Advertisment

କୋର୍ଟଙ୍କ ନିର୍ଦ୍ଦେଶକୁ ଖାତିର କଲେନି, ଲାଞ୍ଚ ମାଗି ଫସିଲେ ଏଏସ୍‌ଆଇ ଓ ହୋମଗାର୍ଡ

ଲାଞ୍ଚ ଟଙ୍କା ଜବତ କରିବା ସହିତ ଭିଜିଲାନ୍ସ ଏଏସ୍‌ଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ରଙ୍କୁ ଥାନାରୁ ନେଇ ଭିଜିଲାନ୍ସ ଅଫିସରେ ଅଟକ ରଖି ପଚରାଉଚରା କରୁଛି।

Police ASI

Police ASI

Advertisment

ଲାଞ୍ଚ ନେବାରେ ବୋଧହୁଏ ଏମିତି ଅଭ୍ୟସ୍ତ ହୋଇଯାଇଥିଲେ ଯେ ଆଉ କିଛି ଆଇନକାନୁନ ମାନୁ ନଥିଲେ। ଏମିତିକି କୋର୍ଟଙ୍କ ଆଦେଶକୁ ବି ବେଖାତିର କରିଥିଲେ। କିନ୍ତୁ ଜାଣି ନଥିଲେ ଯେ ସବୁ ଦିନ ସମାନ ଯାଏନି କି ସବୁ ଲୋକ ସମାନ ନୁହନ୍ତି। ତେଣୁ ଆଜି ଭିଜିଲାନ୍ସ ଫାଶରେ ପଡ଼ିଗଲେ। ସେ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଏଏସ୍‌ଆଇ ରତିକାନ୍ତ ଦାସ। ତାଙ୍କ ସହିତ ଥାନାର ଜଣେ ହୋମଗାର୍ଡ ଶଶିକାନ୍ତ ମହାପାତ୍ର ବି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

Advertisment

ଗତ ଫେବ୍ରୁଆରୀ ୪ ତାରିଖ ସନ୍ଧ୍ୟାରେ ରତିକାନ୍ତ ଦାସ ଏକ ପଥର ବୋଝେଇ ଟ୍ରକ୍ ଜବତ କରି ଏହାର ଡ୍ରାଇଭରଙ୍କୁ ଗିରଫ କରିଥିଲେ। ଫେବ୍ରୁଆରୀ ୧୦ ତାରିଖରେ ଡ୍ରାଇଭର ଜାମିନ୍ ପାଇବା ପରେ ଗାଡ଼ିକୁ ମୁକୁଳାଇବା ପାଇଁ କୋର୍ଟରେ ମାମଲା କରିଥିଲେ ଏହାର ମାଲିକ ଗୌରାଙ୍ଗ ମହାରଣା। ତାଙ୍କ ଘର ରେମୁଣା ବ୍ଲକ୍ ମେଣ୍ଡରା ଅଞ୍ଚଳରେ। କୋର୍ଟ ଗୌରାଙ୍ଗଙ୍କ ମାମଲାର ଶୁଣାଣି କରି ତାଙ୍କ ପଥର ବୋଝେଇ ଟ୍ରକ୍‌କୁ ଛାଡ଼ି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଗାଡ଼ି ଛାଡ଼ିବାକୁ ସଫା ସଫା ମନା କରି ଦେଇଥିଲେ ଏଏସ୍‌ଆଇ ରତିକାନ୍ତ ଦାସ। ଗାଡ଼ି ମୁକୁଳାଇବାକୁ ହେଲେ ୩୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ତାଙ୍କୁ କହିଥିଲେ। ଏହାପରେ ଗୌରାଙ୍ଗ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଭିଜିଲାନ୍ସର ଯୋଜନା କ୍ରମେ ଆଜି ଟ୍ରକ୍ ମାଲିକ ଗୌରାଙ୍ଗ ମହାରଣା ଖନ୍ତାପଡ଼ା ଥାନାକୁ ଯାଇଥିବା ବେଳେ ଏଏସ୍‌ଆଇ ରତିକାନ୍ତ ଦାସ ତାଙ୍କୁ ଟଙ୍କା ଆଣିଛ ନା ନାହିଁ ବୋଲି ପଚାରିଥିଲେ। ଗୌରାଙ୍ଗ ହଁ ମାରିବା ପରେ ଟଙ୍କା ହୋମ୍‌ଗାର୍ଡ ଶଶିକାନ୍ତ ମହାପାତ୍ରଙ୍କୁ ଦେଇ ଦେବାକୁ କହିଥିଲେ। ଶଶିକାନ୍ତ ଲାଞ୍ଚ ଟଙ୍କା ନେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ରେଡ୍‌ କରି ତାଙ୍କୁ ଧରିଥିଲେ। ଲାଞ୍ଚ ଟଙ୍କା ଜବତ କରିବା ସହିତ ଭିଜିଲାନ୍ସ ଏଏସ୍‌ଆଇ ରତିକାନ୍ତ ଦାସ ଓ ହୋମଗାର୍ଡ ଶଶିକାନ୍ତ ମହାପାତ୍ରଙ୍କୁ  ଥାନାରୁ ନେଇ ଭିଜିଲାନ୍ସ ଅଫିସରେ ଅଟକ ରଖି ପଚରାଉଚରା କରୁଛି।

Advertisment

ଗୌରାଙ୍ଗ ମହାରଣା କହିଛନ୍ତି, ଗତ ୪ ତାରିଖ ସନ୍ଧ୍ୟା ମୋ ଟ୍ରକ୍‌ରେ ପଥର ବୋଝେଇ ହୋଇ ଯାଉଥିବା ବେଳେ ପୁଲିସ୍ ଅଟକାଇଥିଲା। କାଗଜ ପତ୍ର ସବୁ ଠିକ୍ ଥିବା ସତ୍ତ୍ୱେ ଏଏସ୍‌ଆଇ ରତିକାନ୍ତ ଦାସ ଗାଡ଼ିଟିକୁ ଛାଡ଼ି ନଥିଲେ। କହିଲେ ଉପରୁ ତାଙ୍କୁ ନିର୍ଦ୍ଦେଶ ଆସିଛି। ମୋ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କଲେ। ୬ ଦିନ ପରେ ମୋ ଡ୍ରାଇଭର ବେଲ୍‌ରେ ଆସିଲେ। ୨୭ ତାରିଖରେ କୋର୍ଟ ଗାଡ଼ି ଛାଡ଼ିଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏଏସ୍‌ଆଇ ଗାଡ଼ି ଛାଡ଼ିବାକୁ ମନା କରି ଦେଲେ। ୩୦ ହଜାର ଟଙ୍କା ଦେଲେ ଗାଡ଼ି ଛାଡ଼ିବେ ବୋଲି କହିଲେ। ବାଲି ଓ ମୋରମ ଗାଡ଼ି ଧରିଲେ ଲକ୍ଷେ ଟଙ୍କା ଲେଖାଏ ନେଉଛୁ, ତୁମେ ୩୦ ହଜାର ଟଙ୍କା ଦେବନି କାହିଁକି ବୋଲି ଏଏସ୍‌ଆଇ କହିଥିଲେ। ଏହା ପରେ ଘଟଣା ସଂପର୍କରେ ମୁଁ ଭିଜିଲାନ୍ସ ଏସ୍‌ପିଙ୍କୁ ଭେଟି ସବୁ କଥା କହିଥିଲି।

Odisha Police Vigilance Raid Odisha Vigilance Vigilance Net
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe