ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପରିବାର ଚଳାଇବା ପାଇଁ ଦୁବାଇ ଯାଇଥିଲେ। ହେଲେ ଅସୁସ୍ଥତା କାରଣରୁ ସେଠାରେ ଫସି ରହିଛନ୍ତି ଓଡ଼ିଆ ପୁଅ ଲକ୍ଷ୍ମୀଧର ପରିଡ଼ା। ତାଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ନମଉଜାର ବେଡ଼ା ଗାଁର ରବୀନ୍ଦ୍ର ପରିଡ଼ାଙ୍କ ପୁଅ ଲକ୍ଷ୍ମୀଧର ୪ ବର୍ଷ ତଳେ ଦୁବାଇର ଏକ କମ୍ପାନୀରେ କାମ କରୁଥିଲେ। ହେଲେ ଗତ ୧୫ ଦିନ ହେଲା ତାଙ୍କର ଖୋଜ୍ ଖବର ନଥିଲା। ପରିବାର ଲୋକ ବହୁବାର ଲକ୍ଷ୍ମୀଧରଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ସମ୍ଭବ ହୋଇନଥିଲା। ପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବାରୁ ଜାଣିବାକୁ ପାଇଲେ ଯେ ଲକ୍ଷ୍ମୀଧର ଅସୁସ୍ଥ ହୋଇ ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି।
ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଲକ୍ଷ୍ମୀଧରଙ୍କ ସହିତ ପରିବାର ଲୋକ କଥା ହେବାକୁ ଚାହୁଁଥିଲେ। ହେଲେ କମ୍ପାନୀ କର୍ତ୍ତୃପକ୍ଷ କଥା ହେବାକୁ ଦେଉନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଅର ଅସୁସ୍ଥତା ନେଇ ପରିବାର ଲୋକ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡାଙ୍କ ଜରିଆରେ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ପରିବାର ଲୋକଙ୍କ ଅନୁରୋଧ କ୍ରମେ ଶ୍ରୀଯୁକ୍ତ ପଣ୍ଡା ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରାଇଥିଲେ। ଏପରିକି ଲକ୍ଷ୍ମୀଧରଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବା ପାଇଁ ସହାୟତା ଯୋଗାଇଦେବାକୁ ଶ୍ରୀ ପଣ୍ଡା ଚିଠି ଲେଖି ନିବେଦନ କରିଛନ୍ତି।