦଳର ଗୁଣ୍ଡାରାଜ ଓ ମହିଳାଙ୍କ ପ୍ରତି ବଢ଼ି ଚାଲିଥିବା ଅତ୍ୟାଚାର ଆଦି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।
ଶ୍ରୀ ପଣ୍ଡା ଆହୁରି କହିଛନ୍ତି, ମୋ କର୍ମଭୂମି କେନ୍ଦ୍ରାପଡ଼ାର ବିକାଶ ପାଇଁ ମୁଁ ସବୁବେଳେ ଚେଷ୍ଟା କରିଆସିଛି। କେନ୍ଦ୍ରପଡ଼ାବାସୀଙ୍କ ସେବା କରିବାର ସୁଯୋଗ ପାଇଥିବାରୁ ମୁଁ ଗର୍ବିତ। କରୋନା ମହାମାରୀ ସମୟରେ ବିଜେପି ଲୋକଙ୍କ ସହିତ ରହିଛି। ସେହିପରି ବନ୍ୟା ଓ ବାତ୍ୟା ଭଳି ବିପଦ ସମୟରେ ବି ବିଜେପି ସବୁବେଳେ ଏଠାକାର ଲୋକଙ୍କ ସାଙ୍ଗରେ ରହିଛି।
ସୂଚନାଯୋଗ୍ୟ, ବୁଧବାର ଶ୍ରୀ ପଣ୍ଡା ଦଳୀୟ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସହ ଭିଡିଓ କନ୍ଫରେନ୍ସରେ ଆଲୋଚନା କରିଥିଲେ। ଏହି ସମୟରେ ସେ ପ୍ରାର୍ଥୀଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ବିଜେପି ପ୍ରତି ଲୋକଙ୍କ ଆସ୍ଥା ବଢ଼ୁଛି ଓ ବିଗତ ନିର୍ବାଚନରେ ଭୋଟ୍ ହାର ମଧ୍ୟ ବଢ଼ିଛି। ଦଳ ପ୍ରତି ଲୋକଙ୍କ ସମର୍ଥନ ବଢ଼ୁଥିବାରୁ ଏହାକୁ ଭୋଟ୍ରେ ରୂପାନ୍ତରିତ କରିବାକୁ ଦଳୀୟ ପ୍ରାର୍ଥୀଙ୍କୁ କଠିନ ପରିଶ୍ରମ କରିବା ପାଇଁ ଶ୍ରୀ ପଣ୍ଡା ଆହ୍ୱାନ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।