ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବାଲିଅନ୍ତା ତହସିଲଦାର ଓ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମିଳିଲା ଜାମିନ୍। ତହସିଲଦାର ରଶ୍ମିରେଖା ପ୍ରଧାନ ଓ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ। ଏକ ଲକ୍ଷ ୨୦ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଉଭୟ ଗିରଫ ହୋଇଥିଲେ। ଏକ ଜମିଜମା ମାମଲା ପାଇଁ ଅଫିସ୍ଠୁ କିଛି ଦୂରରେ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଧନେଶ୍ୱରଙ୍କୁ ଧରିଥିଲା ଭିଜିଲାନ୍ସ। ଏହି ମାମଲାରେ ତହସିଲଦାରଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ଟିମ୍। ଚଢ଼ଉ ବେଳେ ଭିଜିଲାନ୍ସ ଅଧିକାରୀମାନେ ଧନେଶ୍ୱରଙ୍କ ଠାରୁ ଲକ୍ଷେ ୨୦ ହଜାର ଟଙ୍କା ଜବତ କରିଥିଲା।
ସେହିପରି ତହସିଲଦାର ପ୍ରଧାନଙ୍କ ଭଡ଼ାଘର ଓ ପୈତୃକ ଘରେ ମଧ୍ୟ ଚଢ଼ଉ କରାଯାଇଥିଲା। ଭଡ଼ାଘରୁ କିଛି ସୁନାଗହଣା ସମେତ ୧୦ଟି ବ୍ୟାଙ୍କ ପାସବୁକ୍ ଏବଂ କିଛି ଅଫିସ୍ କାଗଜପତ୍ର ମଧ୍ୟ ଜବତ କରାଯାଇଥିଲା। ସୂଚନା ଅନୁଯାୟୀ, ଭୁବନେଶ୍ୱର ଖାରବେଳନଗର ଥାନା ଅଧୀନ ଶାସ୍ତ୍ରୀନଗର ଅଞ୍ଚଳର କୈଳାସ ରଥ ନାମକ ଜଣେ ବିଲଡର ୧ ଏକର ୨୨୫ ପରିମିତ ଜମିକୁ ଘରବାଡ଼ି କରିବା ଲାଗି ବାଲିଅନ୍ତା ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ।
ଏଥିପାଇଁ ଡାଟା ଏଣ୍ଟ୍ରି ଅପରେଟର୍ ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ତେବେ ତହସିଲଦାରଙ୍କ କଥାରେ ସେ ଏହି ଲାଞ୍ଚ ମାଗିଥିବା କୈଳାସ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଉଭୟଙ୍କୁ ଧରିବା ପାଇଁ ଭିଜିଲାନ୍ସ ପକ୍ଷରୁ ଜାଲ ବିଛା ଯାଇଥିଲା।